ଭାରତୀୟଙ୍କ ବିଦେଶ ଗସ୍ତ ଖର୍ଚ୍ଚ ୫ ବର୍ଷରେ ବଢ଼ିଛି ୪୫୭ ଗୁଣ

0

ମୁମ୍ବଇ: ଗତ ୫ ବର୍ଷ ମଧ୍ୟରେ ଭାରତୀୟଙ୍କ ବିଦେଶ ଗସ୍ତ ଖର୍ଚ୍ଚ ୪୫୭ ଗୁଣ ବୃଦ୍ଧି ପାଇଛି। ଜୁଲାଇ ୨୦୧୩ରେ ଭାରତୀୟମାନେ ବିଦେଶ ଗସ୍ତ ପାଇଁ ୧ ନିୟୁତ ଡଲାରରୁ ମଧ୍ୟ କମ୍‍ ଖର୍ଚ୍ଚ କରୁଥିବା ବେଳେ ୨୦୧୮, ଜୁଲାଇରେ ହାରାହାରି ୪୫୦ ନିୟୁତ ଡଲାର ଖର୍ଚ୍ଚ କରିଛନ୍ତି। ସେହିପରି ଭାରତୀୟଙ୍କ ବିଦେଶରେ ପାଠପଢ଼ା ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ଗତ ୫ ବର୍ଷ ମଧ୍ୟରେ ଏହି ଖର୍ଚ୍ଚ ୨୨ ଗୁଣ ବୃଦ୍ଧି ପାଇ ୩୪୩ ନିୟୁତ ଡଲାରରେ ପହଞ୍ଚିଛି। ଧନିକ ବର୍ଗର ମୁଣ୍ଡ ପିଛା ଆୟ ବୃଦ୍ଧି, କୋହଳ ଋଣ ନୀତି ଓ କ୍ରେଡିଟ୍‍ କାର୍ଡ ସୁବିଧା ଯୋଗୁଁ ଭାରତୀୟମାନଙ୍କ ବିଦେଶ ଗସ୍ତ ବୃଦ୍ଧି ପାଇଥିବା ଜଣାପଡ଼ିଛି।
କେବଳ ତୈଳ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନୁହେଁ ଭାରତୀୟଙ୍କ ବିଦେଶ ଗସ୍ତ ବୃଦ୍ଧିର ପ୍ରଭାବ ମଧ୍ୟ ଦେଶର ବାଲାନ୍ସ ଅଫ୍‍ ପେମେଣ୍ଟ ଉପରେ ପଡ଼ୁଥିବା ବିଶେଷଜ୍ଞମାନେ କହିଛନ୍ତି। ଲିବରାଇଜ୍‍ଡ ରେମିଟାନ୍ସ ସ୍କିମ୍‍(ଏଲ୍‍ଆରଏସ୍‍) ଆଧାରରେ ଭାରତୀୟଙ୍କ ବାର୍ଷିକ ଖର୍ଚ୍ଚ ୨୦୧୩-୧୪ ଆର୍ଥିକ ବର୍ଷରେ ୧ ବିଲିୟନ୍‍ ଡଲାର ଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ୧୧.୩ ବିଲିୟନ୍‍ ଡଲାରକୁ ବୃଦ୍ଧି ପାଇଛି। କେବଳ ଗତ ବର୍ଷ ଭାରତୀୟମାନେ ଯେତିକି ପରିମାଣ ବିଦେଶରେ ଖର୍ଚ୍ଚ କରିଛନ୍ତି ତାହା ଭାରତର ୨୦୧୭-୧୮ ଆର୍ଥିକ ବର୍ଷର ମୋଟ କରେଣ୍ଟ ଆକାଉଣ୍ଟ ନିଅଣ୍ଟର ୨୩%।
ଉଲ୍ଲେଖନୀୟ ହେଲା ଏହି ସମୟ ମଧ୍ୟରେ ଭାରତୀୟଙ୍କ ବିଦେଶରେ ନିବେଶ ପରିମାଣ ହ୍ରାସ ପାଇଛି। ଆରବିଆଇ ୨୦୧୩ରେ ଏଲ୍‍ଆରଏସ୍‍ରେ ବିଦେଶକୁ ଟଙ୍କା ପ୍ରେରଣ ସୀମା ୨ ଲକ୍ଷ ଡଲାରରୁ ୭୫ ହଜାର ଡଲାରକୁ ହ୍ରାସ କରିଥିବାରୁ ତାହାର ପ୍ରଭାବ ବିଦେଶରେ ଭାରତୀୟଙ୍କ ପୁଞ୍ଜି ନିବେଶ ଉପରେ ପଡ଼ିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୧୫, ଫେବୃଆରୀରେ ଆରବିଆଇ ପୁଣି ଏହି ସୀମାକୁ ୨ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି କରିବା ସହିତ ବିଦେଶରେ ପୁଞ୍ଜି ନିବେଶକୁ ଅନୁମତି ଦେଇଛି।

Leave A Reply