www.samajalive.in
Monday, December 8, 2025
27.1 C
Bhubaneswar

ଫଡ଼ିରୁ ୭ଲକ୍ଷ ଟଙ୍କାର କେନ୍ଦୁପତ୍ର ଚୋରି ଘଟଣା : ୭ ଆନ୍ତଃ ଜିଲା ଡକାୟତ ଗିରଫ, ଟ୍ରକ୍‌ ଜବତ

ମ.ରାମପୁର : କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଏକାତରା କେନ୍ଦୁପତ୍ର ଫଡ଼ିରୁ ଅଗଷ୍ଟ ୨୯ ତାରିଖ ବିଳମ୍ବିତ ରାତିରେ ୭ ଲକ୍ଷ ଟଙ୍କାର କେନ୍ଦୁପତ୍ର ଚୋରି ଘଟଣା ଉପରୁ ପରଦା ହଟାଇଛି ମ.ରାମପୁର ପୁଲିସ । ଏହି ମାମଲାରେ ତଦନ୍ତ କରି ପୁଲିସ ସମ୍ବଲପୁର ମୋତିଝରନର ମହମ୍ମଦ ଖୁର୍ସିଦ ଅଲ୍ଲୀ, ତରଭାର ଦେବରାଜ କଅଁର, ଗୋବିନ୍ଦ ମଲ୍ଲିକ, ସମ୍ବଲପୁର ଅଇଁଠାପାଲିର ଗୋବିନ୍ଦ ମେହେର, ଧନୁପାଲିର ମହମ୍ମଦ ଅବଦୁଲ ହସନ ଖାଁ, ତରଭାର ମନୋଜ ଷଣ୍ଢ, ଏବଂ ନର୍ଲା ବ୍ଲକ ଭାଟେଲର ନେପାଳ ମାଝୀଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ।

ସୂଚନା ମୁତାବକ କେସିଙ୍ଗା କେନ୍ଦୁପତ୍ର ରେଞ୍ଜ ତଥା କର୍ଲାମୁଣ୍ଡା ବ୍ଲକ ଏକାତରା କେନ୍ଦୁପତ୍ର  ଫଡ଼ିରୁ ଅଗଷ୍ଟ ୨୯ ତାରିଖରେ କିଛି ଦୁବୁର୍ତ୍ତ ଆସି ପିସ୍ତଲ ଦେଖାଇ ଏକ ଟ୍ରକ୍‌ ସାହାଯ୍ୟରେ ୯ଲକ୍ଷ ଟଙ୍କା ମୂଲ୍ୟର ୪୦ ବସ୍ତା ଓ ତିନି ବଣ୍ଡଲ କେନ୍ଦୁପତ୍ର ଚୋରି କରି ନେଇଥିଲେ। ଏ ନେଇ ଉକ୍ତ ରେଞ୍ଜ ଦାୟିତ୍ୱରେ ଥିବା ଦୈତାରି ନାଏକ ମ.ରାମପୁର ଥାନାରେ ସେହିଦିନ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ୧୨ରୁ ୧୫ଜଣ ବ୍ୟକ୍ତି ଫଡ଼ିକୁ ଆସି ପିସ୍ତଲ ସହିତ ଅନ୍ୟ ମାରଣାସ୍ତ୍ର ଦେଖାଇ ଚୋରି କରି ନେଇଥିଲେ। ତଦନ୍ତ ସମୟରେ ଜଣାପଡ଼ିଲା ଯେ କିଛି ବ୍ୟକ୍ତି ବିଡ଼ି ତିଆରି ପାଇଁ ଏଭଳି କେନ୍ଦୁପତ୍ର ଚୋରି କରନ୍ତି । ସେମାନେ ବିଭିନ୍ନ ଅସାଧୁ ବିଡ଼ି ବ୍ୟବସାୟୀଙ୍କୁ ଏହା ଯୋଗାଇଥାନ୍ତି । ବିଶେଷକରି ଚୋରି ପରେ ଏହି କେନ୍ଦୁପତ୍ର ଗାଡ଼ିରେ ଅଥବା ରେଳ ଯୋଗେ ପଶ୍ଚିମବଙ୍ଗକୁ ଯାଇଥାଏ । ପ୍ରଥମେ ସମ୍ବଲପୁର ଜିଲା ଧନୁପାଲି ଥାନା ମୋତିଝରନର ମହମ୍ମଦ ଖୁର୍ସିଦ ଅଲ୍ଲୀ ପ୍ରାୟ ୩ ବର୍ଷ ହେଲା ଏହି କାମ କରି ଆସୁଛନ୍ତି । ସେ ନିଜ ଦଳରେ ଅନ୍ୟ କିଛି ଲୋକଙ୍କୁ ସାମିଲ କରି ଏହି କାରବାର କରି ଆସୁଛନ୍ତି । ପରେ ଜଣାଗଲା ଯେ ସୋନପୁର ଜିଲା ତରଭା ଥାନାର ଦେବରାଜ କଅଁର ମଧ୍ୟ ଏହି ସମାନ କାମରେ ଗତ କିଛିବର୍ଷ ହେଲା ଜଡ଼ିତ ରହିଛି । ସେ ବଲାଙ୍ଗୀର, ବୌଦ୍ଧ ଏବଂ ସୋନପୁର ଜିଲାରେଏହି କାରବାର ଚଳାଇ ଆସୁଛି । ଦେବରାଜର ଅନେକ ସହଯୋଗୀ ରହିଛନ୍ତି, ଯେଉଁମାନେ କେନ୍ଦୁପତ୍ର ଫଡ଼ି ଗୁଡ଼ିକ ଉପରେ ନଜର ରଖିଥାନ୍ତି ଏବଂ ବିଭିନ୍ନ ଦିଗରୁ ଚୋରି କରିନେବାରେ ସୁବିଧା ହେଉଥିବା କେନ୍ଦୁପତ୍ର ଫଡ଼ିଗୁଡ଼ିକର ଚିହ୍ନଟ କରି ସେମାନେ ଦେବରାଜ ଜରିଆରେ ମହମ୍ମଦ ଖୁର୍ସିଦକୁ ଖବର ଦେଇଥାନ୍ତି । ପରେ ସେମାନେ ସମ୍ବଲପୁର ଦେଇ ପଶ୍ଚିମବଙ୍ଗକୁ ଚୋରି କେନ୍ଦୁପତ୍ର ପଠାଇଥାନ୍ତି । ତେବେ ଡକାୟତିର ପ୍ରାୟ ୧୫ଦିନ ପୂର୍ବରୁ ଦେବରାଜ କଅଁର, ମିଲୁ ଭୋଇ ଏବଂ ଲକ୍ଷ୍ମୀଚରଣ ସାହୁ ନେପାଳ ମାଝୀଙ୍କ ସହାୟତାରେ ଯୋରାଡ଼ୋବରା, ପଲମ ଏବଂ ଏକାତରା ଫଡ଼ି ଦେଖିଥିଲେ। ପରେ ସେମାନେ ଏକାତରା ଫଡ଼ିକୁ ଉପଯୁକ୍ତ ମନେକରି ଖୁର୍ସିଦକୁ ଖବର ଦେଇଥିଲେ । ତିନିଜଣ ବାଇକ୍‌ରେ ଯାଇ ଫଡ଼ି ପାଖରେ ପହଞ୍ଚିବା ପରେ ଟ୍ରକ ନେଇଥିଲେ ଏବଂ କେନ୍ଦୁପତ୍ର ବୋଝେଇ କରି ଫେରାର ମାରିଥିଲେ ।

- Advertisement -

ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ଉପ ଆରକ୍ଷୀ ଅଧୀକ୍ଷକ ଅଭିଷେକ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମ.ରାମପୁର ଥାନାଧିକାରୀ ସତ୍ୟ ନାରାୟଣ ପ୍ରଧାନ, ତଦନ୍ତ ଅଧିକାରୀ ଜୟଦେବ ତାରିଣୀ ଘଟଣାର ଆରମ୍ଭରୁ ଏଯାଏଁ ଉପଯୁକ୍ତ ତଦନ୍ତ କରି ଡକାୟତମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories