www.samajalive.in
Sunday, December 7, 2025
16.1 C
Bhubaneswar

ଜଳଘେରରେ ୫-ଟି ହାଇସ୍କୁଲ ଖେଳପଡିଆ

ପିପିଲି : ରାଜ୍ୟ ସରକାରଙ୍କ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ (୫ଟି-ହାଇସ୍କୁଲ ଟ୍ରାନ୍ସଫର୍ମେସନ) କାର୍ଯ୍ୟକ୍ରମରେ ରୂପାନ୍ତରିତ ହୋଇଥିବା ପିପିଲି ନୋଡାଲ ହାଇସ୍କୁଲର ଖେଳପଡିଆରେ ଏବେ ଦେଢ ଫୁଟ ଉଚ୍ଚରେ ବର୍ଷାଜଳ ଲହଡି ଭାଙ୍ଗୁଛି। ଜଳ ନିଷ୍କାସନ ଅଭାବରୁ ପ୍ରତ୍ୟେକ ବର୍ଷ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏଥିଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
ପିପିଲି ପୌରାଞ୍ଚଳର ଦୁଇ ପ୍ରମୁଖ ବିଦ୍ୟାଳୟ ପିପିଲି ନୋଡାଲ ହାଇସ୍କୁଲ ଓ ପିପିଲି ମିଶନ ୟୁପି ସ୍କୁଲର ଖେଳପଡିଆଟି ଖାଲୁଆ ଅଞ୍ଚଳରେ ରହିଛି । ଫଳରେ ସାମାନ୍ୟ ବର୍ଷା ହେଲେ ନିକଟବର୍ତ୍ତି ଅଞ୍ଚଳର ଜଳ ଏହି ପଡିଆରେ ଜମା ହେଉଛି । ଉକ୍ତ ପଡିଆରୁ ଜଳ ନିଷ୍କାସନର ବାଟ ନଥିବା ଯୋଗୁଁ ଦୀର୍ଘଦିନ ପର୍ଯ୍ୟନ୍ତ ପାଣି ଜମି ରହୁଛି । ପ୍ରତ୍ୟେକ ବର୍ଷ ଏହି ଜଳ ଭର୍ତ୍ତି ପଡିଆକୁ ନେଇ ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
ଗତ କିଛିଦିନର ବର୍ଷାରେ ବିଦ୍ୟାଳୟର ଖେଳପଡିଆଟି ଏବେ ଜଳମଗ୍ନ ହୋଇଛି । ଗୁରୁବାର ଅପରାହ୍ନରେ ପ୍ରାୟ ଏକ ଘଣ୍ଟାର ଲଗାଣ ବର୍ଷାରେ ଖେଳପଡିଆଟି ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିବା ବେଳେ ବିଦ୍ୟାଳୟ ମଧ୍ୟରେ ଥିବା କଂକ୍ରିଟ୍‍ ରାସ୍ତା ଉପରେ ଏକଫୁଟ୍‍ ଉଚ୍ଚତାରେ ବର୍ଷାଜଳ ଲହଡି ଭାଙ୍ଗିଥିଲା । ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉକ୍ତ ଜଳମଗ୍ନ କଂକ୍ରିଟ୍‍ ରାସ୍ତା ପାଶ୍ୱର୍ ସିମେଣ୍ଟ ବନ୍ଧ ଉପରେ ଚାଲି ଚାଲି ଯାଉଥିବା ପରିଲକ୍ଷିତ ହୋଇଥିଲା । ରାସ୍ତା ଉପରେ ଲହଡି ମାରୁଥିବା ବର୍ଷାଜଳରେ ଅଧିକାଂଶ ଛାତ୍ରଛାତ୍ରୀ ସାଇକେଲ ଚଳାଇ ଘରକୁ ଫେରିଥିଲେ । ଖେଳପଡିଆରେ ବର୍ଷାଜଳ ଜମି ରହିବା ଫଳରେ ମଶାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ସୂଚନା ମିଳିଛି । ବର୍ଷର ଅନେକ ସମୟ ଏହି ପଡିଆରେ ପାଣି ଭର୍ତ୍ତି ହୋଇ ରହୁଥିବାରୁ ଛାତ୍ରଛାତ୍ରୀ ମାନେ ଖେଳି ପାରୁନଥିବାରୁ ସେମାନଙ୍କ ଶାରୀରିକ ବିକାଶରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି ।
ଗତ ବର୍ଷ ନଭେମ୍ବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଅଭାସୀ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲାର ଅନ୍ୟ ରୂପାନ୍ତରିତ ବିଦ୍ୟାଳୟ ସମେତ ଏହି ରୂପାନ୍ତରିତ ଉଚ୍ଚବିଦ୍ୟାଳୟକୁ ଉଦ୍‍ଘାଟନ କରିଥିଲେ। ପିପିଲି ଏନ୍‍ଏସି ପକ୍ଷରୁ ସେହି ମାସରେ ମୁକ୍ତା ଯୋଜନାରେ ୭ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ମାଟି ପୋତାଯାଇ ସମତୁଳ କରାଯାଇଥିଲା। ତେବେ ଜଳ ନିଷ୍କାସନ ପାଇଁ ସେଠାରେ କୌଣସି ବ୍ୟବସ୍ଥା ନଥିବାରୁ ଆଖପାଖ ଅଞ୍ଚଳର ବର୍ଷାଜଳ ଏହି ଖେଳପଡିଆରେ ପୂର୍ବଭଳି ଜମା ହୋଇରହୁଛି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ଖେଳପଡିଆରୁ ଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି। ତେବେ ଏହି ଖେଳପଡିଆରୁ ଜଳ ନିଷ୍କାସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ସଂପର୍କରେ ଏନ୍‍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁଜା ରାଉତ ସୂଚନା ଦେଇଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories