ଅହିଂସା ରଥ ପରିକ୍ରମା କରିବାର ୩୦ ଦିନ ପୂର୍ତ୍ତି, ଆଜି କୋରାପୁଟ ଓ ବାଲେଶ୍ୱର ଜିଲ୍ଲା ପରିକ୍ରମା କଲା ରଥ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ। ଆଜି ରାଜ୍ୟରେ ଅହିଂସା ରଥ ପରିକ୍ରମାର ୩୦ ଦିନ ସଂପୂର୍ଣ୍ଣ ହୋଇଛି। ୪ ଟି ଅହିଂସା ରଥ ସମଗ୍ର ରାଜ୍ୟ ପରିକ୍ରମା ନିମନ୍ତେ ଯାତ୍ରା ଆରମ୍ଭ କରି ଇତି ମଧ୍ୟରେ ୧୯ଟି ଜିଲ୍ଲା ପରିକ୍ରମା ଶେଷ କରିଛନ୍ତି। ଏବେ କୋରାପୁଟ ଓ ବାଲେଶ୍ୱର ଜିଲ୍ଲାରେ ପରିକ୍ରମା ଜାରି ରହିଛି। ବିଗତ ୨୯ ଦିନ ଧରି ଗାନ୍ଧିଜୀଙ୍କ ବିଚାର ତଥା ସତ୍ୟ ଏବଂ ମାନବତାର ବାର୍ତ୍ତା ପ୍ରଚାର କରି ଅହିଂସା ରଥ ଓଡ଼ିଶାର କୋଣଅନୁକୋଣରେ ପରିକ୍ରମା କରୁଛି। ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ସମୟର କାହାଣୀ, ସ୍ୱାଧୀନତା ସଂଗ୍ରାମୀ ତଥା ବୀର ସଂଗ୍ରାମୀମାନଙ୍କର ଭୂମିକା ବିଷୟରେ ବିସ୍ତୃତ ସୂଚନା ସହ ପାଇକ ବିଦ୍ରୋହ, ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ବାବଦରେ ଅହିଂସା ରଥ ଜନସାଧାରଣଙ୍କୁ ଅବଗତ କରାଉଛି। ଉତ୍ତରପିଢ଼ିଙ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଏବଂ ଗାନ୍ଧିଜୀଙ୍କ ଅହିଂସା ଦର୍ଶନ ସଂପର୍କରେ ଅବଗତ କରିବାରେ ଅହିଂସା ରଥ ପ୍ରଭାବୀ ହୋଇପାରିଛି। ସବୁଠାରେ ଅହିଂସା ରଥକୁ ମିଳୁଛି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା। ପାରମ୍ପରିକ ନୃତ୍ୟଗୀତ, ସଂକୀର୍ତ୍ତନ, ଭିଡ଼ିଓ ସୋ ପ୍ରଦର୍ଶନ, ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିପୁଳ ଜନସମାଗମ ଅହିଂସା ରଥ ପ୍ରତି ବ୍ୟାପକ ଆକର୍ଷଣକୁ ପ୍ରତିପାଦିତ କରୁଛି।

prayash

ଆଜି ମାଲକାନଗିରି ଜିଲ୍ଲାରୁ ଆସିଥିବା ୨ ଗୋଟି ଅହିଂସା ରଥକୁ ମାଥିଲିର ଦେକପଡ଼ା ଠାରେ ସ୍ୱାଗତ କରାଯାଇଥିଲା। ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶହୀଦ ଲଷ୍ମଣ ନାୟକଙ୍କ ଶହୀଦ ପୀଠ ତେ;ୁଳୀଗୁମ୍ମା ଠାରେ ଅହିଂସା ରଥକୁ କୋରାପୁଟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିରାଟ ପଟୁଆରରେ ସ୍ୱାଗତ କରି ପାଛୋଟି ଅଣାଯାଇଥିଲା। ଜୟପୁର ଉପଜିଲାପାଳ ବେଦବର ପ୍ରଧାନ, ଯୋଜନା ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ବୈପାରିଗୁଡ଼ାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟì କବି ଶତପଥୀ, ତହସିଲଦାର, ବ୍ଲକ ଅଧ୍ୟକ୍ଷ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ, ପଞ୍ଚାୟତିରାଜ ପ୍ରତିନିଧି, ତେ;ୁଳିଗୁମ୍ମା ସରପଞ୍ଚ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଛାତ୍ରଛାତ୍ରୀମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସହୀଦଙ୍କ ସମାଧିରେ ଏବଂ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଗ୍ରାମବାସୀମାନେ ଚାରି ଶହ ମିଟର ଦୈର୍ଘ୍ୟବିଶିଷ୍ଟ ଜାତୀୟ ପତାକା ଧରି ଗାଁ ପରିକ୍ରମା କରିଥିଲେ। ଏଥିସହ ଗୀତ, ନୃତ୍ୟ, ବାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ସହୀଦ ଲଷ୍ମଣ ନାୟକ ପାର୍କରେ ଜାତୀୟ ପତକା ଉତ୍ତୋଳନ ସହ ସଭା ଆୟୋଜନ କରାଯାଇଥିଲା। ଲଷ୍ମଣ ନାୟକଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଥିବା ଛାତ୍ରଛାତ୍ରୀମାନଂକୁ ପୁରସ୍କାର ଦିଆଯାଇଥିଲା। ପ୍ରତିକୂଳ ପାଗ ସତ୍ତ୍ବେ ୩ ହଜାରରୁ ଅଧିକ ଲୋକ ସମାରୋହରେ ଉପସ୍ଥିତ ଥିଲେ ।

ଆଜି ବାଲେଶ୍ୱର ଜିଲାର ରେମୁଣା ବ୍ଲକ୍‌ ଅନ୍ତର୍ଗତ ନିଜାମପୁରଠାରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା। ରେମୁଣା ବିଧାୟକ, ରେମୁଣା ଜିଲ୍ଲା ପରିଷଦ ସଭାପତି, ଅତିରିକ୍ତ ଜିଲ୍ଲାପାଳ, ବ୍ଲକ୍‌ ଅଧ୍ୟକ୍ଷ, ରେମୁଣା ବିଡ଼ିଓ, ପଞ୍ଚାୟତ ସମିତି ସଭ୍ୟବୃନ୍ଦ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ସାଧାରଣ ଜନତା ଏବଂ ବରିଷ୍ଠ ପଦାଧିକାରୀବୃନ୍ଦ ଏହି ସ୍ୱାଗତ ସମାରୋହରେ ଉପସ୍ଥିତ ଥିଲେ। ସେହିପରି ଜଳେଶ୍ୱର ମୁନିସିପାଲିଟିଠାରେ ଅହିଂସା ରଥକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ବିଡ଼ିଓ, ତହସିଲଦାର, ଜଳେଶ୍ୱର ମୁନିସିପାଲିଟିର ଅଧ୍ୟକ୍ଷ, ବ୍ଲକ୍‌ ଅଧ୍ୟକ୍ଷ, ଜଳେଶ୍ୱର ଟାଉନ୍‌ ହାଇସ୍କୁଲର ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ମୁନିସିପାଲିଟିର କର୍ମଚାରୀମାନେ ଅହିଂସା ରଥକୁ ସ୍ୱାଗତ କରିଥିଲେ। ରଥ ଜିଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ସମୟରେ ସ୍ଥାନୀୟ କଳାକାର ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ମିଳିବା ସହିତ ସମାଜର ବିଭିନ୍ନ ବର୍ଗର ଲୋକେ ଅନୁପ୍ରେରିତ ହେଉଛନ୍ତି।

kalyan agarbati

Comments are closed.