www.samajalive.in
Wednesday, December 10, 2025
18.1 C
Bhubaneswar

ଗାଁକୁ ଜଗିବା

ଯଦି ଆମେ ଗ୍ରାମାଞ୍ଚଳ ସଂକ୍ରମଣକୁ ଏବେ ରୋକିପାରିବା, ତେବେ ବଡ଼ ସଙ୍କଟକୁ ଟାଳିବାରେ ସମର୍ଥ ହେବା

ଭାରତରେ କୋଭିଡ୍‌-୧୯ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଉଥିଲେ ହେଁ ଏବେ ଯେଉଁ ନୂଆ ସଙ୍କଟ ଉପସ୍ଥିତ ହୋଇଛି, ତାହା ଅଧିକ ସଂଗିନ। ଦେଶର ସହରାଞ୍ଚଳରେ ମହାମାରୀ ତା’ର ଭୟାନକ ରୂପ ଦେଖାଇ ଚାଲିଥିବାବେଳେ ଗତ କିଛି ଦିନ ମଧ୍ୟରେ ଗ୍ରାମାଞ୍ଚଳର ଅବସ୍ଥା ଅଧିକ ଖରାପ ହେଉଥିବା କେତେକ ତଥ୍ୟରୁ ଜଣାପଡ଼ୁଛି। ସବୁଠୁ ବଡ଼ ସମସ୍ୟା ହେଲା ସହରାଞ୍ଚଳର ତଥ୍ୟ ଯେତେଶୀଘ୍ର ମିଳିଥାଏ, ଗ୍ରାମାଞ୍ଚଳରୁ ସେପରି ମିଳିବା କଷ୍ଟ। ବର୍ତ୍ତମାନ ମଧ୍ୟ ଏହା ଆଧୁନିକ ବ୍ୟବସ୍ଥା ଓ ପ୍ରାଶାସନିକ ତଦାରଖରୁ ବଞ୍ଚିତ ଥିବାବେଳେ ଲୋକଙ୍କ ଅସଚେତନତା ସଂକ୍ରମଣ ବୃଦ୍ଧିର କାରଣ ପାଲଟିଛି। ନିକଟରେ ଗଣମାଧ୍ୟମର ବିବରଣୀଗୁଡ଼ିକରୁ ସ୍ପଷ୍ଟ ଯେ କେବଳ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶ କି ବିହାର ନୁହେଁ, ଓଡ଼ିଶାର ଗ୍ରାମାଞ୍ଚଳରେ ମଧ୍ୟ ମହାମାରୀ ତା’ର କାୟା ବିସ୍ତାର କରିଚାଲିଛି। ପ୍ରାୟ ମାସକ ପୂର୍ବରୁ ଉତ୍ତର ଭାରତର ଗ୍ରାମାଞ୍ଚଳଗୁଡ଼ିକରେ ମହାମାରୀ ବ୍ୟାପିବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଥିଲେ। ବିଶେଷକରି ଉତ୍ତର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ କରାଯାଇଥିବାରୁ ସେଠାକାର ଗ୍ରାମାଞ୍ଚଳରେ କରୋନା ମହାବିସ୍ଫୋରଣ ହୋଇପାରେ ବୋଲି ସେମାନେ ଯେଉଁ ଚେତାବନୀ ଦେଇଥିଲେ, ତାହା ସତ୍ୟ ସାବ୍ୟସ୍ତ ହେବାରେ ଲାଗିଛି। ନେଡ଼ିଗୁଡ଼ କହୁଣିକୁ ବୋହିଯିବା ପରେ କେନ୍ଦ୍ର ସରକାର ଏବେ ଛୋଟ ସହର, ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସଂକ୍ରମଣ ପ୍ରବେଶ କରିଥିବା ସ୍ବୀକାର କରିବା ସହ ରବିବାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି।

- Advertisement -

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ନିର୍ଦେଶଗୁଡ଼ିକ ଅବଶ୍ୟ ଗୁରୁତ୍ବପୂର୍ଣ୍ଣ। ସରକାର କହିଛନ୍ତି ଯେ ‘ଗ୍ରାମ୍ୟ ସ୍ବାସ୍ଥ୍ୟ ପରିମଳ ଓ ପୋଷକ ତତ୍ତ୍ବ କମିଟି’ ସହାୟତାରେ ‘ଆଶା’ ଓ ଅଙ୍ଗନୱାଡ଼ି କର୍ମୀ ପ୍ରତ୍ୟେକ ଗାଁରେ ନିର୍ଦିଷ୍ଟ ବ୍ୟବଧାନରେ ଥଣ୍ଡାରୋଗଜନିତ ଅସୁସ୍ଥତା ଓ ଉତ୍କଟ ଶ୍ବାସନଳୀ ସଂକ୍ରମଣ ଚିହ୍ନଟର ସକ୍ରିୟ ଅନୁଧ୍ୟାନ କରିବେ। ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଗଣ ଦୂରସଂଚାର ପରାମର୍ଶ ଦ୍ବାରା ସଂକ୍ରମଣର ଜଟିଳତା ଚିହ୍ନଟ ସହ ଅନ୍ୟ ଶାରୀରିକ ସମସ୍ୟା ରହିଥିବା ଓ ଅମ୍ଳଜାନ ସ୍ତର ହ୍ରାସ ପାଇଥିବା ରୋଗୀଙ୍କୁ ଉଚ୍ଚତର ସ୍ବାସ୍ଥ୍ୟକେନ୍ଦ୍ରକୁ ସୁପାରିସ କରିବେ। ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ‘ରାପିଡ୍‌ ଆଣ୍ଟିଜେନ୍’ ପଦ୍ଧତିରେ ପରୀକ୍ଷା କରିବା ଲାଗି ତାଲିମ ଦିଆଯିବାକୁ ପରାମର୍ଶ ଦିଆଯିବା ସହ ସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ‘କିଟ୍‌’ ରଖାଯିବା ଉଚିତ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

ଏହା ବ୍ୟତୀତ ସଂକ୍ରମିତ ବ୍ୟକ୍ତିଙ୍କ ସହ ସଂପର୍କରେ ଆସିଥିବା ଅନ୍ୟମାନଙ୍କୁ ସନ୍ଧାନ (କଣ୍ଟାକ୍ଟ ଟ୍ରେସିଙ୍ଗ୍‌) କରି ଯେଉଁମାନଙ୍କ ନିକଟରେ ଲକ୍ଷଣ ରହିଥିବ, ସେମାନଙ୍କୁ ଘରୋଇ ଏକାନ୍ତବାସରେ ରହିବାକୁ କୁହାଯିବାକୁ ଏଥିରେ ଦର୍ଶାଯାଇଛି। କେବଳ ସେତିକି ନୁହେଁ, ଆବଶ୍ୟକ କରୁଥିବା ଲୋକଙ୍କୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ‘ହୋମ୍‌ ଆଇସୋଲେସନ୍‌ କିଟ୍‌’ ଯୋଗାଇଦେବା ଏବଂ ଥର୍ମୋମିଟର ଓ ପଲ୍ସ ଅକ୍ସିମିଟର୍‌ ଭଳି ଯନ୍ତ୍ର ଉଧାରରେ ମିଳିବାର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। କହିବା ବାହୁଲ୍ୟ ଯେ ଏସବୁ ପରାମର୍ଶ ନିଶ୍ଚିତ ପାଳନୀୟ, କିନ୍ତୁ ଏସବୁକୁ ମଫସଲ ଅଞ୍ଚଳରେ କାର୍ଯ୍ୟକାରୀ କରିବା ସହଜ କଥା ନୁହେଁ। ଏହାର ପ୍ରମୁଖ କାରଣ ହେଲା ସ୍ବାସ୍ଥ୍ୟ ଭିତ୍ତିଭୂମିର ଅଭାବ।

ଗ୍ରାମାଞ୍ଚଳରେ ରହିଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତର, ସେବିକାଙ୍କ ଅନୁପସ୍ଥିତି ଓ ଔଷଧ, ଡାକ୍ତରୀ ଉପକରଣ ଆଦିର ଅଭାବ ଚିନ୍ତାଜନକ। ଆଶା କର୍ମୀମାନେ ଅବଶ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି, କିନ୍ତୁ ସମସ୍ତ ଅଞ୍ଚଳରେ ପହଞ୍ଚିବା ସେମାନଙ୍କ ପାଇଁ ମଧ୍ୟ ସମ୍ଭବ ହେଉନାହିଁ। ଆହୁରି ମଧ୍ୟ ଗ୍ରାମାଞ୍ଚଳର ଅଧିକାଂଶ ଲୋକଙ୍କ ଘର ‘ଏକାନ୍ତବାସ’ ପାଇଁ ଅନୁପଯୁକ୍ତ। ତେବେ ଉପରୋକ୍ତ ମାର୍ଗଦର୍ଶିକାର ପରାମର୍ଶ ଅନୁଯାୟୀ ନମୁନା ପରୀକ୍ଷା ବ୍ୟବସ୍ଥାକୁ ଯେତେ ତୃଣମୂଳ ସ୍ତରରେ ପହଞ୍ଚାଇହେବ ଓ ଅଧିକରୁ ଅଧିକ ଲୋକଙ୍କୁ ସାମିଲ୍‌ କରିହେବ, ତାହା ସଂକ୍ରମଣ ରୋକିବାରେ ସେତିକି ସହାୟକ ହେବ। ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଏଥିପାଇଁ ଯଥାଶୀଘ୍ର ତାଲିମ ପ୍ରଦାନ କରାଯିବା ଉଚିତ।

ଅନ୍ୟପକ୍ଷରେ ଆମ ରାଜ୍ୟର ଖୋର୍ଦ୍ଧା ପରି କେତେକ ଜିଲାରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କ ପାଇଁ ଏକ ସତର୍କ ଘଣ୍ଟି।

ତେବେ ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶାର ସ୍ଥିତି ସନ୍ତୋଷଜନକ ନୁହେଁ। ଯେପରି ହେଉ ଏହାକୁ ତ୍ବରାନ୍ବିତ କରିବାକୁ ହେବ। ଗୁରୁତ୍ବପୂର୍ଣ୍ଣ କଥା ହେଲା, କେତେକ ଉପାନ୍ତ ଓ ସୀମାନ୍ତ ଜିଲାଗୁଡ଼ିକରେ ଆର୍‌ଟିପିସିଆର୍‌ ପରୀକ୍ଷା ସୁବିଧା ନଥିବାରୁ ପରୀକ୍ଷା ସମ୍ବନ୍ଧୀୟ ବିବରଣୀ ପାଇବାପାଇଁ ଲୋକଙ୍କୁ ସପ୍ତାହେରୁ ଊର୍ଦ୍ଧ୍ବ ସମୟ ଲାଗିଯାଉଛି। ସଂକ୍ରମିତଙ୍କ ଚିକିତ୍ସା କଲାବେଳକୁ ବିଳମ୍ବ ହେବା ସ୍ବାଭାବିକ। ଆହୁରି ମଧ୍ୟ ବହୁ ଅଞ୍ଚଳରେ ପରୀକ୍ଷା ସୁବିଧା ନଥିବାବେଳେ ଯେଉଁଠି ବି ଏହା ଉପଲବ୍ଧ, ସେଠାରେ ପରୀକ୍ଷା ପାଇଁ ‘ସ୍ବାବ୍‌’ ନମୁନା ଦେବାକୁ ଲୋକେ କୁଣ୍ଠିତ ହେଉଥିବା ଦେଖାଯାଉଛି। ସାମାଜିକ ବାସନ୍ଦ ଭଳି ଭୟ ଏହାର ପ୍ରମୁଖ କାରଣ। ଗଁାଗୁଡ଼ିକରେ ଏବେ ମଧ୍ୟ ବହୁ ଲୋକ ତୁଣ୍ଡି (ମାସ୍କ) ପିନ୍ଧିବା, ହାତ ବାରମ୍ବାର ଧୋଇବା, ଶାରୀରିକ ଦୂରତା ରକ୍ଷା କରିବା ଭଳି ଗୁରୁତ୍ବପୂର୍ଣ୍ଣ ନିୟମକୁ ମାନୁନାହାନ୍ତି। ସ୍ଥାନୀୟ ସ୍ତରରେ ରହିଥିବା ଜନପ୍ରତିନିଧି ଓ ଅନ୍ୟ ସରକାରୀ ଅଧିକାରୀମାନେ ଲୋକଙ୍କୁ ଏଥିପାଇଁ ସଚେତନ କରନ୍ତୁ। ଅମାନିଆଙ୍କୁ ତାଗିଦ୍‌ କରାଯାଉ। ଓଡ଼ିଶାରେ କରୋନା ରୋଗୀଙ୍କ ସୁସ୍ଥତା ହାର ବୃଦ୍ଧି ପାଇବା ଆଶ୍ବାସନାର କଥା। ଗ୍ରାମାଞ୍ଚଳ ସଂକ୍ରମଣକୁ ଆମେ ଯଦି ରୋକିପାରିବା, ତେବେ ବହୁତ ବଡ଼ ସଙ୍କଟକୁ ଟାଳିଦେଇ ପାରିବା। ସର୍ବୋପରି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଟିକାକରଣକୁ ତ୍ବରାନ୍ବିତ କରିବାକୁ ହେବ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories