Patra electronics

ପ୍ରଥମ ମହଲା ପାଇଖାନାରେ ଗୋଧି : ଦୁଇ ଦିନ ଯାଏଁ ଭୟରେ ପରିବାର

ଭୁବନେଶ୍ବର : ପୁରୁଣାଭୁବନେଶ୍ବର ଲିଙ୍ଗରାଜ ହାଟ ପଛପଟେ ଭଡ଼ାରେ ରୁହୁଥିବା ପବିତ୍ର ବେହେରାଙ୍କ ପରିବାର ଦୁଇ ଦିନ ହେଲା ଭୟଭୀତ ଅବସ୍ଥାରେ ରହୁଥିଲେ। ପ୍ରଥମ ମହଲାରେ ତାଙ୍କ ପରିବାର ରହୁଥିଲେ ମଧ୍ୟ ଗତକାଲି ପାଇଖାନା ଘର ଭିତରୁ ଖଡ଼ ଖାଡ଼ ଶବ୍ଦ ଶୁଭିଥିଲା। ସନ୍ଦେହରେ କବାଟ ଖୋଲି ଦେଖିବା ବେଳେ ଭିତରେ ଏକ ବିରାଟ ଗୋଧି। ପରିବାର ଲୋକେ ଘର ଭିତରେ ଗୋଧି ଦେଖି ଡରି ଯାଇଥିଲେ। ଗୋଧି ପାଇଖାନା ପ୍ୟାନ୍ ଭିତରେ ପଶି ଲୁଚି ଯାଇଥିଲା। ଖବର ପାଇ ସ୍ନେକ୍‌ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପହଞ୍ଚି ଗୋଧିଟିକୁ ଧରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେ ଖସିଯିବା ଲାଗି ଚେଷ୍ଟା କରିଥିଲା। ଏକ ରଶିରେ ଗୋଧିର ଲାଞ୍ଜକୁ ବାନ୍ଧି ଦେଇଥିଲେ ଶୁଭେନ୍ଦୁ। ବ୍ଲିଚିଂ ପାଉଡର ସହିତ ଉଷୁମ ପାଣି ପକାଇଲେ ମଧ୍ୟ ବାହାରି ନ ଥିଲା। ଅଧିକ ସମୟ ଧରି ଲାଞ୍ଜ ବନ୍ଧା ହୋଇ ରହିବା ଫଳରେ ପ୍ରାୟ ୪ଘଣ୍ଟା ପରେ ଗୋଧି ପାଇଖାନା ପ୍ୟାନ୍‌ରୁ ବାହାରି ଗାଧୁଆ ଘର ଭିତରେ ବୁଲିବାକୁ ଲାଗିଲା। ସୁଯୋଗ ଦେଖି କବାଟ ଖୋଲି ଶୁଭେନ୍ଦୁ ରଶିକୁ ଭିଡ଼ି ଧରିବା ଫଳରେ ଗୋଧି ଆଉ ପ୍ୟାନ୍‌ ଦେଇ ଖସି ଯିବାକୁ ଉଦ୍ୟମ କରି ପାରି ନ ଥିଲା। ଏକ ଜରି ଅଖାରେ ତାକୁ ନେଇ ଭୁବନେଶ୍ବର ଉପକଣ୍ଠର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି।

Comments are closed.