ଜମ୍ମୁ: ପାକିସ୍ତାନ ପଟୁ ଭାରତରେ ଡ୍ରୋନ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଜୁନ୍ ୨୭ ତାରିଖରେ ଦୁଇଟି ଡ୍ରୋନ ସହାୟତାରେ ଏଠାରେ ଥିବା ଭାରତୀୟ ବାୟୁସେନା ସ୍ଥଳ ଉପରେ ଆକାଶି ଆକ୍ରମଣ କରାଯିବା ଏବଂ ସେଥିରେ ବାୟୁସେନା ସ୍ଥଳ ଏକ ଘର କ୍ଷତିଗ୍ରସ୍ତ ହେବା ଏବଂ ଦୁଇଜଣ ଯବାନ ଆହତ ହେବା ପରଠାରୁ କ୍ରମାଗତ ଭାବେ ଜମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଡ୍ରୋନ ଉଡାଣ କରିବାରେ ଲାଗିଛି। ଗତ ବୁଧବାର ଏଠାରେ ଥିବା ସେହି ବାୟୁସେନା ସ୍ଥଳର ପ୍ରାୟ ୩ କିଲୋମିଟର ଉପରେ ଏକ ଡ୍ରୋନକୁ ଠାବ କରାଯିବା ପରେ ଗତକାଲି ଅର୍ଥାତ ଗୁରୁବାର ଜମ୍ମୁ କାଶ୍ମୀରର ଚାରିଟି ଭିନ୍ନ ଭିନ୍ନ ସ୍ଥାନରେ ଚାରିଟି ଡ୍ରୋନ ଠାବ କରାଯାଇଛି। ଏହି ଡ୍ରୋନ ଗୁଡିକ ସାମ୍ବା ଓ ଜମ୍ମୁ ଅଞ୍ଚଳରେ ଠାବ କରାଯାଇଥିବା ଜଣେ ସରକାରୀ ପ୍ରବକ୍ତା କହିଛନ୍ତି।
ଜୁନ ୨୭ ଆକ୍ରମଣ ଘଟଣା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୯ ତାରିଖରେ ଡ୍ରୋନ ଦ୍ୱାରା ସୃଷ୍ଟି ହୋଇଥିବା ବିପଦର ମୁକାବିଲା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ଏହାପରେ ଡିଆରଡିଓ ନିକଟରେ ଏଭଳି ଡ୍ରୋନ ଠାବକାରୀ ଏବଂ ତାହାକୁ ନିଷ୍କ୍ରିୟ କରିବା ପ୍ରଯୁକ୍ତି ରହିଥିବା କୁହାଯାଇଥିଲା। ଇତିମଧ୍ୟରେ ନିରାପତ୍ତା ବାହିନୀ ପକ୍ଷରୁ କୁହାଯାଇଛି ଯେ ଗୁରୁବାର ରାତିରେ ଚାରିଟି ଡ୍ରୋନ ପୃଥକ ପୃଥକ ସ୍ଥାନରେ ଠାବ କରାଯିବା ପରେ ସେଗୁଡିକୁ ଲକ୍ଷ୍ୟକରି ଭାରତୀୟ ଯବାନମାନେ ଗୁଳି ଚଳାଇଥିଲେ।



