ଆଠଗଡ : ଆଠଗଡ ସହରର ବୀରକିଶୋରପୁର ଛକ ନିକଟବର୍ତ୍ତୀ ୬୫ନଂ ରାଜ୍ୟ ରାଜପଥରର ଦକ୍ଷିଣ ପାଶ୍ୱର୍ରେ ୨-୩ଜଣ ଲୋକ ନାଳକୁ ଜବରଦଖଲ କରି ତା ଉପରେ ସ୍ଥାୟୀ ନିର୍ମାଣ କରିଥିବାରୁ ବର୍ଷାଜଳ ନିଷ୍କାସନ ହୋଇନପାରି ଲୋକଙ୍କ ଘରେ ପାଣି ପଶିବା ଖବର ରବିବାର ଦିନ ‘ସମାଜ’ରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏହି ମନୁଷ୍ୟକୃତ ଅବରୋଧ ଯୋଗୁଁ ପାଖ ଅଞ୍ଚଳରେ ଘରକରି ରହୁଥିବା ଲୋକଙ୍କ ଘର ଓ ପରିସରରେ ୨-୩ ଫୁଟ ଲେଖାଏଁ ପାଣି ଜମାହୋଇ ରହିବା ଫଳରେ ସେମାନେ ଏକରକମ ଜଳବନ୍ଦୀ ଅବସ୍ଥାରେ ରହୁଥିଲେ । ‘ସମାଜ’ରେ ଖବର ପ୍ରକାଶନ ପରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ସୋମବାର ସକାଳେ ତହସିଲଦାର ତପନ କୁମାର ଖୁଣ୍ଟିଆ, ସହକାରୀ ଉପଜିଲ୍ଲାପାଳ ସାରଦାକାନ୍ତି ଦଳାଇ ଓ ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଅନ୍ୟାନ୍ୟ କର୍ମଚାରୀ ଓ ପୁଲିସଙ୍କ ଉପସ୍ଥିତିରେ ନାଳରୁ ଜେସିବି ଯନ୍ତ୍ର ଦ୍ୱାରା ଜବରଦଖଲ ଉଚ୍ଛେଦ କରିଥିଲେ। ଫଳରେ ଉକ୍ତ ରାସ୍ତାକଡ ପ୍ରାକୃତିକ ନୟନଜୋରୀରେ ସ୍ୱଭାବିକ ଭାବେ ଜଳ ନିଷ୍କାସନ ହେବା ପରେ ସ୍ଥାନୀୟ ବାସିନ୍ଦା ଆଶ୍ୱସ୍ତି ପ୍ରକାଶ କରିଥିଲେ । ସେହିପରି ଚାନ୍ଦବାଲି ଛକଠାରୁ ବୀରକିଶୋରପୁର ପର୍ଯ୍ୟନ୍ତ ଦକ୍ଷିଣ ପାଶ୍ୱର୍ରେ ରହୁଥିବା ପ୍ରାୟ ୩୦ରୁ ଅଧିକ ଲୋକଙ୍କ ଘରେ ୨-୩ଫୁଟ ଉଚ୍ଚର ବର୍ଷାଜଳ ପଶିବା ଫଳରେ ଲୋକେ ଅକଥନୀୟ ଦୁର୍ଦଶା ଭୋଗୁଥିଲେ। ସେହି ଅଞ୍ଚଳର ଲୋକଙ୍କ ଘର ପଛପଟେ ଏକ ପ୍ରାକୃତିକ ନାଳ ରହିଥିଲା, ଯେଉଁଥିଲେ ମୁଣ୍ଡିଆ ଅଞ୍ଚଳରୁ ଗଡିଆସୁଥିବା ବର୍ଷାଜଳ ନିଷ୍କାସିତ ହୋଇପାରୁଥିଲା ।

ତେବେ କିଛି ଜମି ଦଲାଲ ସେଠାରେ ଜମି ପ୍ଲଟିଂ କରି ବିକିବା ବେଳେ ପ୍ରାକୃତିକ ନାଳକୁ ପୋତିବା ସହ ପାଚେରୀ ଦ୍ୱାରା ଅବରୋଧ କରିଦେଇଛନ୍ତି । ନିୟମ ଅନୁଯାୟୀ ସରକାରୀ ହେଉ ଅବା ଘରୋଇ ଜମିରେ ଥିବା ପ୍ରାକୃତିକ ନାଳକୁ କୌଣସି ଅବସ୍ଥାରେ ପୋତାଯାଇ ପାରିବନାହିଁ । କିନ୍ତୁ ଏଠାରେ ତାର ବ୍ୟତିକ୍ରମ ଦେଖାଯାଇଛି । ପ୍ରାକୃତିକ ନାଳକୁ ପୋତିବା ଓ ପାଚେରୀଦ୍ୱାରା ଅବରୋଧ କରିବା ଫଳରେ ମୁଣ୍ଡିଆ ଅଞ୍ଚଳରୁ ଗଡିଆସୁଥିବା ପାଣି ନିଷ୍କାସିତ ହୋଇନପାରି ଲୋକମାନଙ୍କ ଘରେ ବର୍ଷାଜଳ ଲହଡି ମାରୁଛି। ଏ ସଂପର୍କରେ ଦୁର୍ଦିନରେ ଥିବା ଲୋକମାନେ ଉପଜିଲ୍ଲାପାଳ ଓ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଜାଗାରେ ଅବରୋଧ କରୁଥିବା ପାଚେରୀକୁ ଏନଏସି କର୍ତ୍ତୃପକ୍ଷ ଜେସିବି ଯନ୍ତ୍ର ଦ୍ୱାରା ଭାଙ୍ଗିବା ପରେ ଜଳ ନିଷ୍କାସିତ ହୋଇଥିଲା। ତେବେ ସେହି ସ୍ଥାନରେ ପୂର୍ବରୁ ରହିଥିବା ପ୍ରାକୃତିକ ନାଳକୁ କିପରି ପୁର୍ନରୁଦ୍ଧାର କରି ସ୍ଥାୟୀ କଂକ୍ରିଟ ନାଳ ନିର୍ମାଣ କରାଯିବ ସେ ଦିଗରେ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ପଦକ୍ଷେପ ନେବାକୁ ଦାବି ହେଉଛି। ନଚେତ ପ୍ରତିବର୍ଷ ଏହିଭଳି ବିଷମୟ ସମସ୍ୟା ସୃଷ୍ଟି ହେଉଥିବ ବୋଲି ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି।



