www.samajalive.in
Monday, December 8, 2025
14.1 C
Bhubaneswar

ଟାଣ ଖରାରେ ସିଝୁଛନ୍ତି ପରିବା ବ୍ୟବସାୟୀ; ସ୍ଥାୟୀ ପ୍ରତିକାର ଦାବି

ବୌଦ୍ଧ : ବୌଦ୍ଧ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜିଲାର ତାପମାତ୍ରା ପ୍ରାୟତଃ ୪୨ ଡିଗ୍ରୀ ଉପରେ ରହୁଛି। ଏପରିକି ତାପମାତ୍ରା ୪୫ ଡିଗ୍ରୀରେ ମଧ୍ୟ ପହଞ୍ଚିଛି। ଜିଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିନ ୯ଘଣ୍ଟା ପରେ ଘରୁ ବାହାରିବା ସମ୍ଭବ ପର ହେଉନାହିଁ। ଏପରିସ୍ଥଳେ ବୌଦ୍ଧ ସଦର ମହକୁମା ବୁଦ୍ଧଦେବ ପଡ଼ିଆରେ ଥିବା ଦୈନିକ ପରିବା ବଜାରରେ ଚାଷୀ ଓ ଉଠାଦୋକାନୀମାନେ ଖୋଲା ଆକାଶ ତଳେ ଟାଣ ଖରାରେ ଘଣ୍ଟାଘଣ୍ଟା ଧରି ବସି ପରିବା ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ସେମାନଙ୍କ ପାଇଁ ସ୍ଥାୟୀ ସୁବିଧା ନଥିବାରୁ ସେମାନେ ବାଧ୍ୟ ହୋଇ ଟାଣ ଖରାରେ ବସି ରହି ସେମାନଙ୍କ ଜିନିଷ ବିକ୍ରି କରୁଛନ୍ତି। ଏହା ସେମାନଙ୍କ ପାଇଁ ନିତି ଦିନିଆ ହୋଇଯାଇଛି। ସରକାର ଗ୍ରୀଷ୍ମ ପ୍ରବାହ ଯୋଗୁଁ କାମ ନଥିଲେ ଖରାରେ ପଦାକୁ ନବାହାରିବାକୁ ପରାମର୍ଶ ଦେଉଥିବାବେଳେ ଏଠାରେ ଚାଷୀ ଓ ଉଠାଦୋକାନୀମାନେ ଦିନସାରା ଟାଣ ଖରାରେ ବସି ପରିବା ଓ ଅନ୍ୟାନ ଜିନିଷ ବିକ୍ରି କରୁଥିବାର ଦେଖିବାକୁ ମିଳୁଛି। ଯାହା ଫଳରେ ଖାଉଟି ଓ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଥମେ ସହରର ବାହାରିପଡ଼ାଠାରେ ରାଜାରାଜୁଡା ସମୟରୁ ଟିଣ ଛପର ଘର ଓ ସେଡ କରାଯାଇ ସେଠାରେ ଦୈନିକ ପରିବା ବଜାର ବସୁଥିଲା। ପରବର୍ତ୍ତି ସମୟରେ ଜନସଂଖ୍ୟା ଓ ବ୍ୟବସାୟୀଙ୍କ ସଂଖ୍ୟା ବଢ଼ିବା ଯୋଗୁଁ ବ୍ୟବସାୟୀମାନେ ସେଠାରୁ ରାସ୍ତା କଡ଼ରେ ବସି ବ୍ୟବସାୟ ଆରମ୍ଭ କଲେ। ଭୈରବୀ ଛକଠାରୁ ପୁଲିସ ଥାନା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଦୈନିକ ପରିବା ବଜାର ବସୁଥିଲା। ବ୍ୟବସାୟୀମାନେ ଖରା ବର୍ଷାରେ ରାସ୍ତା କଡ଼ରେ ନିଜର ପସରା ମେଲାଇ ବ୍ୟବସାୟ କରୁଥିଲେ। ଯାହାଫଳରେ ସ୍ଥାନୀୟ ଲୋକ ଓ ସେହି ରାସ୍ତା ଦେଇ ଚଳ ପ୍ରଚଳ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ।

