ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତ କୁଚୁପାଜୁ ଗ୍ରାମର ସ୍ୱର୍ଗତ କବିରାଜ ମଲ୍ଲିକଙ୍କ ସାନପୁଅ ଚିତ୍ତରଞ୍ଜନ ମଲ୍ଲିକ ହରଭଙ୍ଗା କଲେଜରୁ ଯୁକ୍ତ ଦୁଇ ପାଠପଢା ସାରି ଘରକୁ ଫେରିବା ପରେ ହଠାତ୍ ଦୁଇଟିଯାକ ଆଖିକୁ କିଛି ଦେଖାଗଲାନାହିଁ। ପରିବାର ଲୋକେ ଚିତ୍ତରଞ୍ଜନଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନେଇଥିଲେ, କିନ୍ତୁ ସେଥିରେ କିଛି ସୁଫଳ ମିଳିଲା ନାହିଁ। ଶେଷରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପହଞ୍ଚି ସବୁ ଗୁହାରି କଲେ। ଚିକିତ୍ସାର ସମସ୍ତ ଅର୍ଥ ଜିଲା ପ୍ରଶାସନ ବହନ କରିବେ ବୋଲି ଆଶାଦେଲେ। ଚିତ୍ତରଞ୍ଜନ ପରିବାର ଲୋକଙ୍କ ସହିତ ବୁର୍ଲା ମେଡିକାଲରେ ଏକ ମାସ ପଣ୍ଡାପାଲ୍ଲୀରେ ଏକ ମାସ ଚିକିତ୍ସା ପରେ ବି ପ୍ରଶାସନ ପକ୍ଷରୁ ଆଦୌ ଆର୍ଥିକ ସହାୟତା ପ୍ରଦାନ କରାଗଲା ନାହିଁ।
ଏଭଳି ପରିସ୍ଥିତିରେ ଯୁବକ ଅବସ୍ଥାରେ ଅନ୍ଧ ପାଲଟିଗଲେ ଚିତରଞ୍ଜନ। ଏବେ ସେ ମା ଏବଂ ଭାଇ,ଭାଉଜ ଉପରେ ବୋଝ ପାଲଟିଯାଇଛନ୍ତି। ଆଖି ଦିଶୁନଥିବାରୁ ଗାଧୁଆ ଓ ଶୌଚ ପାଇଁ ସମସ୍ତଙ୍କ ସାହାରାର ନେଉଛନ୍ତି। କୌଣସି ରୋଗ କିମ୍ବା ଦୁର୍ଘଟଣା ନଥାଇ ହଠାତ୍ ଅନ୍ଧ ହୋଇଯିବା କଥା ସେ ବିଶ୍ୱାସ କରିପାରୁନାହାଁନ୍ତି। ଜିଲା ପ୍ରଶାସନ ସାହାଯ୍ୟ କଲେ ଚିକିତ୍ସିତ ହୋଇ ନୂଆ ସକାଳ ଦେଖିବାକୁ ଆଶା ରଖିଛନ୍ତି। ବୌଦ୍ଧ ଜିଲାପାଳ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଚିତରଞ୍ଜନଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ମଧୁସୂଦନ ମଲ୍ଲିକ, ଦାମୋଦର ମଲ୍ଲିକ, ଦୌପଦୀ ମଲ୍ଲିକ, ଲକ୍ଷ୍ମୀ ମଲ୍ଲିକ ପ୍ରମୁଖ ଅନୁରୋଧ କରିଛନ୍ତି।



