ପେନସନଧାରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟ
ଉଦଳା: ଗତକାଲି (ବୁଧବାର) ଅପରାହ୍ନରେ ମୟୂରଭଞ୍ଜ ଜିଲା ଉଦଳାରେ ଥିବା ସୁଭଦ୍ରା ଗାର୍ମେଣ୍ଟସ ସମ୍ମୁଖରୁ ପଲସର ବାଇକରେ ଆସିଥିବା ଦୁଇ ଜଣ ଲୁଟିଆ ଜଣେ ପେନସନଧାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ କରିବାକୁ ସକ୍ଷମ ହୋଇଛନ୍ତି। ଲୁଟର ଶିକାର ବ୍ୟକ୍ତି ଜଣକ ବାରିପଦା ବିଜୟ ରାମଚନ୍ଦ୍ରପୁର (ୱାର୍ଡ ନମ୍ବର -୧୭)ବାସିନ୍ଦା ଥିବାବେଳେ ନାମ ଜିତେନ୍ଦ୍ର କୁମାର ସେଠୀ ବୋଲି ଜଣାଯାଇଛି। ସେ ଘର ତିଆରି ପାଇଁ ଷ୍ଟେଟ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ସୁଭଦ୍ରା ଗାର୍ମେଣ୍ଟସ ସମ୍ମୁଖରେ ଥଣ୍ଡା ପାନୀୟ ପିଉଥିବା ସମୟରେ ଜଣେ ଲୁଟିଆ ଡିକି ଭାଙ୍ଗି ବ୍ୟାଗରେ ଥିବା ଟଙ୍କା ନେଇ ବାଇକରେ ଅପେକ୍ଷା କରିଥିବା ଅନ୍ୟ ଲୁଟିଆ ସହିତ ଫେରାର ହୋଇଯାଇଥିଲେ। ଏହି ଲୁଟିଆ ଟଙ୍କା ନେବା ସମୟରେ ଲୋକେ ନେଇଗଲା ନେଇ ଗଲା ପାଟି କରୁଥିବା ସମୟରେ ଲୁଟିଆ ଦୁଇ ଜଣ ମଧ୍ୟ ନେଇଗଲା ନେଇଗଲା କହି ଚକମା ଦେଇ ଖସି ଯିବାକୁ ସକ୍ଷମ ହୋଇଥିଲେ। କ୍ରମାଗତ ଭାବେ ଏଭଳି ଲୁଟ ଜନସାଧାରଣରେ ଆତଙ୍କ ଖେଳାଇ ଦେଇଛି। ବାରମ୍ବାର ବାଇକ୍ ଡିକିରୁ ଟଙ୍କା ଚୋରି ହେଉଥିଲା ବେଳେ ଜନସାଧାରଣ କାହିଁକି ଯେ ସଚେତନ ହେଉନାହାନ୍ତି, ସେନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ବାବଦରେ ଉଦଳା ଥାନାରେ ଅଭିଯୋଗ ପରେ ତଦନ୍ତ ଜାରି ରହିଛି।
Comments are closed.