www.samajalive.in
Wednesday, December 10, 2025
26.1 C
Bhubaneswar

ଶହୀଦ ଲକ୍ଷ୍ମଣ ନାଏକ ଜନଜାତିଙ୍କ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ, ମାତୃଭୂମିର ପରମପୂଜକ ଶହୀଦ ଲକ୍ଷ୍ମଣ ନାଏକଙ୍କର ଦେଶପ୍ରେମ, ବୀରତ୍ୱ ଓ ନେତୃତ୍ୱ ଥିଲା ଅତି ବଳିଷ୍ଠ । ଶହୀଦ ଲକ୍ଷ୍ମଣ ନାଏକ ଥିଲେ ଜନଜାତି ସମୁଦାୟଙ୍କ ଯଥାର୍ଥ ପ୍ରତିନିଧି ଏବଂ ତାଙ୍କରି ନେତୃତ୍ୱରେ ଜନଜାତିଙ୍କ ମଧ୍ୟରେ ନୂତନ ଚେତନା ଜାଗ୍ରତ ହୋଇଥିଲା ବୋଲି ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆଜି ସନ୍ଧ୍ୟାରେ ଆୟୋଜିତ ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଶ୍ରାଦ୍ଧ ଉତ୍ସବରେ ଅତିଥି ଓ ବକ୍ତାମାନେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି।
ଏହି ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ଉତ୍ସବରେ ଅତିଥିମାନେ ଉପସ୍ଥିତ ରହି ପ୍ରଥମେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଲକ୍ଷ୍ମଣ ନାୟକଙ୍କୁ କୋରାପୁଟ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାନାୟକ ବୋଲି ବର୍ଣ୍ଣନା କରିବା ସହ ଆଦିବାସୀମାନଙ୍କୁ ସଂଗଠିତ କରି ବ୍ରିଟିଶ ସରକାରଙ୍କ ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ବୋଲି ପ୍ରକାଶ କରିଥିଲେ । ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଲକ୍ଷ୍ମଣ ନାଏକଙ୍କୁ ଜଣେ ନିଃସ୍ୱାର୍ଥପର ନିର୍ଭୀକ ଜନସେବକ ଏବଂ ଜନସେବା ଯୋଗୁଁ ସେ ଲୋକଙ୍କର ପ୍ରିୟପାତ୍ର ଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଯୋଗଦେଇ କହିଥିଲେ ଯେ ଓଡ଼ିଶାର ଯେଉଁ କେତେକ ସ୍ୱାଧୀନତା ସଂଗ୍ରାମୀ ଦେଶପ୍ରେମୀ ବୀର ନାଏକ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ନେତୃତ୍ୱ ନେଇଥିଲେ, ସେମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀଙ୍କର ପଟ୍ଟଶିଷ୍ୟ ଲକ୍ଷ୍ମଣ ନାଏକ ଅନ୍ୟତମ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି କହିଲେ ଯେ ଶହୀଦ ଲକ୍ଷ୍ମଣ ନାଏକଙ୍କ ସାଂଗଠନିକ ଦକ୍ଷତା ଓ ଅନନ୍ୟ ସାହସିକତା ଓ ନେତୃତ୍ୱ ଜନଜାତି ସଂପ୍ରଦାୟଙ୍କୁ ବି୍ରଟିଶ ବିରୁଦ୍ଧରେ ସଂଘର୍ଷ କରିବା ପାଇଁ ପ୍ରେରଣା ଯୋଗାଇଥିଲା ।

 

- Advertisement -

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୟପୁର ବିଧାୟକ ତାରାପ୍ରସାସ ବାହିନୀପତି କହିଲେ ଯେ ଶହୀଦ ଲକ୍ଷ୍ମଣ ନାଏକଙ୍କ ନାମରେ ରାଜ୍ୟ ସରକାର ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କଲେ ତାହା ତାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହୋଇପାରିବ । ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାଏକ କୋରାପୁଟ ମାଟିର ଜନଜାତିଙ୍କ ପାଇଁ ଅବିଶ୍ରାନ୍ତ ସଂଗ୍ରାମ କରିଥିଲେ ବୋଲି ଉଲ୍ଲେଖ କରିବା ସହ କୋରାପୁଟର ବିକାଶ ଆମର ଲକ୍ଷ୍ୟ ହେବା ଉଚିତ ବୋଲି ମତ ରଖିଥିଲେ । ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୀର ଶହୀଦ ଲକ୍ଷ୍ମଣ ନାଏକଙ୍କ ପାଇଁ କୋରାପୁଟର ଜନଜାତି ଗର୍ବିତ ବୋଲି ପ୍ରକାଶ କରିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣରେ ଶହୀଦ ଲକ୍ଷ୍ମଣ ନାଏକଙ୍କୁ ଜନଜାତିଙ୍କ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ। ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭାପରେ ଜନଜାତି ସାଂସ୍କୃତିକ ଦଳ, କୋରାପୁଟର କଳାକାରମାନଙ୍କ ଦ୍ୱାରା ଜନଜାତି ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା । ଶବରୀ ସାଂସ୍କୃତିକ ପରିଷଦର ପ୍ରତିଷ୍ଠାତା ଇଂଜିନିୟର ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ଶବରୀ ସାଂସ୍କୃତିକ ପରିଷଦର ସଦସ୍ୟବୃନ୍ଦ ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତି ଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories