ମାମଲା ବୋଝ

ମାମଲାକୁ ଲୋକେ କହିଥାନ୍ତି ‘ମା’ମଲା’ ! ମା’ଙ୍କ ମୃତ୍ୟୁପରେ ପରିବାରର ଯେଉଁ କ୍ଷତି ଘଟେ ତାହା କେବେହେଲେ ପୂରଣ ହୋଇ ପାରେ ନାହିଁ, କାହିଁକି ନା ମା’ଙ୍କର ବିକଳ୍ପ ନାହିଁ । ଗାଁ ଗହଳିରେ ପରିବାର ପରିବାର ମଧ୍ୟରେ ପାଟିତୁଣ୍ଡ ହେଲେ ଆର୍ଥିକ ଅସ୍ବଚ୍ଛଳତା ବା ଜନବଳ ନଥିବା ଲୋକଟି ଅଭିଶାପ ଦେଇଥାନ୍ତି ‘ତୋ ଘରେ ମାମଲା ପଶୁ ।’ ମାମଲାରେ ଥରେ ବାନ୍ଧି ହୋଇଗଲେ ଏହି ଜାଲରୁ ମୁକୁଳିବା କଷ୍ଟ ଅର୍ଥାତ୍‌ ବର୍ଷ ବର୍ଷ ଧରି ଏହା ଚାଲିଥାଏ । ଅର୍ଗଳିରେ ଥରେ ବେକ ରଖି ଦେଲେ ଯେପରି ତା’ ମଧ୍ୟରୁ ବାହାରିବା କଷ୍ଟ ସେମିତି ପରିସ୍ଥିତି ସୃଷ୍ଟି ହୋଇଥାଏ । ଜନୈକ ବିଦେଶୀ କହିଥିଲେ, ‘ଭାରତର ନ୍ୟାୟାଳୟ ହେଉଛି, ଆଇନଜୀବୀଙ୍କ ଅମରାବତୀ।’ ଯେତେ ତାରିଖ ବଢ଼ିବ ସେତେ ତାଙ୍କର ରୋଜଗାର । ଆଗେ ଲୋକଙ୍କର ସହନଶୀଳତା ଅଧିକ ଥିଲା । ଦୁଇଚାପୁଡ଼ା ଖାଇ ମଧ୍ୟ ସେମାନେ ଚୁପ୍‌ ହୋଇ ରହୁଥିଲେ। ଯେଉଁମାନେ ଦୁଷ୍ଟ, ଗର୍ବୀ, ଅହଂକାରୀ ସେମାନଙ୍କଠାରୁ ଦୂରରେ ରହୁଥିଲେ ଓ ମାପିଚୁପି କଥା ହେଉଥିଲେ। ଗାଁଗୁଡ଼ିକରେ ଯେଉଁ ଗାଁ କମିଟି ଥିଲା ଅନେକ ବିବାଦ ସେଠାରେ ସମାଧାନ ହୋଇ ଯାଉଥିଲା । ଲୋକେ ଗାଁ ମୁଖିଆଙ୍କୁ ମାନୁଥିଲେ ଏବଂ ସେମାନେ ମଧ୍ୟ ନିର‌େ‌ପକ୍ଷ ରାୟ ଦେଉଥିଲେ। ପଦେ କଥା ‘ଭୁଲ୍‌’ ମାଗିଦେଲେ ମାମଲାର ଫଇସଲା । ଏବେ ତାହା ନାହିଁ। ଅଦାଲତରେ ମାମଲା ବଢ଼ି ଚାଲିଛି।

ବର୍ତ୍ତମାନ ସାରା ଦେଶରେ ବିଭିନ୍ନ ଅଦାଲତରେ ପାଞ୍ଚକୋଟି ମାମଲା ରହିଛି। ଏହା ମଧ୍ୟରୁ ଆମ ରାଜ୍ୟରେ ୧୬ ଲକ୍ଷ ମାମଲା ପଡ଼ି ରହିଛି । ଅଦାଲତଗୁଡ଼ିକରେ ବିଚାରପତି ପଦ ଖାଲି ପଡ଼ିଥିବାରୁ ଦାୟର ହେଉଥିବା ମାମଲାଠାରୁ ଫଇସଲା ମାମଲା ଖୁବ୍‌ କମ୍‌ ରହୁଛି । ୨୦୧୯ ମସିହାରେ ଦେଶରେ ୩.୩ କୋଟି ମାମଲା ବିଚାରାଧୀନ ରହିଥିଲା। ଗତବର୍ଷ ଅକ୍ଟୋବରରେ ଏହା ୪.୫ କୋଟିରେ ପହଞ୍ଚିଥିଲା। ଏହାର ଦୁଇମାସ ପରେ ଅର୍ଥାତ୍‌ ଡିସେମ୍ୱରରେ ୪.୬ କୋଟିରେ ପହଞ୍ଚିଥିଲା ମାମଲା। ବର୍ତ୍ତମାନ ତାହା ୫ କୋଟି ଛୁଇଁସାରିଲାଣି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅଦାଲତଗୁଡ଼ିକ ଦୈନିକ ୪ରୁ ୫ଟି ଫଇସଲା କରୁଥିବାବେଳେ ଭାରତରେ ତାହା ଦୈନିକ ୪୦ ରୁ ୪୫ ହୋଇଯାଉଛି । ଆମ ରାଜ୍ୟରେ ୧୬ ଲକ୍ଷ ମାମଲାରୁ ୧୩ ଲକ୍ଷ ଫୌଜଦାରୀ ମାମଲା ରହିଛି । ଦଶନ୍ଧିଦଶନ୍ଧି ଧରି ମାମଲାଗୁଡ଼ିକ ବିଚରାଧୀନ ଅଛି, ହାଇକୋର୍ଟରେ ୩୩ ଜଣ ବିଚାରପତିଙ୍କ ସ୍ଥାନରେ ଅଛନ୍ତି ୨୨ ଜଣ ବିଚାରପତି। ରାଜ୍ୟରେ ୧୬ ଲକ୍ଷ ମାମଲାକୁ ହାଇକୋର୍ଟରେ ୧ ଲକ୍ଷ ୯୦ ହଜାର ମାମଲା ପଡ଼ିରହିଛି । ସୁଦୂର ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଲୋକ ଶହଶହ କିଲୋମିଟର ଖର୍ଚ୍ଚାନ୍ତ ହୋଇ ଆସିବା କେତେ ଯୁକ୍ତିଯୁକ୍ତ? ଜିଲା ଓ ଅନ୍ୟାନ୍ୟ କୋର୍ଟଗୁଡ଼ିକରେ ପ୍ରାୟ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ପଡ଼ି ରହିଛି।

prayash

ପୂର୍ବରୁ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣରେ ପ୍ରାୟ ୭୦,୦୦୦ ମାମଲା ବିଚାରାଧୀନ ରହିଥିଲା । ବର୍ତ୍ତମାନ ସ୍ୟାଟ୍‌ ଉଚ୍ଛେଦ ହୋଇଯାଇ ଥିବାରୁ ମାମଲାଗୁଡ଼ିକର ଚାପ ହାଇକୋର୍ଟଙ୍କ ଉପରକୁ ଆସିଛି । ସ୍ୟାଟ୍‌ରେ ୬ଜଣ ବିଚାରପତିଙ୍କ ଦ୍ୱାରା ଭୁବନେଶ୍ୱର, କଟକ, ସମ୍ୱଲପୁର ଓ ବ୍ରହ୍ମପୁରର ଚାକିରି, ପେନ୍‌ସନ୍ ଆଦି ମାମଲାଗୁଡ଼ିକର ଶୁଣାଣି ହେଉଥିଲା। ବର୍ତ୍ତମାନ ହାଇକୋର୍ଟରେ ଏକାଧିକ ବେଞ୍ଚରେ ଏହି କିସମର ମାମଲା ସବୁ ତାଲିକାଭୁକ୍ତ ହେଉଥିଲେ ମଧ୍ୟ ସଂପୃକ୍ତ ବିଚାରପତିମାନଙ୍କୁ ଆଉ ଅନେକ କିସମର ମାମଲାର ବିଚାର କରିବାକୁ ପଡ଼ୁଛି । ହାଇକୋର୍ଟରେ ପ୍ରାୟ ୫୦ ହଜାର ଫୌଜଦାରୀ ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ହାଇକୋର୍ଟରେ ଥିବା ପ୍ରାୟ ୪୭,୦୦୦ରୁ ଅଧିକ ୫ରୁ ୧୦ ବର୍ଷ ଧରି ରହିଥିବା ବେଳେ ୨୭ ହଜାରୁ ଅଧିକ ମାମଲା ୧୦ରୁ ୨୦ ବର୍ଷ ଧରି ଗଡ଼ି ଚାଲିଛି । ସେହିପରି ୫ ହଜାର ମାମଲା ୨୦ରୁ ୩୦ ପର୍ଯ୍ୟନ୍ତ ରହିଛି । ୯୪୦ ଟି ମାମଲା ୩୦ରୁ ଅଧିକ ବର୍ଷ ଧରି ବିଚାର ପ୍ରତୀକ୍ଷାରେ ରହିଛି ବୋଲି ଜାତୀୟ ଜୁଡିସିଆଲ ଡାଟା ଗ୍ରିଡ଼ ପକ୍ଷରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, ‘ବାର୍‌ ଓ ବେଞ୍ଚ୍‌’ ୱେବସାଇଟ୍‌ରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ଡିସେମ୍ୱର ସୁଦ୍ଧା ରାଜ୍ୟରେ ୩,୦୩,୩୬୮ଟି ଦେୱାନୀ ମାମଲା ରହିଥିଲା। ସେହିପରି ସାରା ରାଜ୍ୟରେ ୧୨,୧୨,୩୬୭ ଫୌଜଦାରୀ ମାମଲା ଏବଂ ନିମ୍ନ ଅଦାଲତଗୁଡ଼ିକରେ ୧୫,୧୫,୭୩୪ଟି ମାମଲା ବିଚାରାଧୀନ ରହିଥିଲା । ସମାନ ସମୟରେ ଓଡ଼ିଶା ହାଇକୋର୍ଟରେ ୧,୩୯,୮୨୯ ଦେୱାନୀ ମାମଲା, ୫୧,୭୫୨ ଫୌଜଦାରୀ ମାମଲା ବିଚାରାଧୀନ ରହିଥିଲା । ବିଳମ୍ୱିତ ବିଚାର ପାଇଁ ୩.୫ ଲକ୍ଷ ବିଚାରାଧୀନ କଏଦୀ ଜେଲ୍‌ରେ କଷ୍ଟ ପାଉଛନ୍ତି ।

କେତେଗୁଡ଼ିଏ ମାମଲା ଅଛି ତାହା ଅଦାଲତକୁ ଯିବାକୁ ବାଧ୍ୟ । ଜଟିଳ ଆଇନର ମୁକାବିଲା କରାଯାଇ ନ୍ୟାୟ ପ୍ରଦାନ କରାଯାଏ । ପରନ୍ତୁ ବୁଦ୍ଧ ଓ ଗାନ୍ଧୀଙ୍କ ଆଦର୍ଶ ଲୋକେ ଭୁଲିଯାଇ ସାଧାରଣ କଥାରେ କୋର୍ଟକୁ ଯିବା ଓ ମିଛ ମାମଲାରେ ଲୋକଙ୍କ ହଇରାଣରେ ଖୁସି ପାଇବା ଏକ ପ୍ରକାର ସଉକ। ଭୁଲିଯିବା ଉଚିତ୍‌ ନୁହେଁ ଯେ ପର ପାଇଁ ଗାତ ଖୋଳିଲେ ନିଜେ ସେ ଗାତରେ ପଡ଼ିବାକୁ ହୁଏ, ନିଜେ ତ କୋର୍ଟରେ ଠିଆ ହେବାପାଇଁ ପଡ଼ିବ । ନିଜର ବୟାନ ଦେଲା ବେଳେ କାଠଗଡ଼ା ମଧ୍ୟରେ ଛିଡ଼ା ହେବାକୁ ପଡ଼ିବ । ଫୌଜଦାରୀ ମାମଲା ଅଧିକ ହେବାରୁ ସ୍ପଷ୍ଟ ପ୍ରମାଣିତ ହୁଏ ଦେଶର ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ । ଜଣେ ମନସ୍ତତ୍ତ୍ବବିତ୍‌ କହିଥିଲେ ବିଶ୍ୱରୁ ଯଦି ମଦ ଉଠିଯାଏ ତେବେ ଅଧେ ଡାକ୍ତରଖାନା, ଥାନା ଓ କୋର୍ଟ ଉଠିଯିବ । ଦେୱାନୀ ହେଉ ବା ଫୌଜଦାରୀ, ନିଶା କବଳରେ ପଡ଼ି ମଣିଷ ଅମାନିଆ ହୋଇଯାଏ, ବୁଦ୍ଧି, ବିବେକ ଶୂନ୍ୟ ହୋଇ ଅପରାଧ କରି ବସେ। ନିଜର ପ୍ରତିପତ୍ତି, ବାହାଦୁରି, ଅର୍ଥକୁ ନେଇ ହିଂସା ଓ ଗର୍ବରେ ଲୋକେ ଏମିତି ଉବୁଟୁବୁ ପାଖଲୋକେ ତାଙ୍କୁ ପିମ୍ପୁଡ଼ି ପରି ଦେଖାଯାନ୍ତି, ଯାହାଙ୍କୁ ପାଦରେ ଦଳିଦିଆଯାଇପାରେ । ଭାରତୀୟ ଗଣତନ୍ତ୍ରରେ ସାଧାରଣ ଜନତାଙ୍କର ଏବେ ବି ନ୍ୟାୟାଳୟ ଉପରେ ଅଖଣ୍ଡ ବିଶ୍ୱାସ ରହିଛି, ପରନ୍ତୁ ଲକ୍ଷଲକ୍ଷ ମାମଲା ସାଙ୍ଗକୁ ବିଚାରପତିଙ୍କ ଅଭାବ ନ୍ୟାୟ ଦେବାରେ ବିଳମ୍ୱ ହେଉଛି । ଏହି ମାମଲା ବୋଝକୁ ହାଲୁକା କରିବା ପାଇଁ ବିଚାରପତି ନିଯୁକ୍ତି ତଥା ମିଛୁଆ ଲୋକଙ୍କୁ କଠିନ ଦଣ୍ଡର ବ୍ୟବସ୍ଥା କରାଇଲେ ଏ ବୋଝ କମିଯିବ। ସର୍ବୋପରି ଜନସାଧାରଣ ନୈତିକ ଆଦର୍ଶରେ ଅନୁପ୍ରାଣିତ ତଥା ଧର୍ମପ୍ରତି ବିଶ୍ୱାସ ରହିଲେ ମାମଲା ହାଲ୍‌କା ହୋଇ ପାରିବ ।

Comments are closed.