ଟିଟିଲାଗଡ଼ : ଟିଟିଲାଗଡ଼ ସହରରୁ ମନିଗଁ ଏବଂ ମହୁଲପଡା ପଞ୍ଚାୟତକୁ ସଂଯୋଗ ଏକ ମାତ୍ର ରାସ୍ତାରେ ପୂର୍ବ ରେଳବାଇ ଫାଟକ ଉଚ୍ଛେଦ କରି ରେଳ ବିଭାଗର ଭୂତଳ ପୋଲ ନିର୍ମାଣ ପ୍ରୟାସକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ ଜାରି ରଖିଛନ୍ତି । ଏନେଇ ଅନେକ ସମୟରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରସ୍ତାବିତ ଖାଲୁଆ ସ୍ଥାନରେ ଭୂତଳ ପୋଲ ନିର୍ମାଣ ହେଲେ ସର୍ବଦା ପାଣି ଜମି ରହିବ । ବର୍ଷା ଋତୁରେ ଚାରି ମାସ ଦୁଇ ପଞ୍ଚାୟତବାସୀ ଜଳବନ୍ଦୀ ହୋଇ ରହିବେ ।
ଗାଁକୁ ପିଡ଼ିଏସ ସାମଗ୍ରୀ ପରିବହନ, ମଣ୍ଡିରୁ ଧାନ ପରିବହନ ବାଧାପ୍ରାପ୍ତ ହେବ । ସ୍କୁଲ ପିଲାଙ୍କ ଯାତାୟତ ନେଇ ସମସ୍ୟା ଉପୁଜିବ ବୋଲି ଏନେଇ ପୂର୍ବରୁ ଅଞ୍ଚଳବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀ, ରେଳ ବିଭାଗ ମନ୍ତ୍ରୀ ଏବଂ ସମସ୍ତ ଉଚ୍ଚ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ହେଲେ ରେଳ ବିଭାଗ ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ ସହ ଠିକାଦାର ନିୟୋଜିତ କରି ସାରିଛି । ଏହାକୁ ନେଇ ବର୍ତ୍ତମାନ ଗ୍ରାମବାସୀ ଏବଂ ରେଳ ବିଭାଗ ମୁହାଁମୁହିଁ ପରିସ୍ଥିତି ଉପୁଜିଛି ।
ଏନେଇ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଅଞ୍ଚଳର ନେତୃବୃନ୍ଦଙ୍କୁ ଡ଼ାକି ତାଙ୍କ ପ୍ରକୋଷ୍ଠରେ ବହୁ ସମୟ ବୁଝାସୁଝା କରିଥିଲେ । ହେଲେ ଗ୍ରାମବାସୀ ରେଳ ଭୂତଳ ପୋଲ ବଦଳରେ ଓଭରବ୍ରିଜ ନିର୍ମାଣ ଆଗ ସମ୍ପୂର୍ଣ୍ଣ ହେଲେ ହିଁ ରେଳ ବିଭାଗର ଭୂତଳ ପୋଲ ନିର୍ମାଣ ଏବଂ ରେଳ ଫାଟକ ଉଠାଇବା ଚିନ୍ତା କରୁ ବୋଲି ରୋକଠୋକ ଶୁଣାଇଛନ୍ତି । ବୈଠକରେ ଉପସ୍ଥିତ ଅଞ୍ଚଳର ବରିଷ୍ଠ ସମାଜସେଵୀ ଆଇନଜୀବୀ ଟିକେରାମ ସାହୁ, ଭଗବାନ ସାହୁ, ସଚିକାନ୍ତ ବେହେରା, ମୁନିରାମ ଖରସେଲ, ପ୍ରଫୁଲ୍ଲ ପ୍ରଧାନୀ, ଦଶରଥ ପୁଟେଲ, ଜଗଜୀବନ ପ୍ରଧାନ, ମାନସ ସାହୁ ସ୍ଥାନୀୟ ପ୍ରଶାସନ ସେମାନଙ୍କ ସମସ୍ୟାକୁ ସଠିକ ଭାବରେ ରେଳ ବିଭାଗ ଆଗରେ ଉପସ୍ଥାପନ କରୁ ବୋଲି ଗଣମାଧ୍ୟମରେ ଦାବି କରିଛନ୍ତି । ଅନ୍ୟଥା ରେଳ ବିଭାଗର ମେରୀ ରାୟ ନୀତି ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି ।
ରେଳବାଇ ଭୂତଳ ପୋଲକୁ ଗ୍ରାମବାସୀଙ୍କ ବିରୋଧ
Popular Categories



