କଲମପୁର: ସ୍ୱାସ୍ଥ୍ୟ ସେବା ଏବଂ ସ୍ୱଚ୍ଛତା ଦିଗରେ ଜନ ସଚେତନତା ସୃଷ୍ଟି କରି ଗାଁ ଏବଂ ପଞ୍ଚାୟତକୁ ସୁସ୍ଥ ଗାଁ ଓ ସୁସ୍ଥ ପଞ୍ଚାୟତ ଭାବେ ଗଢି ତୋଳିଥିବାରୁ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମାବେଶରେ କଲମପୁର ବ୍ଲକର ବିଜମରା ପଞ୍ଚାୟତ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି । ଯେଉଁଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ଆଣି ଦେଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ଜିଲ୍ଲା ରୋଗୀ କଲ୍ୟାଣ ସମିତି ଦ୍ୱାରା ଆୟୋଜିତ ଏହି ସମାବେଶରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କସ୍ତୁରୀ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଡି.ପି.ଏମ ଅବନୀ ମହାପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରମୁଖଙ୍କ ଉପସ୍ଥିତିରେ ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ଠାରୁ ସୁସ୍ଥ ପଂଚାୟତ ଭାବେ ବିଜମରା ପଂଚାୟତର ସରପଂଚ ବାଳକୃଷ୍ଣ ମାଝୀ, ସ୍ୱାସ୍ଥ୍ୟ କର୍ମୀ ଭଷ୍ମିତା ମାଝୀ ଆଶାକର୍ମୀ ଭିକ୍ଷାଞ୍ଜଳୀ ପୁଝାରୀ ଟ୍ରଫି ସମେତ ମାନପତ୍ର ଓ ୧୦ ହଜାର ଟଙ୍କାର ପ୍ରତ୍ସୋହନ ରାଶି ଗ୍ରହଣ କରିଥିଲେ । ଆନୁଷ୍ଠାନିକ ପ୍ରସବ କରାଇ ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବାରେ ସ୍ୱାସ୍ଥ୍ୟ କର୍ମୀଙ୍କ ଅତୁଳନୀୟ ଅବଦାନ ସହ କୋଭିଡ ସମେତ ଅନ୍ୟ ଟୀକାକରଣରେ ଶତ ପ୍ରତିଶତ ହାସଲ କରିବାରେ ଏହି ପଂଚାୟତ ସଫଳ ହେଇଛି ।
ଏହାସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପାଦନରେ ସଫଳ ହେବା ସହ ପଂଚାୟତି ରାଜ, ମହିଳା ଓ ଶିଶୁ ବିକାଶ ଭଳି ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଏକ ଆଦର୍ଶ ପଂଚୟତ ଭାବେ କାର୍ଯ୍ୟ କରୁଥିବାରୁ ଜିଲ୍ଲାରେ ଏହି ପଂଚାୟତ ଶ୍ରେଷ୍ଠ ପଂଚାୟତର ମାନ୍ୟତା ପାଇଛି । ଏହି ଉତ୍ସବ ଅବସରରେ କଲମପୁର ବ୍ଲକର ବନ୍ଧକନା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ୨୦୨୦/୨୧ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ପାଇଥିଲେ । ସୁଚନାଯୋଗ୍ୟଯେ ୱାନ ମେନ ଆର୍ମି ଭାବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମାତ୍ର ଫାର୍ମାଶିଷ୍ଟ କିଶୋର ଚନ୍ଦ୍ର ମୁଣ୍ଡ କାର୍ଯ୍ୟ କରି ଆସୁଛନ୍ତି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ପରିଚାଳନା ସୁଚାରୁ ରୂପେ କରିଆସୁଛନ୍ତି । ଅନ୍ୟପଟେ ସୁସ୍ଥ ଗାଁ ପାଇଁ କଲମପୁର ଅଙ୍ଗନୱାଡି କେନ୍ଦ୍ର ୧ର ସହାୟିକା ସବିତା ମହାପାତ୍ର ମଧ୍ୟ ପୁରସ୍କୃତ ହେଇ କଲମପୁର ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ଏହି ଜିଲ୍ଲାସ୍ତରୀୟ ସମାବେଶରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ, ଜନ ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ କୁମାର ଶଗଡିଆ, ବି.ପି.ଏମ ପ୍ରମୁଖ ଉପସ୍ଥିତ ରହିଥିଲେ ।



