ଦ୍ୱାରଶୁଣି/ ପିପିଲି : ଓଡିଶା ଅଗ୍ନିଶମ ସଂଘ ପକ୍ଷରୁ ଡାକରା ଦିଆଯାଇଥିବା ବନ୍ଦରେ ବାଙ୍ଗିରିପୋଷି ଅଗ୍ନିଶମ ବିଭାଗର କର୍ମଚାରୀମାନେ ବନ୍ଦରେ ସାମିଲ ହୋଇ କାର୍ଯ୍ୟ ବନ୍ଦ କରିଛନ୍ତି । ୬ଦଫା ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ କାର୍ଯ୍ୟ ବନ୍ଦ ରହିବ ବୋଲି କର୍ମଚାରୀ ସଙ୍ଗ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ବାଙ୍ଗିରିପୋଷି ବ୍ଲକ ଦେଇ ୧୮ ଓ ୪୯ ନମ୍ବର ଦୁଇଟି ଜାତୀୟ ରାଜପଥ ଯାଇଥିବା ବେଳେ ଦ୍ୱାରଶୁଣି ଘାଟିରେ ସବୁଦିନ ଦୁର୍ଘଟଣା ଘଟୁଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ଆହତକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ଗୁରୁତ୍ବପୁର୍ଣ୍ଣ ଭୂମିକା ନେଇଥାନ୍ତି । ସରକାର ଯଥାଶୀଘ୍ର ସେମାନଙ୍କ ସାଙ୍ଗରେ ଆଲୋଚନା କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

ପିପିଲି ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ସେହିପରି ପିପିଲି ଅଗ୍ନିଶମ ସେବା କେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ଫାୟାର ମ୍ୟାନ୍ (ଏଲ୍ଏଫ୍ଏମ୍), ଡ୍ରାଇଭର ଓ ହାବିଲଦାର ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ସମସ୍ତ ୧୦ଜଣ କର୍ମଚାରୀ ପିପିଲି ଅଗ୍ନିଶମ ସେବା କେନ୍ଦ୍ରର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି । ଓଡିଶା ଅଗ୍ନିଶମ କର୍ମଚାରୀଙ୍କୁ ଓଡିଶା ପୁଲିସ କର୍ମଚାରୀଙ୍କ ସହିତ ସମାନ ଦରମା ଓ ଭତ୍ତା ପ୍ରଦାନ କରାଯିବା, ସଂସ୍ଥାର ହାବିଲଦାର ଓ ଫାୟାରମ୍ୟାନ ଆସୋସିଏସନ କୁ ତୁରନ୍ତ ସରକାରୀ ପଞ୍ଜୀକରଣଭୁକ୍ତ କରାଯିବା, ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ କରାଯିବା, ଅଗ୍ନିଶମ କର୍ମଚାରୀମାନଙ୍କୁ ନିଜ ଜିଲା ଏବଂ ଆବଶ୍ୟକ ସ୍ଥଳେ ନିକଟସ୍ଥ ଜିଲାରେ ନିଯୁକ୍ତ କରାଯିବା, ଓଡିଶା ଅଗ୍ନିଶମ ସେବା ସଂସ୍ଥାରୁ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ତୁରନ୍ତ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବା, ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଅଗ୍ନିଶମ କର୍ମଚାରୀଙ୍କୁ ୮ଘଣ୍ଟା ଡ୍ୟୁଟିରେ ମୂତୟନ କରାଯିବା ଓ ଡ୍ୟୁଟିର ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବା ଏବଂ ଓଡିଶା ଅଗ୍ନିଶମ ସେବା ସଂସ୍ଥାରେ ଖାଲି ପଡିଥିବା ପଦବୀ ଗୁଡିକୁ ତୁରନ୍ତ ପୂରଣ କରାଯିବା ଆଦି ଦାବି ନେଇ କର୍ମଚାରୀମାନେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ।



