www.samajalive.in
Wednesday, December 10, 2025
17.1 C
Bhubaneswar

ଅପରାହ୍ନ ୧ଟା ସୁଦ୍ଧା ମୁଖ୍ୟ ଖବର (୧୦ ମେ ୨୦୨୧)

ଦେଶ/ବିଦେଶ ଖବର

ଆସାମ: ବିଜେପି ନେତା ହିମନ୍ତ ବିଶ୍ଵଶର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀଶ ମୁଖୀ ବିଶ୍ଵଶର୍ମାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଛନ୍ତି। ଗତକାଲି ବିଶ୍ଵଶର୍ମାଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା।

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି। ସୋମବାର କଲକାତାସ୍ଥିତ ରାଜଭବନରେ ଏହି ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି।

- Advertisement -

ନୂଆଦିଲ୍ଲୀ: ଦେଶରେ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ଅମ୍ଳଜାନର ଘୋର ଅଭାବ ଏବଂ ଏହାର ଆବଣ୍ଟନ କ୍ଷେତ୍ରରେ ରହିଥିବା ସମସ୍ୟା ଅନୁଧ୍ୟାନ କରି ଏ ଦିଗରେ ଉପାଦେୟ ପ୍ରସ୍ତାବ ରଖିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉପସ୍ଥିତ ଥିବା ଟାସ୍କଫୋର୍ସର ସମସ୍ତ ସଦସ୍ୟ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଅମ୍ଳଜାନ ଯୋଗାଣ ବୃଦ୍ଧି ଦିଗରେ ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ୧୨ ସଦସ୍ୟ ବିଶିଷ୍ଟ ଟାସ୍କଫୋର୍ସ ଗଠନ କରାଯାଇଛି।

ବେଜିଂ: କରୋନା ମହାମାରୀ ବ୍ୟାପିଥିବା ନେପାଳରୁ ପର୍ବତାରୋହୀଙ୍କ ଦ୍ୱାରା କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଚୀନ ଏଭରେଷ୍ଟ ଶୃଙ୍ଗ ଉପରେ ଏକ ପୃଥକିକରଣ ରେଖା ସ୍ଥାପନ କରିବ । ଏଭରେଷ୍ଟ ଶୃଙ୍ଗର ମୂଳ ଶିବିରରେ ଏକାଧିକ ପର୍ବତାରୋହୀ ଅସୁସ୍ଥ ହୋଇପଡିବା ପରେ ଚୀନ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଏଠାକାର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।

ନୂଆଦିଲ୍ଲୀ: ଚଳିତବର୍ଷ ଫେବୃୟାରୀରେ ଭାରତରେ କରୋନା ମହାମାରୀର ୨ୟ ତରଙ୍ଗ ଆସିଲା। କିନ୍ତୁ ଏପ୍ରିଲ ବେଳକୁ ଏହା ଭୟଙ୍କର ରୂପ ନେଲା। ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଧ୍ଵସ୍ତବିଧ୍ଵସ୍ତ କରିଦେଲା। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ ଏବଂ ଔଷଧ ଅଭାବ ଘୋର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କଲା। ତେବେ ଅମ୍ଳଜାନ ଅଭାବ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଥିବାବେଳେ ଓଡ଼ିଶା ଏବଂ କେରଳ ଭଳି ରାଜ୍ୟର ଉଦ୍ୟମ ବେଶ୍‌ ପ୍ରଶଂସନୀୟ ବୋଲି କହିଛି ଅନ୍ତର୍ଜାତୀୟ ସ୍ତରର ଚିକିତ୍ସା ପତ୍ରିକା ‘ଲାନ୍‌ସେଟ’। ଲାନସେଟ୍‌ ସମ୍ପାଦକୀୟରେ ଏହି ଦୁଇ ରାଜ୍ୟର କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

ନୂଆଦିଲ୍ଲୀ: ହତ୍ୟା ମାମଲାରେ ସମ୍ପୃକ୍ତ ଅଲିମ୍ପିକ ପଦକ ବିଜେତା ତଥା ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଲୁକ୍‌ ଆଉଟ୍‌ ସର୍କୁଲାର (ଏଲଓସି) ଜାରି କରିଛି। ୨୩ ବର୍ଷୀୟ କନିଷ୍ଠ କୁସ୍ତିଯୋଦ୍ଧା ସାଗର ହତ୍ୟାକାଣ୍ଡରେ ସୁଶୀଲଙ୍କ ନାମ ସାମ୍ନାକୁ ଆସିବା ପରଠାରୁ ସେ ଫେରାର ରହିଛନ୍ତି।

ନୂଆଦିଲ୍ଲୀ: ନିକଟରେ ଦେଶର ପାଞ୍ଚଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସମୀକ୍ଷା କରିବାକୁ ସୋମବାର ଦିନ ଏଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଫଳାଫଳରେ କଂଗ୍ରେସର ଅତ୍ୟନ୍ତ ନିରୁତ୍ସାହଜନକ ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଦଳର ଅନ୍ତରୀଣ ମୁଖ୍ୟ ସୋନିଆ ଗାନ୍ଧୀ। ବୈଠକ ଆରମ୍ଭରେ ଦଳର ସମସ୍ତଙ୍କୁ ଆହ୍ୱାନ ଦେଇ ସୋନିଆ କହିଥିଲେ, ‘ଆମକୁ ନିଜ ଘର ସଜାଡିବାକୁ ହେବ।’ ଆମେ ଯେଉଁଭଳି ଭାବରେ ଶୋଚନୀୟ ଭାବରେ ବିଫଳ ହୋଇଛୁ ତାହା ଆମକୁ ତର୍ଜମା କରିବାକୁ ହେବ।

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ତଳକୁ ଖସିଥିବାବେଳେ ମୃତ୍ୟୁ ସଂଖ୍ୟା ୪ ହଜାରରୁ କମ୍‌ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୬ ହଜାର ୧୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ୩୭୫୪ ସଂକ୍ରମିତ ପ୍ରାଣ ହରାଇଛନ୍ତି।

ହାଇଦ୍ରାବାଦ: ଡାକ୍ତରଖାନାକୁ ବାଟ ଭୁଲିଗଲା ଅମ୍ଳଜାନ ଟ୍ୟାଙ୍କର। ଯେଉଁଥିପାଇଁ ଠିକ ସମୟରେ ଅମ୍ଳଜାନ ନ ପହଞ୍ଚିବାରୁ ଚାଲିଗଲା ୭ ରୋଗୀଙ୍କ ଜୀବନ। ହାଇଦ୍ରାବାଦର କିଙ୍ଗ୍‌ କୋଟି ସରକାରୀ ଡାକ୍ତରଖାନାରେ ଏଭଳି ଦୁଃଖଦ ଘଟଣା ଘଟିଛି। ସମସ୍ତ ରୋଗୀ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ।

ରାଜ୍ୟ ଖବର

ବ୍ରହ୍ମପୁର: କରୋନା ମହାମାରୀ ରାଜ୍ୟର ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । ଗଂଜାମ ଜିଲା ପୋଲସରା ବ୍ଲକ ‘ସମାଜ’ ପ୍ରତିନିଧି କିଶୋର ଦାସଙ୍କର  ରାତି ୨ ଟା ୩୦ ବେଳେ ଶୀତଳାପଲ୍ଲୀସ୍ଥିତ ଟାଟା ହାଇଟେକ କୋଭିଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୦ ହଜାର ୩୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୬୨୩ ଏବଂ ସ୍ଥାନୀୟ ସଂକ୍ରମିତ ୩୪୦୮ ରହିଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩୨୯ ଜଣ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି।

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ନାଗରିକମାନେ କରୋନା ଟୀକାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆସିଛି। ଏମାନେ ପ୍ରଥମ ପର୍ୟ୍ୟାୟ ଟୀକା ନେଇ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଦିତୀୟ ଟୀକା ଦିଆ ଯାଉନି। ଏହା ପ୍ରତିବାଦରେ ସୋମବାର ସକାଳେ କେତେଜଣ ବରିଷ୍ଠ ନାଗରିକ ଡାକ୍ତରଖାନା ସମ୍ମୁଖ ରାସ୍ତା ଉପରେ ବସି ରହିଥିବା ଦେଖିବାକୁ ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories