ୟୁକ୍ରେନ ଯୁଦ୍ଧର ଭାରତ ଉପରେ ପ୍ରଭାବ
ୟୁକ୍ରେନ ଯୁଦ୍ଧ ଏହି ବର୍ଷ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିଲା। ଏ ଭିତରେ ପ୍ରାୟ ୮ ମାସ ବିତିଗଲେ ମଧ୍ୟ ଏହି ଯୁଦ୍ଧ ଥମୁନାହିଁ କି କେବେ ସରିବ ତାହା କହିବା ଅସମ୍ଭବ। ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ଦ୍ବାରା ଆଧୁନିକ ଅସ୍ତ୍ରଶସ୍ତ୍ର ଦେବା ଫଳରେ ଏହାର ଅନ୍ତ କେବେ ହେବ ତାହା ଜଣାପଡ଼ୁନାହିଁ। ରୁଷିଆ ଏହି ଯୁଦ୍ଧରେ କିଛିମାତ୍ର ସଫଳ ହୋଇଛି ଓ ୟୁକ୍ରେନର ପୂର୍ବରେ ଥିବା କେତେକ ଅଞ୍ଚଳକୁ ଦଖଲ କରିନେଇଛି, ଯାହାକି ୟୁକ୍ରେନର ୧୫% ସ୍ଥଳଭାଗ ଅଟେ। ମାତ୍ର ଏହାକୁ ମୁକୁଳାଇବା ପାଇଁ ୟୁକ୍ରେନ ପ୍ରାଣପଣେ ଚେଷ୍ଟା କରୁଛି। ଏହାଦ୍ବାରା ୟୁକ୍ରେନର ବହୁ କ୍ଷତି ଘଟୁଛି ଓ ଏହାର କୋଠାବାଡ଼ି ଓ ଅନେକ ବୈଦ୍ୟୁତିକ ସରଞ୍ଜାମ, ସାମରିକ ଘାଟି ଧ୍ବସ୍ତବିଧ୍ବସ୍ତ ହେଉଛି।
ଏହି ପରିପ୍ରେକ୍ଷୀରେ ଭାରତ ଉପରେ ତା’ର ପ୍ରଭାବ ଚିନ୍ତାର ବିଷୟ। ୟୁକ୍ରେନ ଉପରେ ଆକ୍ରମଣ କରିବା ଫଳରେ ୟୁରୋପୀୟ ମହାଦେଶ ଓ ଆମେରିକା ରୁଷ ଉପରେ ବିଭିନ୍ନ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଫଳ ସ୍ବରୂପ ରୁଷ ୟୁରୋପୀୟ ରାଷ୍ଟ୍ର ସମୂହକୁ ତା’ର ତୈଳ ରପ୍ତାନୀକୁ ୮୦%ଭାଗ କମାଇଦେଇଛି। ଏହା ଦ୍ବାରା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମହାସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଗକୁ ଶୀତଋତୁ ମାଡ଼ି ଆସିବାକୁ ଥିବାବେଳେ ସେମାନେ କିପରି ଥଣ୍ଡାରୁ ରକ୍ଷାପାଇବେ ସେଥିପ୍ରତି ଚିନ୍ତିତ ହୋଇପଡ଼ିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଶକ୍ତିସଂରକ୍ଷଣ ପାଇଁ ବହୁପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି।
ଅବଶ୍ୟ ଭାରତ, ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ତାଗିଦାକୁ ଭ୍ରୂକ୍ଷେପ ନକରି ରୁଷଠାରୁ ଅପେକ୍ଷାକୃତ କମ୍ ଦରରେ ତୈଳ କିଣୁଛି; ମାତ୍ର ତୈଳଦର କ୍ରମଶଃ ବଢ଼ିବାରେ ଲାଗିଛି ଓ ଏହା ବ୍ୟାରେଲ୍ ପିଛା ପାଖାପାଖି ୧୦୦ ଡଲାର ଛୁଇଁଲାଣି। ଏହି ଦର ବଢ଼ିବ ସିନା, କମିବାର ଆଶା ଦେଖାଯାଉନାହିଁ। ଭାରତ ତାହାର ଆବଶ୍ୟକତାର ୮୦% ତୈଳ ବାହାରୁ ଆମଦାନୀ କରିଥାଏ। ତେଣୁ ଏହି ବର୍ଦ୍ଧିତ ତୈଳଦର ଯୋଗୁଁ ଭାରତରେ ଦରଦାମ୍ ବଢ଼ିବାରେ ଲାଗିଛି ଏବଂ ମୁଦ୍ରାସ୍ଫୀତି ସେପ୍ଟେମ୍ବର ମାସରେ ୭%ରୁ ଅଧିକ ହୋଇଛି। ଏବେ ଟଙ୍କାର ଅବମୂଲ୍ୟାୟନ ଘଟି ୧ ଡଲାର ପିଛା ୮୨ ଟଙ୍କା ଛୁଇଁଲାଣି। ଟଙ୍କାର ଦୃଢ଼ ଅବମୂଲ୍ୟାୟନକୁ ରୋକିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ତା’ର ଗଚ୍ଛିତ ଡଲାରକୁ ଖୋଲା ବଜାରରେ ବିକ୍ରି କରିବାପାଇଁ ବାଧ୍ୟ ହେଉଛି। ଯାହାଦ୍ବାରା ତା’ର ଗଚ୍ଛିତ ଡଲାର ଦୃଢ଼ ମାତ୍ରାରେ କମିବାରେ ଲାଗିଛି। ଟଙ୍କାର ଅବମୂଲ୍ୟାୟନକୁ ରୋକିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କର ପଦକ୍ଷେପକୁ ଆନ୍ତର୍ଜାତିକ ମୁଦ୍ରାକୋଷ ନାପସନ୍ଦ କରିଛନ୍ତି। ଭାରତ ତା’ର ଏହି ଦୁର୍ଲଭ ବୈଦେଶିକ ମୁଦ୍ରାକୁ ବିକ୍ରି ନକରି ଟଙ୍କା ତା’ର ନିଜର ବିନିମୟ ମୂଲ୍ୟକୁ ସ୍ଥିର କରିବାକୁ ପରାମର୍ଶ ଦେଇଛନ୍ତି।
ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମୁଦ୍ରାସ୍ଫୀତିକୁ ୨%ରୁ ୬% ଭିତରେ ରଖିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ତା’ର ରିପୋ ରେଟ୍ (ଯେଉଁ ଦରରେ ଜାତୀୟକରଣ ବ୍ୟାଙ୍କ କେନ୍ଦ୍ରୀୟ ବ୍ୟାଙ୍କଠାରୁ ଋଣ ନିଅନ୍ତି) ୫.