www.samajalive.in
Wednesday, December 10, 2025
18.1 C
Bhubaneswar

ଓଡ଼ିଆ ଝିଅ ନିତ୍ୟାଙ୍କର ନୃତ୍ୟରେ ଝୁମିଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଉଦୀୟମାନ ନୃତ୍ୟାଙ୍ଗନା ନିତ୍ୟା ଖଣ୍ଡେଲୱାଲଙ୍କର ମନଲୋଭା ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନରେ ଝୁମିଲେ ଦିଲ୍ଲୀବାସୀ । ଦିଲ୍ଲୀର ଦର୍ଶକମାନେ ନିତ୍ୟାଙ୍କ ମନଲୋଭା ନୃତ୍ୟର ଘୁଙ୍ଗୁରର ତାଳେ ତାଳେ ଝୁମିଥିବା ଦେଖିବାକୁ ମିଳିଥିଲା। ନିକଟରେ ଡେନମାର୍କ ଠାରେ ଅବସ୍ଥାପିତ ଓଡ଼ିଆ ଝିଅ ନିତ୍ୟା ଜାତୀୟ ରାଜଧାନୀର ତ୍ରିବେଣୀ କଳା ସଙ୍ଗମଠାରେ ତାଙ୍କର ମଞ୍ଚ ପ୍ରବେଶ ନୃତ୍ୟ କାର୍ଯ୍ୟକ୍ରମ ‘ଅରଂଗେତ୍ରମ’ ପରିବେଷଣ କରିଥିଲେ। ନିତ୍ୟାଙ୍କର ରସ ଓ ଲାସ୍ୟ ଭରା ନୃତ୍ୟ ପ୍ରସ୍ତୁତି, ତାଙ୍କର ଅନନ୍ୟ ପ୍ରତିଭା ଏବଂ ଅଜସ୍ର ପାରଦର୍ଶିତାର ସ୍ୱାକ୍ଷର ବହନ କରୁଥିଲା । ତ୍ରିବେଣୀ ପ୍ରେକ୍ଷାଳୟରେ ଦର୍ଶକମାନେ ତାଙ୍କର ପ୍ରତ୍ୟେକ ପ୍ରସ୍ତୁତିକୁ ମନଭରି ଉପଭୋଗ କରିବା ସାଙ୍ଗକୁ ତାଳିର ଗହଗହ ନାଦରେ ତାଙ୍କୁ ସ୍ବାଗତ କରୁଥିବା ଦେଖାଯାଇଥିଲା । ନିତ୍ୟାଙ୍କର ରଙ୍ଗମଞ୍ଚ ଉପରେ ଏହି ପ୍ରଥମ ଏକକ ନୃତ୍ୟ ପରିବେଷଣ, ଉଭୟ ସାଧାରଣ କଳା ପ୍ରେମୀ ଏବଂ ସଂସ୍କୃତି ସମାଲୋଚକ ମାନଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିବା ଜଣାଯାଇଛି।

