www.samajalive.in
Tuesday, December 9, 2025
16.1 C
Bhubaneswar

ତେଜୁଛି ନିର୍ବାଚନୀ ହିଂସା; ଉଲ୍ଲଙ୍ଘନ ହେଉଛି ଆଚରଣ ବିଧି

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ପ୍ରଚାର ଶେଷ ହୋଇଛି। ୨୪ଘଣ୍ଟା ପରେ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ଆଗକୁ ଆହୁରି ୪ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏସବୁ ଭିତରେ ଏବେ ମଇଦାନରେ ଲଢେଇକୁ ବାହାରିଥିବା ନେତା, କର୍ମୀ ଓ ସେମାନଙ୍କ ସମର୍ଥକଙ୍କ ଭିତରେ ଅସହିଷ୍ଣୁ ମନୋଭାବ ବଢ଼ିବା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିର୍ବାଚନୀ ହିଂସାକାଣ୍ଡ ବଢିଚାଲିଛି। ରାଜନୈତିକ ହିଂସା ନିୟନ୍ତ୍ରଣକୁ ଆସିବା ଏବେ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।
କେତେକ ଜିଲାପରିଷଦ ପ୍ରାର୍ଥୀଙ୍କ ସମେତ ବିନା ଦଳୀୟ ସଂକେତରେ ବିଭିନ୍ନ ରାଜନୈତିକ ଦଳର ସମର୍ଥନରେ ଲଢୁଥିବା କିଛି ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହେବା, ଘର ଉପରେ ବୋମା ମାଡ଼ ଏବଂ ଢେଲାପଥର ଫିଙ୍ଗିବା ଭଳି ଘଟଣା ଯୋଗୁଁ ଅଧିକାଂଶ ଗ୍ରାମରେ ଏବେ ବାତାବରଣ ଅଶାନ୍ତ ହୋଇପଡିଛି। ବିଶେଷ କରି ଢେଙ୍କାନାଳ ଜିଲାର ଭୁବନ ଥାନା ଅଞ୍ଚଳ, କେନ୍ଦୁଝର ଜିଲାର ଯୋଡା, ସୁନ୍ଦରଗଡ ଜିଲାର ବଣାଇଁ, ପୁରୀ ଜିଲାର ଗୋପ, ପିିପିଲି ଏବଂ କଟକ ଜିଲାର ନରସିଂହପୁର ଥାନା ଅଞ୍ଚଳରେ ଆକ୍ରମଣ ବୋମା ମାଡ଼ ଭଳି ଘଟଣା ଯୋଗୁଁ ସେଠାରେ ଉତ୍ତେଜନା ଲାଗିରହିଛି। ରାଜନୈତିକ ଦଳର ଛତ୍ରଛାୟା ତଳେ ରହୁଥିବା ବାହୁବଳିମାନେ ଏପ୍ରକାର କାଣ୍ଡ ଘଟାଉଛନ୍ତି। ଏ ସମ୍ପର୍କରେ ଜିଲା ନିର୍ବାଚନ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପର୍ଯ୍ୟନ୍ତ କିଛିଦିନ ହେବ ଘନ ଘନ ଅଭିଯୋଗ ପହଞ୍ଚୁଛି। ବିଜେଡି, ବିଜେପି ଏବଂ କଂଗ୍ରେସ ସମେତ ବାମପନ୍ଥୀ ଦଳ ପକ୍ଷରୁ ଏ ସଂକ୍ରାନ୍ତ ଅଭିଯୋଗର ଦସ୍ତାବିଜ ବଢିଚାଲିଛି। ସୋମବାର ବିଜେଡିର ଏକ ପ୍ରତିନିଧି ଦଳ ନିର୍ବାଚନ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଶରଧାପୁର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସି.ଏଚ.ପ୍ରସାଦ ରାଓଙ୍କ ଉପରେ ବିଜେପି ନେତା ଓ କର୍ମୀମାନେ ଆକ୍ରମଣ କରିଛନ୍ତି। ସେ ଏବେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଗିରଫ ଓ ପ୍ରାର୍ଥୀଙ୍କୁ ସୁରକ୍ଷା ଦେବାକୁ ପ୍ରତିନିଧି ଦଳ ଦାବି କରିଛନ୍ତି। ଅନ୍ୟପକ୍ଷରେ ବିଜେପିର ଏକ ପ୍ରତିନିଧିଦଳ ମଧ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ସେମାନେ ଏଥିରେ ଦର୍ଶାଇଛନ୍ତି ଯେ ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ଭୋଟରଙ୍କୁ ପ୍ରଭାବିତ କରିବାକୁ ମିଛ ରାସନ କାର୍ଡ ଓ ବାର୍ଦ୍ଧକ୍ୟଭତ୍ତା କାର୍ଡ ବାଣ୍ଟିବା ସହିତ ଭୋଟରଙ୍କୁ ଦେଶୀ ବିଦେଶୀ ମଦ ବାଣ୍ଟୁଛନ୍ତି। ନିଶାକାରବାର ଉପରେ ଲୋକଦେଖାଣିଆ ଅଙ୍କୁଶ ଲଗାଯାଇଛି, ମାତ୍ର ଗ୍ରାମାଞ୍ଚଳରେ ମଦ ଗଚ୍ଛିତ ରଖାଯାଇଛି। ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦଳୀୟ ପ୍ରତିନିଧି ଦାବି କରିଛନ୍ତି।
ଏହା ପୂର୍ବରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ନିର୍ବାଚନ ଆୟୁକ୍ତଙ୍କ ନିକଟରେ ବହୁ ଅଭିଯୋଗ ଦାଖଲ ହେଲାଣି। ନିର୍ବାଚନ ପ୍ରଚାରବେଳେ ନିଜ ଭାଷଣରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗରେ ଗତକାଲି ନିର୍ବାଚନ ଆୟୁକ୍ତ ବିଜେଡି ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ କଟକଣା ଲଗାଇବା ସହିତ ୨ଦିନ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ଦେଶ ଦେଇଥିଲେ। ସୋମବାର ଆଉ ଏକ ଘଟଣାରେ ବଲାଙ୍ଗୀର ଉପଜିଲାପାଳ ଜଣେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଶିକ୍ଷକ ଜିଲା ପରିଷଦ ନିର୍ବାଚନ ଲଢୁଥିବା ନିଜ ପତ୍ନୀଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା। ସେହିପରି ବିଲେଇସର୍ଡା ପଞ୍ଚାୟତର ସରପଞ୍ଚ ପଦ ନିଲାମି ପାଇଁ ବେଆଇନ ଭାବେ ଟଙ୍କା ବାଣ୍ଟିବା ଘଟଣାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲାପାଳ ପୁଇଁତଳା ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories