www.samajalive.in
Tuesday, December 9, 2025
17.1 C
Bhubaneswar

କମୁଛି ମାଟିପାତ୍ରର ଚାହିଦା, ଦୋ-ଛକିରେ କୁମ୍ଭକାର ପରିବାରର ଜୀବନଜୀବିକା 

ହରଭଙ୍ଗା: ଆଧୁନିକ ଯୁଗରେ ମଣିଷ ପାଦ ଥାପିବା ପରେ ମଣିଷର ଜୀବନଶୈଳୀରେ ଅନେକ ପରିବର୍ତନ ଘଟିଛି। ଆଧୁନିକତା ମୋହରେ ମଣିଷ ପୁରୁଣା ଜୀବନଶୈଳୀକୁ ଭୂଲିଯାଇ ପୁରାତନ ଯୁଗରେ ବ୍ୟବହୃତ ହେଉଥିବା ମାଟି ତିଆରି ସାମଗ୍ରୀ ପ୍ରତି ଆଉ ସେତେଟା ଆଗ୍ରହ ପ୍ରକାଶ କରୁନାହିଁ। ଯାହା ଫଳରେ କେଉଁ ପୁରାତନ ଯୁଗରୁ ବ୍ୟବହୃତ ହୋଇଆସୁଥିବା ମାଟି ମାଠିଆର ଥଣ୍ଡା ପାଣି, ମାଟିହାଣ୍ଡି ରନ୍ଧା ଖାଦ୍ୟର ସୁଆଦ ଏବଂ ବ୍ୟଞ୍ଜନକୁ ସମ୍ପୂର୍ଣ୍ଣ ପାସୋରି ପକାଇଲାଣି। ଏହା ଫଳରେ ଧିରେ ଧିରେ ମାଟି ତିଆରି ସାମଗ୍ରୀର ଚାହିଦା କମୁଥିବାରୁ ଏହି ସାମାଗ୍ରୀ ତିଆରିକରି ଜୀବନ ନିର୍ବାହ କରୁଥିବା କୁମ୍ଭାର ସଂପ୍ରଦାୟର ପରିବାର ଲୋକଙ୍କ ଜୀବନଜୀବିକା ଦୋ-ଛକିରେ ରହିଛି। ବୌଦ୍ଧ ଜିଲ୍ଲାର କଂଟାମାଳ, ହରଭଙ୍ଗା ଏବଂ ବୌଦ୍ଧ ବ୍ଲକ ଅଂଚଳରେ ପାଖାପାଖି ଆଠଶହରୁ ଉଦ୍ଧ୍ୱର୍ କୁମ୍ଭାର ପରିବାର ରହିଛନ୍ତି।

ଜିଲ୍ଲାର ହରଭଙ୍ଗା, ସୁରୁଣ୍ଡି, ଡିଆଁଘାଟ, ମହାଲ୍ଲିକପଡା, ବୁଲୁରା, ଭାଲିଆଗୋରା, ଖରଭୁଇଁ, ଲକ୍ଷ୍ମଣପୁର, ଛେଳିଲେଣ୍ଡି, ଆଡେଣିଗଡ, ଲଣ୍ଡ୍ରେଜୁର, ପୁରୁଣାକଟକ, ତିଲେଶ୍ୱର, ବୁରୁବୁଡା, ଶାକୁସିଙ୍ଗା, ମଥୁରା, ମାଉଲସିଙ୍ଗା, କରଡି, ଖଜୁରୀଆ, ତାକୁଡ, ବୀରନରସିଂହପୁର, ଚଣ୍ଡିପୁର, ଖଣ୍ଡବର, ଦେବଗଡ, ବନ୍ଧାପଥର, ଘୋରଡା, ଖଣ୍ଡହତା ଭଳି ଗ୍ରାମଗୁଡିକରେ ଅନେକ କୁମ୍ଭାର ପରିବାର ରହିଥିବା ଜଣାପଡିଛି। ମାଟି ତିଆରି ସାମଗ୍ରୀର ଚାହିଦା କମିବା ସତ୍ୱେ ନିଜର ପାରମ୍ପରିକ ବୃତିକୁ ଏମାନେ ଆଜିପର୍ଯ୍ୟନ୍ତ ବଞ୍ଚାଇରଖିବା ସହିତ ମାଟି ତିଆରି ସାମଗ୍ରୀ ବିକ୍ରୀକରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ବିଶେଷକରି ଏମାନଙ୍କଦ୍ୱାରା ତିଆରି ହେଉଥିବା ମାଟି ତିଆରି ସାମଗ୍ରୀ ମଧ୍ୟରୁ ଦୀପ, କଳସ, ହାଣ୍ଡି, ମାଠିଆ, ପଲମ, କୁମ୍ପି, ସରା, ଢୋଲ, ଘୁମ, ଦୀପଦାନୀ, ଝୁଣାଦାନୀ, ରୁଖା, ଡୁବିତାବଲା ଇତ୍ୟାଦି ଅନ୍ୟତମ। ଗ୍ରାମଞ୍ଚଳରେ ମାଟି ତିଆରି ମାଠିଆ, ହାଣ୍ଡି, ଦୀପ, କୁମ୍ପି, କଳସ, ରୁଖା, ପଲମ ଇତ୍ୟାଦିର ଚାହିଦା ଏକପ୍ରକାର ରହିଥିଲେ ମଧ୍ୟ ପରିଶ୍ରମ ଅନୁସାରେ ମାଟି ସାମଗ୍ରୀର ଦାମ ବହୁତ କମ୍ ଯୋଗୁଁ ଏହି ବୃତି ସେମାନଙ୍କ ଗୁଜୁରାଣ ମେଣ୍ଟାଇ ପାରୁନାହିଁ।

- Advertisement -

ଗ୍ରାମାଞ୍ଚଳରେ ମାଠିଆର ଦାମ ଅତିବେଶିରେ ୩୦ଟଙ୍କା, ହାଣ୍ଡି ଦଶ, ପନ୍ଦର, କୋଡିଏ, ଦୀପ ଏକଟଙ୍କା, କୁମ୍ପି, କଳସ ଛଅ ଟଙ୍କାରେ ସେମାନେ ବିକ୍ରୀ କରିଥାନ୍ତି। ମାଟି ତିଆରି ସାମଗ୍ରୀ ପାଇଁ ଭଲ ନଦୀମାଟି ସଂଗ୍ରହ କଲାପରେ ମାଟିରେ ପାଣିପକାଇ ଭିଜାଯାଇଥାଏ।ତାପରେ ମାଟିକୁ ପାଗକରି ଚକ ସାହାଯ୍ୟରେ ସେମାନେ ବିଭିନ୍ନ ପ୍ରକାର ମାଟି ସାମଗ୍ରୀ ତିଆରି କରିଥାନ୍ତି। ମାଟି ତିଆରି ସାମଗ୍ରୀ ତିଆରି ପରେ ତାକୁ ଏକ କାଠ ସାହାଯ୍ୟରେ ତାରିବା ସହିତ ହାଣ୍ଡି,ମାଠିଆ ଆକାରକୁ ତିଆରି କରାଯାଇଥାଏ। ଦୁଇ ତିନିଦିନ ସମସ୍ତ ସାମଗ୍ରୀକୁ ଖରାରେ ଶୁଖିଲାପରେ ତାକୁ ପୋଡାଯାଇଥାଏ। ଏପରି ମାଟି ସାମଗ୍ରୀ ତିଆରି କରିବା ପାଇଁ ଗୋଟିଏ ଗୋଟିଏ ପରିବାର ପାଂଚରୁ ସାତଦିନ କଠିନ ପରିଶ୍ରମ କରିଥାନ୍ତି।ଲଗାତର ଛଅରୁ ସାତଦିନ ପରିଶ୍ରମ ପରେ ମାଟି ସାମଗ୍ରୀ ତିଆରି ସଂପୂର୍ଣ୍ଣ ହୋଇଥାଏ।ଏହାସତ୍ୱେ ବର୍ତମାନ ଏହାର ଚାହିଦା ପୂର୍ବଭଳି ନଥିବାରୁ ବାହା ପୁଆଣୀ, ପର୍ବ ର୍ପର୍ବାଣୀରେ ଦୀପ, ସରା, କଳସ, ପଲମ ଆଦିର ଚାହିଦା ରହିଥିବାବେଳେ ଖରାଦିନେ ମାଠିଆ, ସୁରେଇର ଚାହିଦା ରହିଥାଏ। ସେହିପରି ମାଟିହାଣ୍ଡିର ଚାହିଦା ଅନ୍ୟଦିନମାନଙ୍କରେ ସେମିତି ରହିଥିବା କଥା କୁହନ୍ତି କୁମ୍ଭାର ପରିବାର ଲୋକେ। ବିଶେଷକରି ହରଭଙ୍ଗା ପଂଚାୟତର ଡିଆଁଘାଟ ଗ୍ରାମରୁ ମହାନଦୀରେ ଡଙ୍ଗା ସାହାଯ୍ୟରେ କଟକ ଜିଲ୍ଲାକୁ ପୂର୍ବରୁ ବହୁ ପରିମାଣରେ ହାଣ୍ଡି, ମାଠିଆ ନେବାପାଇଁ ବ୍ୟବସାୟୀ ଆସୁଥିଲେ। ଗତ କିଛିବର୍ଷ ହେଲା ମହାନଦୀର ଗତିପଥ ବଦଳିବା ସହିତ ମହାନଦୀ ଶଯ୍ୟା ବାଲିରେ ପୋତି ହୋଇପଡିବାରୁ ଏହି ବ୍ୟବସାୟରେ ପୂର୍ଣ୍ଣଛେଦ ପଡିଥିବା ଗ୍ରାମର ବାନାମ୍ବର ରଣା କହିଛନ୍ତି। ତାଙ୍କ କହିବାନୁସାରେ ବଡ ବଡ ଡଙ୍ଗାରେ କଟକରୁ ଆସୁଥିବା ବେପାରୀମାନେ ଗୋଟିଏ ଗୋଟିଏ ଡଙ୍ଗାରେ ପାଖାପାଖି ଦୁଇରୁ ତିନିହଜାର ହାଣ୍ଡି ବୋଝେଇ ହୋଇଥାଏ। ହାଣ୍ଡି ବୋଝେଇ ପାଇଁ ସେମାନଙ୍କୁ ୧୫ଦିନ ସମୟ ଲାଗିଥାଏ। କିନ୍ତୁ ନଦୀର ଗତିପଥ ବଦଳିଯିବା ଯୋଗୁଁ ବ୍ୟବସାୟରେ ପୂର୍ଣ୍ଣଛେଦ ପଡିବା ସହିତ ଜୀବନଜୀବିକାରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଯଦି ସରକାରଙ୍କ ପକ୍ଷରୁ ଆଧୁନିକ ଯୁଗରେ ପ୍ରଚଳିତ ହେଉଥିବା ରଙ୍ଗୀନ ଦୀପ, ରଙ୍ଗୀନ ମାଠିଆ, ଭଳି ଅତ୍ୟାଧୁନିକ ମାଟି ତିଆରି ସାମଗ୍ରୀ ପାଇଁ ସେମାନଙ୍କୁ ତାଲିମ ଦିଆଯାଏ ହୁଏତ ପୁରାତନ ପରମ୍ପରା ଆଗକୁ ବଂଚିରହିବା ସହିତ ନିଜ କୌଳିକ ବୃତିକୁ ସେମାନେ ଉଣାଅଧିକେ ବଂଚାଇପାରନ୍ତେ ବୋଲି ପିତାମ୍ବର ରଣା, ବାନାମ୍ବର ରଣା ପ୍ରମୁଖ କହିଛନ୍ତି। ଅନ୍ୟପଟେ ଲଗାତାର ଦୁଇ ବର୍ଷହେଲା ବାହାପୁଆଣି ସମୟରେ କରୋନା ସଂକ୍ରମଣ ବୃଦ୍ଧି ଏମାନଙ୍କ ମାଟିତିଆରି ସାମଗ୍ରୀ ବିକ୍ରୀରେ ବଡ ପ୍ରତିବନ୍ଧକ ସାଜିଛି। ଫଳରେ ମାଟିପାତ୍ର ତିଆରି କରି ନିଜର କୌଳିକବୃତିରେ ଜୀବନ ବଂଚାଉଥିବା ଏହି ଗରିବ କୁମ୍ଭକାର ପରିବାର ପ୍ରତି କରୋନା ଦାଉ ସାଜିଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories