ନୂଆଦିଲ୍ଲୀ : ଦୀର୍ଘ ୬୦ ଘଣ୍ଟା ପରେ ମୁମ୍ବଇ ଓ ଦିଲ୍ଲୀସ୍ଥିତ ବିବିସି କାର୍ଯ୍ୟାଳୟରେ ଆୟକର ଯାଞ୍ଚ ଶେଷ ହୋଇଛି । ମଙ୍ଗଳବାର ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହୋଇଥିବା ଆୟକର ଯାଞ୍ଚ କ୍ରମାଗତ ଭାବେ ୬୦ଘଣ୍ଟା ଧରି ଜାରି ରହିଥିଲା। ବିବିସି ଅଧିକାରୀଙ୍କ କହିବା ଅନୁଯାୟୀ ୬୦ ଘଣ୍ଟାର ମାରାଥନ ଯାଞ୍ଚ ପରେ ଆଇଟି ଅଧିକାରୀମାନେ ଫେରିଯାଇଛନ୍ତି। ଗୁରୁବାର ତୃତୀୟ ଦିନ ପାଇଁ ଆୟକର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଟିକସ ଅଧିକାରୀମାନେ ଆନ୍ତର୍ଜାତିକ ଟିକସ ପୈଠ ଏବଂ ବିବିସିର ଅନୁବନ୍ଧିତ କମ୍ପାନୀଗୁଡ଼ିକର ଆର୍ଥିକ କାରବାରକୁ ଅନୁଧ୍ୟାନ କରିଛନ୍ତି। ଯାଞ୍ଚକାରୀ ଦଳ କମ୍ପାନୀର ଆର୍ଥିକ କାରବାର ସମ୍ପର୍କରେ କମ୍ପାନୀର ଅଧିକାରୀଙ୍କୁ ପଚରାଉଚରା କରିଥିଲେ। ଆର୍ଥିକ କାରବାର ସମ୍ପର୍କିତ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ଆସିବାକୁ କୁହାଯାଇଥିବାବେଳେ ଅନ୍ୟମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ବିଜନେସ୍ କ୍ରିଟିକାଲ କର୍ମଚାରୀମାନଙ୍କୁ ସର୍ଭେ ଅପରେସନ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ କ୍ଷମତା ଦିଆଯାଇଛି। ବିବିସି କାର୍ଯ୍ୟାଳୟର ବ୍ୟାବସାୟିକ କାରବାର ପରିସରରେ ସର୍ଭେ କରାଯାଉଥିବାବେଳେ ଅନ୍ୟାନ୍ୟ ପରିସରରେ ଯାଞ୍ଚ କରାଯାଉଛି।
ନିକଟରେ ବିବିସି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଏକ ବୃତ୍ତଚିତ୍ର ପ୍ରସ୍ତୁତ କରାଯାଇଥିଲା। ଏହି ବୃତ୍ତଚିତ୍ରରେ ୨୦୦୨ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ଭୂମିକାକୁ ଚିତ୍ରଣ କରାଯାଇଥିଲା। ବୃତ୍ତଚିତ୍ର ପ୍ରସାରଣ ପରେ ବିବିସି କାର୍ଯ୍ୟାଳୟରେ ଆୟକର ଯାଞ୍ଚ ହୋଇଥିଲା।