୯%କୁ ବଢ଼ାଇ ସାରିଲାଣି। ଏହି ରିପୋରେଟ୍ ବଢ଼ିବା ଯୋଗୁଁ ବ୍ୟବସାୟ ଅନ୍ୟାନ୍ୟ ଜିନିଷ କ୍ରୟ କରିବା ପାଇଁ ଜାତୀୟକରଣ ବ୍ୟାଙ୍କ ତାଙ୍କର ଋଣ ଉପରେ ସୁଧର ହାର ବଢ଼ାଇଛନ୍ତି। ଫଳରେ ସାଧାରଣ ବ୍ୟବସାୟୀ ଓ ଜନସାଧାରଣ ବ୍ୟାଙ୍କରୁ ଆଉ ଋଣ ନେବାପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାଦ୍ବାରା ଦେଶରେ ଜିନିଷପତ୍ର ଉତ୍ପାଦନ କମିବାରେ ଲାଗିଛି ଏବଂ ଯୋଗାଣ ଅପେକ୍ଷା ଚାହିଦାର ବୃଦ୍ଧି ଯୋଗୁଁ ଦରଦାମ୍ ବଢ଼ିବାରେ ଲାଗିଛି ଓ ଏହା ଭାରତର ଅଭିବୃଦ୍ଧି ହାରକୁ ପ୍ରଭାବିତ କରୁଛି।
ଏହି ସମୟରେ ଭାରତପାଇଁ ଆଉ ଏକ ଚିନ୍ତାର ବିଷୟ ହେଉଛି ଯେ ତୈଳ ଉତ୍ପାଦନକାରୀ ରାଷ୍ଟ୍ର, ଗୁଡ଼ିକ ଦୈନିକ ୨ ମିଲିୟନ ବ୍ୟାରେଲ ଉତ୍ପାଦନ କମାଇବାପାଇଁ ନିଷ୍ପତ୍ତି ନେଇଛନ୍ତି। ତୈଳ ଉତ୍ପାଦନ କମିଲେ ବ୍ୟାରେଲ୍ ପିଛା ତୈଳଦର ବଢ଼ିବ। ଯାହା ଫଳରେ ଭାରତ ଯେଉଁ ତୈଳ ଆମଦାନୀ କରୁଛି ତାହାକୁ ଅଧିକ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିବ। ଏହାଦ୍ବାରା ଭାରତର ରପ୍ତାନୀରୁ ଅର୍ଜିତ ବୈଦେଶିକ ମୁଦ୍ରାଠାରୁ ଆମଦାନୀ ଖର୍ଚ୍ଚ ବଢ଼ିବ। ଏଥିପାଇଁ ଦେଶର ଚଳିତ ହିସାବ ନିଅଣ୍ଟ (କରେଣ୍ଟ ଆକାଉଣ୍ଟ ଡେଫିସିଟ୍) ବଢ଼ିବାରେ ଲାଗିଛି।
ୟୁକ୍ରେନ ଯୁଦ୍ଧ ଫଳରେ ଭାରତ ବୈଦେଶିକ କ୍ଷେତ୍ରରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ଆମେରିକା ଓ ୟୁରୋପୀୟ ରାଷ୍ଟ୍ରର କଟକଣା ସତ୍ତ୍ବେ ଭାରତ ଋଷଠାରୁ ତୈଳ ଓ ଯୁଦ୍ଧ ସାମଗ୍ରୀ କ୍ରୟ କରୁଛି। ଏହାଦ୍ବାରା ଏହି ରାଷ୍ଟ୍ରମାନେ ଭାରତ ପ୍ରତି ତାଙ୍କର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ନିକଟରେ ପାକିସ୍ତାନରେ ଅବସ୍ଥିତ ଆମେରିକୀୟ ରାଷ୍ଟ୍ରଦୂତ ପାକ୍ ଅଧିକୃତ କାଶ୍ମୀର ଭ୍ରମଣ କରି ଏହାକୁ ଆଜାଦ୍ କାଶ୍ମୀର ନାମରେ ଅଭିହିତ କରିଛନ୍ତି। ନିକଟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ୍ ଭୁଟ୍ଟୋ ଜର୍ମାନୀ ପରିଭ୍ରମଣ କରିଥିଲେ ଓ ସେଠାର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହାର ଫଳ ସ୍ବରୂପ, ଜର୍ମାନୀର ବୈଦେଶିକ ମନ୍ତ୍ରୀ କାଶ୍ମୀରରେ ଜାତିସଙ୍ଘ ଦ୍ବାରା ଗଣଭୋଟ କରିବାପାଇଁ ପାକିସ୍ତାନର ଦାବିକୁ ସମର୍ଥନ ଜଣାଇଛନ୍ତି।
ଇତିମଧ୍ୟରେ ଭାରତର ବିରୋଧ ସତ୍ତ୍ବେ ଆମେରିକା ପାକିସ୍ତାନକୁ ଏଫ-୧୬ଯୁଦ୍ଧ ଜାହାଜ ଆଧୁନିକୀକରଣ କରିବାପାଇଁ ୪୫୦ ନିୟୁତ ଡଲାର ସାହାଯ୍ୟ ଦେବାପାଇଁ ଘୋଷଣା କରିଛି। ଆମେରିକାର ସିନେଟ୍ ଦ୍ବାରା ଏହି ପ୍ରସ୍ତାବ ପାଇଁ କୌଣସି ଆପତ୍ତି ନହେବାରୁ ଖୁବ୍ ଶୀଘ୍ର ପାକିସ୍ତାନ ଏହି ଅର୍ଥ ପାଇବାରେ କୌଣସି ଅସୁବିଧା ନାହିଁ। ଗଲା ବାଲାକୋଟ ଯୁଦ୍ଧ ସମୟରେ ଏଫ-୧୬ର କ୍ଷେପଣାସ୍ତ୍ର ଦ୍ବାରା ଭାରତର ମିଗ୍ ବିମାନ କ୍ଷତିଗ୍ରସ୍ତ ହୋଇଥିଲା। ମାତ୍ର ଆମେରିକା ଏହାକୁ ପାକିସ୍ତାନ ଦ୍ବାରା ସନ୍ତ୍ରାସବାଦ ରୋକିବାରେ ସାହାଯ୍ୟ କରିବ ବୋଲି ସଫେଇ ଦେଇଛି। ଏହି ଯୁଦ୍ଧାସ୍ତ୍ର ଯୋଗାଣକୁ ଭାରତ ବିରୋଧ କଲେ ମଧ୍ୟ ତା’ର ଆମେରିକା ଉପରେ କୌଣସି ପ୍ରଭାବ ପଡ଼ୁନାହିଁ।
ନିକଟରେ ପାକିସ୍ତାନର ସ୍ଥଳ ସେନା ମୁଖ୍ୟ ଜେନେରାଲ ବାଜୱା ଆମେରିକା ପରିଦର୍ଶନ କରିଛନ୍ତି।
ଆମେରିକା ତାଙ୍କୁ ରାଷ୍ଟ୍ର ମୁଖ୍ୟଙ୍କ ସହ ସମାନ ଆତିଥ୍ୟ ପ୍ରଦାନ କରିଛି ଓ ତାଙ୍କ ସହ ପାକିସ୍ତାନ ଓ ଆମେରିକା ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଆଲୋଚନା କରିଛି। ଏଥିରୁ ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି। ଇତିମଧ୍ୟରେ ଜାତିସଙ୍ଘ ଦ୍ବାରା ରୁଷ ବିରୋଧରେ ବହୁ ପ୍ରସ୍ତାବକୁ ଭାରତ ସମର୍ଥନ କରିନାହିଁ। ଏହାକୁ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରସଙ୍ଘ ସହଜରେ ଗ୍ରହଣ କରିପାରୁନାହାନ୍ତି। ଗଲା ୧୯୬୦ ଓ ୭୦ ଦଶକରୁ ଭାରତ ରୁଷଠାରୁ ବିଭିନ୍ନ ପ୍ରକାର ସାମରିକ ସରଞ୍ଜାମ ଓ ଯୁଦ୍ଧାସ୍ତ୍ର କ୍ରୟ କରୁଛି ଏବଂ ଭାରତର ଯୁଦ୍ଧ ସାମର୍ଥ୍ୟ ବହୁ ପରିମାଣରେ ରୁଷର ସହାୟତା ଉପରେ ନିର୍ଭରଶୀଳ। ଅନ୍ୟ ପନ୍ଥା ବିନା ଏହି କ୍ରୟ ହଠାତ୍ ବନ୍ଦ କରିବା ସମ୍ଭବପର ନୁହେଁ। ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧବେଳେ ପାକିସ୍ତାନକୁ ସମର୍ଥନ ଜଣାଇ ଆମେରିକା ତା’ର ସାମୁଦ୍ରିକ ଯୁଦ୍ଧ ଜାହାଜ ପ୍ରଶାନ୍ତ ମହାସାଗରରୁ ଭାରତ ମହାସାଗରକୁ ପ୍ରେରଣ କରିଥିଲା। ମାତ୍ର ରୁଷର ସମର୍ଥନ ଯୋଗୁଁ, ଭାରତ ପାକିସ୍ତାନକୁ ହରାଇ ବଙ୍ଗଳାଦେଶକୁ ମୁକ୍ତ କରିଥିଲା। ଗଲା ୬୦ ଦଶକରେ ମଧ୍ୟ ଜାତିସଙ୍ଘଦ୍ବାରା କାଶ୍ମୀରରେ ଗଣଭୋଟ୍ ପାଇଁ ଯେଉଁ ପ୍ରସ୍ତାବ ଆସିଥିଲା ରୁଷିଆ ତା’ର ଭିଟୋ କ୍ଷମତା ପ୍ରୟୋଗ କରି ତାକୁ ନାକଚ କରି ଦେଇଥିଲା। ଏଣୁ ଭାରତ ତା’ର ଏହି ଚିରାଚରିତ ବନ୍ଧୁକୁ ପରିତ୍ୟାଗ କରିବା ସମ୍ଭବପର ନୁହେଁ।
ଏହା ନିଶ୍ଚିତ ଯେ ଭାରତ ଏେବ ଆର୍ଥିକ ଦୁର୍ଦିନ ଦେଇ ଗତି କରୁଛି। ତୈଳ ଦର ବୃଦ୍ଧି ଯୋଗୁଁ ଭାରତର ରପ୍ତାନିଦ୍ବାରା ଉପାର୍ଜିତ ବୈଦେଶିକ ମୁଦ୍ରାଠାରୁ ଆମଦାନୀରେ ଖର୍ଚ୍ଚ ବୃଦ୍ଧି ଘଟୁଛି। ୟୁକ୍ରେନ ଯୁଦ୍ଧ ଲାଗି ରହିଲେ ଏହି ତୈଳ ଦର ଆହୁରି ବୃଦ୍ଧି ଘଟିଲେ ଭାରତର ବାଣିଜ୍ୟିକ ନିଅଣ୍ଟ ଦେଖାଯିବ ଓ ଦରଦାମ ଆହୁରି ବୃଦ୍ଧି ଘଟିବ।
କିଛିଦିନ ତଳେ ଭାରତର ଅର୍ଥମନ୍ତ୍ରୀ ଏସ୍ ସୀତାରମଣ ଅନ୍ତର୍ଜାତୀୟ ମୁଦ୍ରାକୋଷ ପରିଦର୍ଶନ ସମୟରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଭାରତର ଆର୍ଥିକ ମୂଳଦୁଆ ଦୃଢ଼ ଅଛି। ଭାରତରେ ଥିବା ଗଚ୍ଛିତ ବିଦେଶୀମୁଦ୍ରା ଆସନ୍ତା ୯ ମାସର ଆମଦାନୀକୁ ତୁଲାଇ ପାରିବ। ବର୍ତ୍ତମାନ ବିଶ୍ବରେ ଦେଖା ଦେଇଥିବା ମାନ୍ଦାବସ୍ଥା ଭାରତ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ମାତ୍ର ତାଙ୍କର ଏହି ଯୁକ୍ତି ବାସ୍ତବରେ କେତେ ଗ୍ରହଣୀୟ ତାହା ବିଚାର ଯୋଗ୍ୟ। ବର୍ତ୍ତମାନ ବିଶ୍ବର ପ୍ରେତ୍ୟକ ଦେଶ ଅନ୍ୟ ଦେଶ ଉପରେ ନିର୍ଭରଶୀଳ। ଗୋଟିଏ ଦେଶର ଆର୍ଥିକ ମାନ୍ଦାବସ୍ଥା ଅନ୍ୟଦେଶରେ ପ୍ରତିଫଳତି ହେଉଛି। ନିକଟରେ ଆମେରିକା ତା’ର େକନ୍ଦ୍ରୀୟ ବ୍ୟାଙ୍କର ସୁଧହାର ବଢ଼ାଇଦେବା ଫଳରେ ପୁଞ୍ଜି ଲଗାଣକାରୀ ସଂସ୍ଥାମାନେ ବିକାଶଶୀଳ ଦେଶରୁ ପୁଞ୍ଜି ପ୍ରତ୍ୟାହାର କରି ଆମେରିକୀୟ ବଜାରରେ ଖଟାଉଛନ୍ତି। ଏହା ଫଳରେ ଅନ୍ୟ ବିକାଶଶୀଳ ଦେଶମାନଙ୍କରେ ବୈଦେଶିକ ମୁଦ୍ରାରେ ହ୍ରାସ ଘଟୁଛି।
ଆର୍ଥିକ ଦୁରବସ୍ଥାର ଆଶୁ ସମାଧାନ ନିମନ୍ତେ ଭାରତ ପ୍ରଚେଷ୍ଟା ଚଳାଇଥିଲେ ମଧ୍ୟ କେତେକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେବା ନିତାନ୍ତ ଜରୁରୀ ଅଟେ। ଭାରତର ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରତା ଉପରେ ଜୋର ଦେବା ଅତ୍ୟନ୍ତ ପ୍ରାସଙ୍ଗିକ। ଭାରତ ବହୁ ପରିମାଣର ଯୁଦ୍ଧସାମଗ୍ରୀ, ରୁଷିଆ, ଅାମେରିକା, ଇସ୍ରାଏଲ ପରି ଦେଶମାନଙ୍କରୁ କ୍ରୟ କରୁଛି। ତାହାଦ୍ବାରା ଏହାର ବୈଷୟିକ ମୁଦ୍ରାରେ ହ୍ରାସ ଘଟୁଛି। ଆଗରୁ ଘରୋଇ କମ୍ପାନୀଙ୍କୁ ଯୁଦ୍ଧ ସାମଗ୍ରୀ ପ୍ରସ୍ତୁତ କରିବାପାଇଁ ସୁଯୋଗ ଦିଆଯାଉନଥିଲା। ଏବେ ତାହାର ପରିବର୍ତ୍ତନ ଘଟିଛି। ଏବେ ଘରୋଇ କମ୍ପାନୀଙ୍କୁ ଯୁଦ୍ଧ ସାମଗ୍ରୀ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଭାରତ ଏବେ ତାହାର ଯୁଦ୍ଧ ସାମଗ୍ରୀ ଫିଲିପାଇନ୍ସ, ଭିଏଟନାମ, ମାଲେସିଆ ଓ ଇଜିପ୍ଟ ଆଦି ଦେଶମାନଙ୍କୁ ବିକ୍ରି କରିବା ପାଇଁ ଚୁକ୍ତି କରିଛି। ଏହାଦ୍ବାରା ଭାରତ ବୈଦେଶିକ ମୁଦ୍ରା ଅର୍ଜନ କରିପାରିବ। ଭାରତର ଯୁଦ୍ଧ ସାମଗ୍ରୀ ବିକ୍ରୟ ବାବଦକୁ ଆସନ୍ତା ୫ ବର୍ଷ ମଧ୍ୟରେ ଆୟ ୯ହଜାର କୋଟି ଟଙ୍କାରୁ ୪୦ ହଜାର କୋଟି ଟଙ୍କା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି।
