ଭୁବନେଶ୍ବର: ରାଜଧାନୀରେ ପଶ୍ଚିମାଝଡ଼ ପ୍ରଭାବ ଅନୁଭୂତ ହୋଇଛି। ସକାଳୁ ଅଦିନିଆ ବର୍ଷାରେ ଇସ୍କନ ମନ୍ଦିର ସମ୍ମୁଖରେ ୪ଫୁଟ ଉଚ୍ଚର ପାଣି ଜମିବା ଦ୍ବାରା ଗାଡିମଟର ଚଳାଚଳ ପ୍ରଭାବିତ ହୋଇଥିଲା। ବର୍ଷା ପାଣିରେ ମଟରସାଇକଲ ଷ୍ଟାର୍ଟ ବନ୍ଦ ହୋଇଯିବା ଦ୍ବାରା ଚାଳକ ଗାଡ଼ିକୁ ଟାଣି ବାହାରକୁ ଆଣିଛନ୍ତି। ପାଣି ଜମି ରହିବା ଦ୍ବାରା ଦୀର୍ଘ ସମୟ ଧରି ଯାତାୟାତ ବନ୍ଦ ରହିଥିଲା। ପାଣି ନିଷ୍କାସନ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। କେବଳ ଇସ୍କନ ମନ୍ଦିର ସମ୍ମୁଖରେ ଜଳମଗ୍ନ ହେଉଛି ତା’ନୁହେଁ ବରଂ ବମିଖାଲ ଓଭରବ୍ରିଜ ତଳ ଏବଂ ଚିନ୍ତାମଣିଶ୍ବର ଅଞ୍ଚଳରେ ପାଣି ଜମି ରହିଥିଲା।
ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମି ରହିବା ହେତୁ ଯାତ୍ରୀବାହୀ ବସ ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହୋଇଛି। ବସର ଇଞ୍ଜିନ ପର୍ଯ୍ୟନ୍ତ ପାଣି ଉଠୁଥିଲା। ଷ୍ଟାର୍ଟ ବନ୍ଦ ହୋଇଯିବାର ସମ୍ଭାବନା ରହିଥିବା ନେଇ ବସ୍ ଚାଳକ ସୁକାନ୍ତ ବେହେରା କହିଛନ୍ତି। ବମିଖାଲ ଓଭରବ୍ରିଜ ତଳୁ କୋଚିଲାଖାଇ ହାଟ ପର୍ଯ୍ୟନ୍ତ ବର୍ଷା ପାଣି ଜମି ରହିଥିଲା। ପାଣିରେ କିଛି ଦେଖା ଯାଉ ନଥିବାରୁ ଚାଳକ ଭୟଭୀତ ହୋଇ ପଡିଥିଲେ। ନୂଆପଲ୍ଲୀ ବେହେରା ସାହିରେ ମଧ୍ୟ ପାଣି ଜମିଥିବା ଦେଖିବାକୁ ମିଳିଛି। ଘଣ୍ଟାଏ ପରେ ପାଣି ନାଳ(ଡ୍ରେନ)ରେ ନିଷ୍କାସନ ହୋଇଯିବା ପରେ ଗାଡିମଟର ଚଳାଚଳ ସ୍ବାଭାବିକ ହୋଇଥିଲା। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାରୁ ରସୁଲଗଡ଼, କଟକ-ପୁରୀ ରୋଡ, ପୁରୁଣା ଭୁବନେଶ୍ବର, ଆଦି ଅଞ୍ଚଳରେ ବର୍ଷା ପାଣି ଜମିବା ଦ୍ବାରା ଜୀବନଯାତ୍ରା ପ୍ରଭାବିତ ହୋଇଛି। ଭୁବନେଶ୍ବର ପାଣିପାଗ ବିିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜଧାନୀରେ ୧୦.୬ମିମି ବର୍ଷା ହୋଇଛି। ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଝିପିଝିପି ବର୍ଷା ହୋଇଥିଲା, କିନ୍ତୁ ସକାଳ ୭ଟା ବେଳକୁ ବଡ ଧରଣ ଅସରାଏ ବର୍ଷା ହୋଇଥିବା ବେଳେ ପୁଣି ସାଢେ ୧୦ଟା ବେଳକୁ ଆଉ ଏକ ଅସରା ବର୍ଷା ହୋଇଛି।