ପରମ୍ପରା ଅନୁଯାୟୀ ପ୍ରାରମ୍ଭରେ ନିତ୍ୟା ତାଙ୍କର ଗୁରୁ ରଶ୍ମୀ ରାଉତ ଜୟସ୍ୱାଲଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଗୁରୁ ଶ୍ରୀମତୀ ରାଉତ ତାଙ୍କ ହାତରେ ଘୁଙ୍ଗୁର ଅର୍ପଣ କରି ତାଙ୍କୁ ଶୁଭକାମନା ଜଣାଇଥିଲେ । ‘ପୁଷ୍ପାଞ୍ଜଳି’ ଶୀର୍ଷକ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଭଗବାନ ନଟରାଜଙ୍କ ବନ୍ଦନାକୁ ଆଧାରିତ ଥିଲା । ଏହା ପରେ ଆଲ୍ଲାରିପୁ, ଯଥିସ୍ୱରମ୍, ଶବ୍ଦମ, ବର୍ଣ୍ଣମ୍, ରାମ ଭଜନ, ଦେବର ନାମ ଏବଂ ତିଲାନା ଆଦି ନୃତ୍ୟ ସଂଯୋଜନା ପରିବେଷଣ କରାଯାଇଥିଲା । ତିନି ଘଣ୍ଟା ଧରି ଲଗାତାର ଘମାଘୋଟ ପ୍ରଦର୍ଶନର ପରିସମାପ୍ତି ଶାନ୍ତି ଶ୍ଲୋକ ଦ୍ୱାରା ହୋଇଥିଲା । ଏଠାରେ ନୃତ୍ୟଶିଳ୍ପୀ ନିଜର ଆତ୍ମାକୁ ପରମାତ୍ମା ସହିତ ବିଲୟ କରିବାକୁ ପ୍ରୟାସ କରିବା ଏବଂ ସମସ୍ତଙ୍କର ଶାନ୍ତି ଓ ସତଗତି ଉଦ୍ଦେଶ୍ୟରେ ପ୍ରାର୍ଥନା କରିବା, ସମଗ୍ର ପରିବେଶକୁ ଭାବବିହ୍ୱଳ, ଭକ୍ତିପୂତ ଏବଂ ଆଧ୍ୟାତ୍ମିକରେ ଉଦବୁଦ୍ଧ କରିବା ସହିତ ଦର୍ଶକ ମାନଙ୍କୁ ଐଶ୍ବରିକ ସତ୍ତାର ଆସ୍ୱାଦନ ଏବଂ ଅମୃତ ଆନନ୍ଦର ସେବନ କଲାଭଳି ଅଲୌକିକ ଅନୁଭୂତି ପ୍ରଦାନ କରିଥିଲା ।

- Advertisement -

ନିତ୍ୟାଙ୍କର ପ୍ରତ୍ୟେକ ପ୍ରସ୍ତୁତି ଯଥେଷ୍ଟ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ଥିଲା । ବିଶେଷକରି ଶୁଦ୍ଧ ନୃତ୍ୟ ତିଲାନା ମଞ୍ଚସ୍ଥ କରିବା ସମୟରେ ତାଙ୍କର ବୈଦ୍ୟୁତିକ ପଦଚାଳନା ବେଶ୍ ପ୍ରଶଂସନୀୟ ଥିଲା । ସେହିପରି ବର୍ଣ୍ଣମ୍, ରାମ ଭଜନ ଏବଂ ଦେବର ନାମ ଆଦି ଅଭିନୟ ଧର୍ମୀ ସଂରଚନା ମାନଙ୍କରେ ନିତ୍ୟାଙ୍କର ଜୀବନ୍ତ ଓ ନିଖୁଣ ମୁଖାଭିନୟ ଏବଂ ଅସାମାନ୍ୟ ଭୃକୁଞ୍ଚନ ଦେଖଣାହାରି ମାନଙ୍କୁ ବିଭୋର କରିଦେଇଥିଲା।

 

ମାତ୍ର ପାଞ୍ଚ ବର୍ଷ ବୟସରୁ ନିତ୍ୟା ଦିଲ୍ଲୀ ଠାରେ ଗୁରୁ ଶ୍ରୀମତୀ ରାଉତଙ୍କ ଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ଭଦ୍ରକ ଜିଲ୍ଲାର ଇରମ ନିବାସୀ ସଞ୍ଜୀବ ଖଣ୍ଡେଲୱାଲ ତାଙ୍କର ପିତା ଏବଂ ଚଣ୍ଡୀଗଡ଼ ବାସିନ୍ଦା ସିପ୍ରା ଖଣ୍ଡେଲୱାଲ ତାଙ୍କର ମାତା ଅଟନ୍ତି । ନିତ୍ୟାଙ୍କର ଲାଳନ ପାଳନ ଦିଲ୍ଲୀ ଓ ଡେନମାର୍କରେ ହୋଇଛି । ଆଠ ବର୍ଷ ତଳେ ଖଣ୍ଡେଲୱାଲ୍ ପରିବାର ଭାରତରୁ ଡେନମାର୍କକୁ ସ୍ଥାନାନ୍ତରିତ ହୋଇଥିଲେ । ଏହି ସ୍ଥାନାନ୍ତରୀକରଣ ନିତ୍ୟାଙ୍କ ସାମ୍ନାରେ ନୃତ୍ୟ ଶିକ୍ଷାକୁ ଜାରି ରଖିବା ନେଇ ସବୁଠୁ ବଡ଼ ସମସ୍ୟା ଉପୁଯାଇଥିଲା । ମହାଦେଶ ପାରି ଦୁରତ୍ଵ ସ୍ଵାଭାବିକଭାବେ ତାଙ୍କ ପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା । କିନ୍ତୁ ନୃତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ଶ୍ରଦ୍ଧା, ପରମ ନିଷ୍ଠା ଏବଂ ଏକନିଷ୍ଠ ପ୍ରତିବଦ୍ଧତା ଅବଶେଷରେ ତାଙ୍କୁ  ବିଜୟୀ କରିଥିଲା। ବିକଳ୍ପ ବ୍ୟବସ୍ଥା ଭାବରେ ନିତ୍ୟା, ଗୁରୁ ଶ୍ରୀମତୀ ରାଉତଙ୍କ ଠାରୁ ଅନଲାଇନ୍ ଯୋଗେ ତାଲିମ ନେବା ଆରମ୍ଭ କରିଥିଲେ ଏବଂ ଏହାକୁ ନିୟମିତ ଭାବେ ଚାଲୁ ରଖିଥିଲେ । ଦୀର୍ଘ ଆଠବର୍ଷର ଏହି ନିରଳସ ଡିଜିଟାଲ ତପସ୍ୟା ଏବଂ ଉତ୍ସର୍ଗୀକୃତ ସାଧନାରୁ ପ୍ରାପ୍ତ ସିଦ୍ଧି ତଥା ସୁଫଳର ଚାକ୍ଷୁସ ପ୍ରମାଣ, ତ୍ରିବେଣୀ ପ୍ରେକ୍ଷାଳୟରେ ସେଦିନର ଅସାଧାରଣ ଏବଂ ଅବିସ୍ମରଣୀୟ ନୃତ୍ୟ ପ୍ରଦର୍ଶନରୁ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ଗ୍ରୀସ, ସ୍ଵିଡେନ ଏବଂ ଡେନମାର୍କ ଆଦି ଦେଶରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଉତ୍ସବ ମାନଙ୍କରେ ନିତ୍ୟା ତାଙ୍କର କଳା ଚାତୁର୍ଯ୍ୟ ପ୍ରଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି ।

 

ଯନ୍ତ୍ରସଙ୍ଗୀତରେ ବିଶିଷ୍ଟ କଳାକାର ବୃନ୍ଦ ଯଥା ନଟ୍ଟୁ ୱଙ୍ଗମରେ ଗୁରୁ ରଶ୍ମୀ ରାଉତ ଜୟସ୍ଵାଲ, କଣ୍ଠ ସଙ୍ଗୀତରେ ଭେଙ୍କଟେଶ୍ୱରନ୍ କୁପୁସ୍ବାମୀ, ମୃଦଙ୍ଗରେ ପ୍ରଜେଶ ଚନ୍ଦ୍ରନ, ଘଟମରେ ବରୁଣ ରାଜଶେଖରନ, ବେହେଲାରେ ଚେମ୍ବାଇ ଆର ଶ୍ରୀନିବାସ ଏବଂ ବଂଶୀରେ ଅନୁରାଗ ରସ୍ତୋଗୀ ପ୍ରମୁଖ ସହଯୋଗ କରିଥିଲେ। ଦିବ୍ୟା ମେହେଟ୍ଟା ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଉପସ୍ଥାପନା କରିଥିଲେ।

 

ନିମିସା ସିଙ୍ଗଲା ସାଂସ୍କୃତିକ ଅଧିବେଶନର ସୁସଂଯୋଜନା କରିଥିଲେ। ପ୍ରସିଦ୍ଧ ରୂପସଜ୍ୟାବିତ ବ୍ରିଜ ମୋହନ ନୃତ୍ୟାଙ୍ଗନାଙ୍କର ମୁଖ ବିନ୍ୟାସ କରିଥିଲେ । ବରିଷ୍ଠ ପ୍ରଶାସକ ଦେବେନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୃତ୍ୟ ପ୍ରଦର୍ଶନକୁ ଉଦଘାଟନ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ଖଣ୍ଡେଲୱାଲ(ଟୁଙ୍ଗୱାଲେ),ନରେଶ ରାୱତ, କମଲ  ମାଲହି, ପ୍ରଦୀପ ଖଣ୍ଡେଲୱାଲ୍, ଡଲି ଖଣ୍ଡେଲୱାଲ୍ ଓ ସନ୍ତୋଷ ରାଉତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories