କଟକ: ହକି ଓଡ଼ିଶା ଓ ହକି ଇଣ୍ଡିଆ ବିବାଦ ଦିନକୁ ଦିନ ଘନାଇବାରେ ଲାଗିଛି। ଓଡ଼ିଶା ହକିକୁ ପରିଚାଳନା କରିବା ଲାଗି ହକି ଇଣ୍ଡିଆ ଗଠନ କରିଛି ଆଡ୍ ହକ୍ କମିଟି। ୫ ଜଣିଆ ଆଡହକ୍ କମିଟିରେ ଝାଡଖଣ୍ଡର ପୂର୍ବତନ କୁସ୍ତି ଖେଳାଳି ଅଧ୍ୟକ୍ଷ ରହିଥିବା ବେଳେ ଓଡ଼ିଶାରୁ ୪ ସଦସ୍ୟ ରହିଛନ୍ତି। ସଦସ୍ୟ ଭାବେ ଓଡ଼ିଶାରୁ ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ସମେତ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଅନୁ ସଚିବ ରାଜେନ୍ଦ୍ର ପାଣି, କ୍ରୀଡ଼ା ବିଭାଗର ଉପସଚିବ ଶୈଳେନ୍ଦ୍ର ଜେନାଙ୍କ ସମେତ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପ୍ରତିନିଧି ସଦସ୍ୟ ରହିଥିବା ଜଣାପଡ଼ିଛି। ଉକ୍ତ ଆଡ୍ ହକ୍ କମିଟି ଓଡ଼ିଶା ହକିର ପରିଚାଳନା ସମେତ ଖେଳାଳି ମନୋନୟନ ପ୍ରଭୃତି କାର୍ଯ୍ୟକରିବ।
ଅନ୍ୟପକ୍ଷରେ ରାଜ୍ୟ ସଂଘ ଭାବେ ହକି ଓଡ଼ିଶା ରହିଥିବା ବେଳେ ହକି ଇଣ୍ଡିଆ ଆଡ୍ ହକ୍ କମିଟି ଗଠନ କରିବା କେତେଦୂର ଯୁକ୍ତିଯୁକ୍ତ; ତାହାକୁ ନେଇ ଏବେ ସବୁ ମହଲରେ ପ୍ରଶ୍ନ ଉଙ୍କି ମାରିଛି। ହକି ଇଣ୍ଡିଆର ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ହକି ଓଡ଼ିଶା ଏ ନେଇ ଆଇନର ଆଶ୍ରୟ ନେବାକୁ ନିଷ୍ପତ୍ତି ନେଇଥିବା ବେଳେ ହକି ଇଣ୍ଡିଆ ଓଡ଼ିଶା ହକିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ଆରମ୍ଭ କରିଛି। ହକି ଓଡ଼ିଶା ରହିଥିବା ବେଳେ ଆଡ୍ ହକ୍ କମିଟି ଗଠନ କରିବା ଓ କମିଟିର ଅଧ୍ୟକ୍ଷ ଭାବେ ଝାଡ଼ଖଣ୍ଡର ବ୍ୟକ୍ତିଙ୍କୁ ଦାୟିତ୍ବ ଦେବାର କ’ଣ ଆବଶ୍ୟକତା ରହିଛି ବୋଲି ହକିପ୍ରେମୀ ପ୍ରଶ୍ନ କରିଛନ୍ତି।