୨୦୨୦ରେ ସାରାଦେଶରେ କୋଭିଡ ମହାମାରୀ ଯୋଗୁଁ ଜିଲା ପ୍ରଶାସନ ଓ ବୌଦ୍ଧଗଡ଼ ଏନଏସି ପକ୍ଷରୁ କୋଭିଡ ସଂକ୍ରମଣକୁ ଆଶଙ୍କା କରି ସହରର ରାଜବାଟୀ ନିକଟସ୍ଥ ବୁଦ୍ଧଦେବ ପଡ଼ିଆ, ବସଷ୍ଟାଣ୍ଡ, ମାଳିସାହି, ଗାନ୍ଧୀଛକ, ବୁଟୁପାଲି, ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅସ୍ଥାୟୀ ଭାବରେ ଦୈନିକ ପରିବା ବଜାର ବସାଯାଉଥିଲା। ପରବର୍ତ୍ତି ସମୟରେ କୋଭିଡ କଟକଣା କୋହଳ ହେବା ପରେ ସହରର ବୁଦ୍ଧଦେବ ପଡ଼ିଆ ଓ ମାଳିସାହି ଠାରେ ୫୭ ନମ୍ବର ଜାତୀୟ ରାଜପଥ କଡରେ ଦୈନିକ ପରିବା ବଜାର ବସିଆସୁଛି। ହେଲେ ଏହି ସ୍ଥାନରେ ଅନେକ ସମସ୍ୟା ରହିଥିବା ବ୍ୟବସାୟୀମାନେ ଅଭିଯୋଗ କରୁଛନ୍ତି। ବିଶେଷ କରି ବ୍ୟବସାୟୀମାନେ ଟାଣ ଖରାରେ ବସି ବିକ୍ରି କରୁଥିବା ବେଳେ ବର୍ଷା ଋତୁ ଆସିଲେ ପାଣି କାଦୁଅରେ ସେମାନଙ୍କ ପସରା ମେଲାଇବାକୁ ପଡୁଛି। ଦୋକାନ ଖୋଲିବା ପରେ ଯଦି ବର୍ଷା ହେଉଛି ସେମାନେ ରହିବା ପାଇଁ ବ୍ୟବସ୍ଥା ନ ଥିବା ଯୋଗୁଁ କେଉଁଠିକି ଯିବେ ତାହାକୁ ନେଇ ଚିନ୍ତାରେ ପଡ଼ିଯାଉଛନ୍ତି। ଏପରିକି ବାଧ୍ୟ ହୋଇ ଉଠାଦୋକାନୀମାନେ ବର୍ଷାରେ ଭିଜିବାକୁ ପଡୁଛି ବୋଲି ଅଭିଯୋଗ କରୁଛନ୍ତି। ଅନ୍ୟପଟେ କଚେରୀ ପଡ଼ିଆ ଓ ଷ୍ଟାଡିୟମକୁ ବାଦ ଦେଲେ ସହର ମଧ୍ୟରେ ବୁଦ୍ଧଦେବ ପଡ଼ିଆ ଏକମାତ୍ର ଖୋଲାସ୍ଥାନ ରହିଥିବାବେଳେ ଏଠାରେ କ୍ଲବର ଯୁବକମାନେ ଖେଳିବା ସହିତ ବାହାଘର ଭୋଜି ଓ ବିଭିନ୍ନ ଛୋଟବଡ ସଭାସମିତି ମଧ୍ୟ ହୋଇଥାଏ। ଦୈନିକ ବଜାର ଯୋଗୁଁ ତାହା ଅସୁବିଧା ହେଉଛି। ବୌଦ୍ଧ ଦୈନିକ ପରିବା ବଜାରକୁ ପ୍ରତିଦିନ ଜିଲାର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଓ ଚାଷୀମାନେ ଆସି ସେମାନଙ୍କ ପସରା ମେଲାଇବା ସହିତ ପୋଡଶୀ ଅନୁଗୁଳ, ସୋନପୁର, କନ୍ଧମାଳ ଜିଲାର ବ୍ୟବସାୟୀ ଓ ଚାଷୀମାନେ ସେମାନଙ୍କ ପରିବା ପତ୍ର ଓ ଅନ୍ୟାନ୍ୟ ଜିନିଷ ଆଣି ବିକ୍ରି କରିଥାନ୍ତି। ଏପରିସ୍ଥଳେ ପ୍ରଶାସନ ଚାଷୀ ଓ ବ୍ୟବସାୟୀମାନେ ଯେପରି ସୁରୁଖୁରୁରେ ସେମାନଙ୍କ ଜିନିଷ ବିକ୍ରି କରି ପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories