ନ୍ୟୁୟର୍କ : ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚମ୍ପିଆନ୍ସିପ ୟୁଏସ୍ ଓପନ୍ରେ ଜଣେ ନୂଆ ଚମ୍ପିଆନ୍ଙ୍କ ଆବିର୍ଭାବ ଘଟିଛି। ୨ୟ ସିଡ୍ ଋଷିଆର ଡାନିଲ ମେଡ୍ଭେଡେଭ୍ ୨୦୨୧ ୟୁଏସ୍ ଓପନରେ ପୁରୁଷ ଏକକ ବା ସିଙ୍ଗଲ୍ସ ଚମ୍ପିଆନ୍ ହୋଇଛନ୍ତି। ରବିବାର ରାତିରେ ଖେଳା ଯାଇଥିବା ଫାଇନାଲରେ ବିଶ୍ବର ୧ନଂ ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିକ୍ଙ୍କୁ ୬-୪, ୬-୪, ୬-୪ ସେଟ୍ରେ ମେଡ୍ଭେଡେଭ୍ ପରାସ୍ତକରି ଜୀବନରେ ପ୍ରଥମଥର ଏକ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍ସ ମୁକୁଟ ପିନ୍ଧି ପାରିଛନ୍ତି। ମେଡ୍ଭେେଡଭ୍ ଏହି ଫାଇନାଲ ଜିତିବା ସହ ଜୋକୋଭିକ୍ଙ୍କୁ ବିଶ୍ବ କୀର୍ତ୍ତିମାନ ୨୧ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍ସ ଟାଇଟଲ ଜିତିବାରୁ ବଞ୍ଚିତ କରିଛନ୍ତି। ପୁଣି ଜୋକୋଭିକ୍ ୫୨ ବର୍ଷ ପରେ ଗୋଟିଏ ବର୍ଷରେ ସମସ୍ତ ୪ଟି ଗ୍ରାଣ୍ଡସ୍ଲାମ୍ ବିଜୟୀ ହେବା ବା କ୍ୟାଲେଣ୍ଡର ସ୍ଲାମ୍ ହାସଲ କରିବାରୁ ମଧ୍ୟ ବିଫଳ ହୋଇଛନ୍ତି।
କେବଳ କ୍ୟାଲେଣ୍ଡର ସ୍ଲାମ୍ ନୁହେଁ; ଫାଇନାଲରେ ଜିତିଥିଲେ ଏହା ଜୋକୋଭିକ୍ଙ୍କ ୨୧ତମ ଗ୍ରାଣ୍ଡ୍ସ୍ଲାମ୍ ସିଙ୍ଗଲ୍ସ ଟାଇଟଲ ହୋଇଥାଆନ୍ତା। ଫଳରେ ବିଶ୍ବରେ ସର୍ବାଧିକ ଗ୍ରାଣ୍ଡ୍ସ୍ଲାମ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିବାର କୀର୍ତ୍ତିମାନ ଜୋକୋଭିକ୍ ହାସଲ କରିଥାଆନ୍ତେ। ଏବେ ରଜର ଫେଡେରର ଓ ରାଫେଲ ନାଦାଲଙ୍କ ସହ ଜୋକୋଭିକ୍ ୨୦ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍ସ ଟାଇଟଲ ଜିତି ମିଳିତଭାବେ ଶୀର୍ଷରେ ରହିଛନ୍ତି। ୩୪ ବର୍ଷ ବୟସ୍କ ଫାଇନାଲରେ ଅଧିକ ତ୍ରୁଟିପୂର୍ଣ୍ଣ ଟେନିସ୍ ଖେଳିଥିଲେ। ଫାଇନାଲରେ ୩୮ଟି ତ୍ରୁଟିପୂର୍ଣ୍ଣ ସଟ୍ ଖେଳିବା ଜୋକୋଭିକ୍ଙ୍କ ପରି ମହାନ୍ ଖେଳାଳିଙ୍କ ପାଇଁ ଅସ୍ବାଭାବିକ ଥିଲା। ଜୋକୋଭିକ୍ ନିରାଶା ଓ କ୍ରୋଧରେ ୩ ଥର ରାକେଟ୍କୁ ବାଡ଼େଇ ଭାଙ୍ଗି ଦେଇଥିଲେ ଏବଂ ଅମ୍ପାୟାର ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ। ଅନ୍ୟପକ୍ଷରେ ଚଳିତବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ମେଡ୍ଭେଡେଭ୍ଙ୍କୁ ନୋଭାକ୍ ଜୋକୋଭିକ୍ ହିଁ ପରାସ୍ତ କରିଥିଲେ। ଏଠାରେ ଜିତି ମେଡ୍ଭେଡେଭ୍ ଉକ୍ତ ପରାଜୟର ପ୍ରତିଶୋଧ ନେଇ ପାରିଛନ୍ତି। ୩ ଥର ୟୁଏସ୍ ଓପନ୍ ଜିତିଥିବା ନୋଭାକ୍ ଜୋକୋଭିକ୍ ଜୀବନର ୩୧ତମ ଗ୍ରାଣ୍ଡସ୍ଲାମ୍ ଫାଇନାଲ ଖେଳିଥିଲେ ହେଁ ଶେଷ ପାହାଚକୁ ଚଢ଼ି ପାରିନାହାନ୍ତି। ୨୦୨୧ରେ ଗ୍ରାଣ୍ଡସ୍ଲାମ୍ରେ ୨୧ଟି ମ୍ୟାଚ୍ ଜିତି ଗୋଟିଏ ମଧ୍ୟ ମ୍ୟାଚ୍ ହାରିନଥିଲେ ଜୋକୋଭିକ୍। ଚଳିତବର୍ଷର ସମସ୍ତ ୩ଟି ଗ୍ରାଣ୍ଡସ୍ଲାମ୍ ଜିତିଥିବା ଜୋକୋଭିକ୍ ଏହି ଫାଇନାଲ ମ୍ୟାଚ୍ ଜିତିଥିଲେ ୧୯୬୯ରେ ଅଷ୍ଟ୍ରେଲିଆର ରଡ୍ ଲେଭରଙ୍କ ପରେ କ୍ୟାଲେଣ୍ଡର ସ୍ଲାମ୍ ହାସଲ କରି ପାରିଥାଆନ୍ତେ। ଫାଇନାଲ ମ୍ୟାଚ୍ ଜିତିବାକୁ ଟପ୍ ସିଡ୍ ଜୋକୋଭିକ୍ ମଧ୍ୟ ବଡ଼ ଦାବିଦାର ଥିଲେ। ହେଲେ ୨ୟ ସିଡ୍ ଡାନିଲ ମେଡେ୍ଭେେଡଭ୍ ମ୍ୟାଚ୍କୁ ଏକତରଫା କରି ଏହାକୁ ୩ଟି ସେଟ୍ରେ ଜିତି ନେଇଥିଲେ। ଫାଇନାଲରେ ଜୋକୋଭିକ୍ ଆଶା ଅନୁସାରେ ଖେଳି ପାରିନଥିଲେ। ଚଳିତବର୍ଷ ୪ର୍ଥ ଗ୍ରାଣ୍ଡସ୍ଲାମ୍ରେ ଏହା ଜୋକୋଭିକ୍ଙ୍କ ପ୍ରଥମ ପରାଜୟ।
ୟୁଏସ୍ ଓପନ୍ ଟେନିସ୍ : ମେଡ୍ଭେଡେଭ୍ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍ ମୁକୁଟ
Popular Categories



