ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ ପ୍ରଚଳିତ ରହିଛି । ପରମ୍ପରା ନାମରେ କିଶୋରୀ ବାଳିକାମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ । ପରିପକ୍ଵ ବୟସ ପୂର୍ବରୁ ମାତୃତ୍ଵ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା । ତେବେ ଜିଲ୍ଲା ରେ ଏହି ଭଳି କୁତ୍ସିତ ପ୍ରଥାର ବିଲୋପ ପାଇଁ ଜିଲ୍ଲାପ୍ରଶାସନ ତରଫରୁ ତପ୍ତରତା ପ୍ରକାଶ ପାଇଛି । ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଆରମ୍ଭ କରିଛନ୍ତି ଅନ୍ଵେଷା ଅଭିଯାନ । ସମଗ୍ର ନବରଙ୍ଗପୁର ଜିଲ୍ଲାକୁ ୨୦୨୪ ମସିହା ସୁଧା ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ଏହି ଅନ୍ଵେଷା ଅଭିଯାନ ମାଧ୍ୟମରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଶିଶୁ ସୁରକ୍ଷା ୟୁନିଟି, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନା ବଦ୍ଧ କାର୍ୟ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହକୁ ବନ୍ଦ କରାଯାଇବା ନିମନ୍ତେ ପ୍ରୟାସ ଜାରି ରହିଛି ।
ବିଶେଷ କରି ଗ୍ରାମ ଗୁଡିକରେ ଜାତି ସମାଜର ମୁଖିଆ, ସରପଞ୍ଚ, ୱାର୍ଡମେମ୍ବର, ସ୍ବଂସହାୟକ ଦଳମାନଙ୍କ ସହିତ ବାଲ୍ୟ ବିବାହର କୁପରିଣାମ ବୈଠକ , ବାଲ୍ୟବିବାହ ମୁକ୍ତ ଗ୍ରାମ ଗଠନ ଓ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ମାସର ସମସ୍ତ ଶନିବାର ଦିନ କିଶୋରୀ ମାନଙ୍କର ବୈଠକ କରାଯାଇ ନାବାଳିକା ବିବାହର କୁପରିଣାମ , ରକ୍ତ ହୀନତା ର ମୁକାବିଲା , ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଲୋହସାର ବଟିକା କୁ କିଶୋରୀ ମାନେ ସେବନ କରିବାକୁ ଦିଆଯାଉଛି । ଏହାର ପ୍ରଭାବରେ ଗ୍ରାମଗୁଡିକରେ ଜାତି ସମାଜର ମୁଖିଆ , ସରପଞ୍ଚ, ୱାର୍ଡମେମ୍ବର, ସ୍ବଂସହାୟକ ଦଳ ମାନେ ଜିଲ୍ଲାର ବିଭିନ୍ନ ଗ୍ରାମଗୁଡିକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ସିଡିପିଓଙ୍କ ଜରିଆରେ ଆବେଦନ କରିବାପରେ, ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲାର ମୋଟ ୨୮୧ ଟି ଗ୍ରାମକୁ ଆନୁଷ୍ଟାନିକ ଭାବରେ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରିଛନ୍ତି । ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଗତବର୍ଷ ନଭେମ୍ବର ମାସରେ ୫ଟି ଗ୍ରାମ, ଚଳିତ ବର୍ଷ ଏପ୍ରିଲ ମାସରେ ୪୭ ଗ୍ରାମ, ମେ ମାସରେ ୩୬ ଗ୍ରାମ, ଜୁଲାଇ ମାସରେ ୮୪ ଟି ଓ ଅଗଷ୍ଟ ୧୦୯ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଅଦ୍ୟାବଧି ଘୋଷଣା କରାଯିଛି । ସେଥିମଧ୍ୟରୁ ପାପଡାହାଣ୍ଡି ବ୍ଲକ ରେ ୧୩୦ଟି ଗାଁ, ଝରିଗ୍ରାମ ବ୍ଲକ ରେ ୧୫ ଟି ଗାଁ, ନବରଙ୍ଗପୁର ବ୍ଲକ ରେ ୧୪ ଟି ଗାଁ, ନନ୍ଦହାଣ୍ଡି ବ୍ଲକରେ ୭ଟିଗାଁ, କୋଷାଗୁମୁଡା ବ୍ଲକରେ ୧୪ଟି ଗାଁ, ଡାବୁଗ୍ରାମ ବ୍ଲକ ରେ ୧୬ଟି ଗାଁ, ଉମରକୋଟ ବ୍ଲକ ରେ ୩୯ ଟି ଗାଁ ଓ ରାଇଘର ବ୍ଲକ ରେ ୪୬ ଟି ଗାଁ ଗ୍ରାମ ଅନ୍ତର୍ଭୁକ୍ତ ଅଟେ।



