www.samajalive.in
Monday, December 8, 2025
17.1 C
Bhubaneswar

ଦିଲ୍ଲୀରେ ଚମକିଲା ଓଡ଼ିଶା : ୩ ଓଡ଼ିଆ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର

ଭୁବନେଶ୍ବର : ଓଡ଼ିଶାକୁ ଗର୍ବିତ କରାଇଛନ୍ତି ୩ ଚିତ୍ର ନିର୍ମାତା-ନିର୍ଦେଶକ। ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କ୍ରମରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଶଲାବୁଢ଼ାର ବଦ୍‌ଲା’, ‘କାଲିର ଅତୀତ’ ତଥା ଶ୍ରେଷ୍ଠ କଳା ସଂସ୍କୃତି ଚିତ୍ର ବର୍ଗରେ ପ୍ରାମାଣିକ ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ପୁରସ୍କୃତ ହୋଇଛି। ସୋମବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଉପ ରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି।
ବିଶିଷ୍ଟ ଚିତ୍ର ନିର୍ମାତା-ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ଶଲାବୁଢ଼ା ସିରିଜ୍‌ର ୩ୟ ଚିତ୍ର ‘ଶଲାବୁଢ଼ାର ବଦ୍‌ଲା’ ଶ୍ରେଷ୍ଠ ଓଡ଼ିଆ ଚିତ୍ର ଭାବେ ପୁରସ୍କୃତ ହୋଇଛି। ଗୌନ୍ତିଆ ବୁଢ଼ା ପରି ଜଣେ ସମ୍ମାନନୀୟ ବୟୋବୃଦ୍ଧଙ୍କ ପ୍ରତିଶୋଧପରାୟଣ ଭାବ ଏବଂ ସର୍ବଶ୍ରେଷ୍ଠ ପ୍ରତିଶୋଧ ହିଁ ‘ଶଲାବୁଢ଼ାର ବଦ୍‌ଲା’ର ବଳିଷ୍ଠ ଦିଗ। ପୂର୍ବରୁ ଏହି ଚିତ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କ୍ରମରେ ଏକାଧିକ ପୁରସ୍କାର ପ୍ରାପ୍ତ ହୋଇଛି। ଉପ ରାଷ୍ଟ୍ରପତିଙ୍କଠାରୁ ଏହି ଚିତ୍ରର ପ୍ରଯୋଜକ କୁମାର ଶ୍ରୀଦେବ ମହାପାତ୍ର ଓ ନିର୍ଦେଶକ ସବ୍ୟସାଚୀ ମହାପାତ୍ର ପୁରସ୍କାର ଗ୍ରହଣ କରିଛନ୍ତି। ପ୍ରତିକ୍ରିୟାରେ ନିର୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି, ଏହି ସଫଳତାର ଶ୍ରେୟ ରାଜ୍ୟବାସୀ ତଥା ‘ଶଲାବୁଢ଼ାର ବଦ୍‌ଲା’ ଟିମ୍‌କୁ ଦେବି। ‘ଶଲାବୁଢ଼ା’ ସିରିଜ୍‌ର ୩ଟି ଯାକ ଚିତ୍ର- ଶଲାବୁଢ଼ା, ଆଦିମ ବିଚାର ଓ ଶଲାବୁଢ଼ାର ବଦ୍‌ଲା ଜାତୀୟ ପୁରସ୍କାର ପ୍ରାପ୍ତ ହେବା ଉଲ୍ଲେଖନୀୟ।
ସେହିପରି ଜାତୀୟସ୍ତରରେ ପୁରସ୍କୃତ ହୋଇଥିବା ନିର୍ମାତା-ନିର୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’ ମଧ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଛି। ଜଳବାୟୁ ପରିବର୍ତ୍ତନ ପୃଷ୍ଠଭୂମି ଉପରେ ଏହି ଚିତ୍ର ଆଧାରିତ। ଏହି ପୁରସ୍କାର ପ୍ରାପ୍ତ ହେବା ପରେ ନୀଳମାଧବ ଟ୍ବିଟ୍‌ କରି କହିଛନ୍ତି, ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଏହି ସମ୍ମାନ ମୁଁ ପୃଥିବୀ ମା’ଙ୍କୁ ଉତ୍ସର୍ଗ କରୁଛି।
ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ରର ଅନନ୍ୟ ସଂସ୍କୃତି ସାହିଯାତକୁ ନେଇ ନିର୍ମିତ ୩୫ ମିନିଟ୍‌ ଅବଧିର ପ୍ରାମାଣିକ ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ପାଇଁ ନିର୍ଦେଶକ ଆଶୁତୋଷ ପଟ୍ଟନାୟକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଏହା ପୂର୍ବରୁ ମସ୍କୋରେ ଇକୋ ଫିଲ୍ମ ଫେଷ୍ଟିଭାଲ ସମେତ ବିଭିନ୍ନ ଉତ୍ସବରେ ଏହି ଚିତ୍ର ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି।
ଏହି ସଫଳତା ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଟ୍ବିଟ୍‌ କରି ସମସ୍ତ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରୋକ୍ତ ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାର ଓ ନିର୍ଦେଶକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ବିଟ୍‌ କରି କହିଛନ୍ତି, ୩ଟି ଯାକ ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିବା ଓଡ଼ିଶା ପାଇଁ ଗୌରବର ବିଷୟ। ସେ ମଧ୍ୟ ଦାଦାସାହେବ ଫାଲ୍‌କେ ସମ୍ମାନରେ ସମ୍ମାନିତ ହୋଇଥିବା ବିଶିଷ୍ଟ ଅଭିନେତା ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories