ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୧୮ ବର୍ଷରୁ କମ୍ ଏସିଆନ ବାଳିକା ରଗ୍ବୀ ସେଭେନ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏଥିରେ ଚୀନ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବାବେଳେ ହଂକଂ ରନର୍ସଅପ ହୋଇଛି। ସେହିପରି ଥାଇଲାଣ୍ଡ ୩ୟ ଓ ଆୟୋଜକ ଭାରତ ୪ର୍ଥ ସ୍ଥାନ ହାସଲ କରିଛନ୍ତି। ଫାଇନାଲରେ ଚୀନ୍ ୨୮-୫ ପଏଣ୍ଟରେ ହଂକଂକୁ ପରାସ୍ତ କରିଥିଲା। ଥାଇଲାଣ୍ଡ ୨୫-୫ ପଏଣ୍ଟରେ ଭାରତକୁ ହରାଇ ୩ୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି।
ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ଗତଥରର ଚମ୍ପିଆନ ହଂକଂ ନିକଟରୁ ପରାଜୟ ବରଣ କରିଥିଲା। ହଂକଂ ୫୦-୭ ପଏଣ୍ଟରେ ଭାରତକୁ ପରାସ୍ତକରି ଫାଇନାଲକୁ ଉନ୍ନୀତ ହୋଇଥିଲା। ୨ୟ ସେମିଫାଇନାଲରେ ଥାଇଲାଣ୍ଡକୁ ୪୭-୦ ପଏଣ୍ଟରେ ଚୀନ୍ ପରାସ୍ତକରି ଫାଇନାଲକୁ ଉନ୍ନୀତ ହୋଇଥିଲା। ପ୍ଲେଟ୍ ସେମିଫାଇନାଲରେ କାତାର ୧୭-୧୦ରେ ଶ୍ରୀଲଙ୍କାକୁ ଓ ଫିଲିପାଇନ୍ସ ୧୭-୫ରେ ୟୁଏଇକୁ ପରାସ୍ତକରି ଫାଇନାଲକୁ ଉନ୍ନୀତ ହୋଇଥିଲେ। ଫାଇନାଲରେ କାତାର ୧୫-୧୦ ପଏଣ୍ଟରେ ଫିଲିପାଇନ୍ସକୁ ପରାସ୍ତକରି ଚମ୍ପିଆନ ହୋଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚମ୍ପିଆନ ଚୀନ୍କୁ ଟ୍ରଫି ସହ ସ୍ୱର୍ଣ୍ଣ ପଦକ, ରନର୍ସଅପ ହଂକଂକୁ ରୌପ୍ୟ ଓ ୩ୟ ସ୍ଥାନ ହାସଲ କରିଥିବା ଥାଇଲାଣ୍ଡକୁ ବ୍ରୋଞ୍ଜ ପ୍ରଦାନ କରିଥିଲେ। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ରଗ୍ବୀ ଖେଳାଳି ତଥା ବଲିଉଡ୍ କଳାକାର ରାହୁଲ ବୋଷ, ରଗ୍ବୀ ଇଣ୍ଡିଆ ଫୁଟବଲ ୟୁନିୟନ ଜେନରାଲ ମ୍ୟାନେଜର ନାସିର ହୁସେନ, ସଭାପତି ନାମାଜର ମେହେଟା, ଓଡ଼ିଶା ରଗବୀ ସଂଘ ସଭାପତି ତଥା ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମ୍ପାଦକ ଉପେନ୍ଦ୍ର ମହାନ୍ତି, କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ, ନିର୍ଦେଶକ ଆର୍. ବିନୀଳ କୃଷ୍ଣ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୧୨ଟି ଦେଶ ଅଂଶଗ୍ରହଣ କରିଥିଲେ।
ଏସୀୟ ବାଳିକା ରଗ୍ବୀ ସେଭେନ୍: ଚୀନ୍ ଚମ୍ପିଆନ; ଭାରତ ୪ର୍ଥ
Popular Categories