୧୯୬୦ ଓ ୭୦ ଦଶକରେ ଭାରତର ଘରୋଇ ଉତ୍ପାଦନ ଚୀନ ସାଙ୍ଗେ ସମାନ ଥିଲା। ୧୯୯୦ ମସିହା ପରଠାରୁ ଚୀନ ଏକ କମ୍ୟୁନିଷ୍ଟ ରାଜ୍ୟ ହେଲେ ମଧ୍ୟ ଏହା ବଜାର ଅର୍ଥନୀତିକୁ ଅନୁସରଣ କରି ତା’ର ଘରୋଇ ଉତ୍ପାଦନରେ ଦ୍ରୁ୍ତ ଅଭିବୃଦ୍ଧି ଘଟାଇଛି। ଏହାର ଉତ୍ପାଦନ କ୍ଷମତା ଭାରତର ପ୍ରାୟ ୪ଗୁଣ ଅଟେ। ମାଓ ସେତୁଙ୍ଗଙ୍କ ଭାଷାରେ ଯେ ପର୍ଯ୍ୟନ୍ତ ବିଲେଇ ମୂଷା ମାରୁଛି, ତାହାର ରଙ୍ଗ କଳା କି ଧଳା ସେଥିରେ କିଛି ଫରକ ନାହିଁ। ତେଣୁ ଚୀନ କମ୍ୟୁନିଷ୍ଟ ରାଷ୍ଟ୍ର ହେଲେ ମଧ୍ୟ ଏହାର ଅଭିବୃଦ୍ଧି ନିମନ୍ତେ ଏହା ଯେ କୌଣସି ପନ୍ଥା ଗ୍ରହଣ କରିବାକୁ ପ୍ରସ୍ତୁତ। ଏବେ ଅବଶ୍ୟ ଚୀନର ଶୂନ୍ୟ କୋଭିଡ ନୀତି ଯୋଗୁଁ ଏହାର ଉତ୍ପାଦନ କିଛିମାତ୍ରାରେ ହ୍ରାସ ପାଇଛି।
ଭାରତ ତା’ର ତୈଳର ଆମଦାନୀ ହ୍ରାସ କରିବାପାଇଁ ଅଣ ପାରମ୍ପରିକ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ବ ଦେବା ନିତାନ୍ତ ଆବଶ୍ୟକ। ବୈଦ୍ୟୁତିକ ଯାନର ନିର୍ମାଣ ଓ ବ୍ୟବହାର ପାଇଁ ଅଧିକ ପ୍ରୋତ୍ସାହନ, ସୌରଶକ୍ତି ଓ ଆଣବିକ ଶକ୍ତି କ୍ଷେତ୍ରରେ ଉତ୍ପାଦନ ବଢ଼ାଇବା ଏକାନ୍ତ ଆବଶ୍ୟକ।
ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ଆର୍ଥିକ କଟକଣା ଯୋଗୁଁ ରୁଷିଆ ତା’ର ତୈଳ ବିକ୍ରୟ ବାବଦରେ ଅର୍ଥକୁ ଡଲାର ବଦଳରେ ରୁବେଲ ଦେବାପାଇଁ ତୈଳ ଆମଦାନୀ ଦେଶମାନଙ୍କୁ ବାଧ୍ୟ କରୁଛି। ଭାରତ ସହିତ ବାଣିଜ୍ୟ କରିବାପାଇଁ ଟଙ୍କା ଓ ରୁବେଲ୍ ବ୍ୟବହାର ପାଇଁ ରୁଷ ଭାରତ ସହିତ ଚୁକ୍ତି କରିବାପାଇଁ ପ୍ରସ୍ତୁତ ଅଛି। ଭାରତ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଆଦି ବ୍ରିକ୍ସ ଦେଶମାନେ ଡଲାର ପରିବର୍ତ୍ତେ ଅନ୍ୟ ଏକ ମୁଦ୍ରା ଦ୍ବାରା ବାଣିଜ୍ୟ କାରବାର ଦେଣନେଣ କରିବାପାଇଁ ଚେଷ୍ଟା ଚଳାଇଛନ୍ତି। ଏହା ସଫଳ ହେଲେ ଅନ୍ତର୍ଜାତୀୟ ବଜାରରେ ଡଲାରର ଆଧିପତ୍ୟ କ୍ଷୁଣ୍ଣ ହେବ।
Comments are closed.