Patra electronics

ଆଇପିଏଲ ସଟ୍ଟା ଚଢ଼ଉ : ପୁଲିସ ପାଉନି ଆଶାନୁରୂପକ ସଫଳତା !

ସମ୍ବଲପୁର :  ସମ୍ବଲପୁରରେ ବେଆଇନ ଭାବରେ ଆଇପିଏଲ ସଟ୍ଟା ଚାଲୁଥିବାର ବେଳେ ପୁଲିସ ଏହାର ଟେର ସୁଦ୍ଧା ପାଇ ପାରୁ ନାହିଁ। ଆଇପିଏଲ ମ୍ୟାଚ ଗୁଡିକ ପାଇଁ ଆୟୋଜିତ ହେଉଥିବା ସଟ୍ଟା କାରବାର ଏବେ ଅତ୍ୟାଧୁନିକ କୌଶଳ ଜରିଆରେ ଭ୍ରାମ୍ୟମାଣ ମାଧ୍ୟମରେ କରାଯାଉଥିବାରୁ ପୁଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ମାନେ ଫେରାର ମାରୁଥିବାର ଜଣାପଡ଼ିଛି। ସୋମବାର ବିଳମ୍ବିତ ରାତ୍ରିରେ ଟାଉନ ଥାନା ଅଞ୍ଚଳରେ ସଂପୃକ୍ତ ଥାନାକୁ ସୂଚନା ଦିଆ ନ ଯାଇ ସ୍ୱତନ୍ତ୍ର ଦଳ ଦ୍ୱାରା ଚଢ଼ଉ କରିଥିଲା। ସେହି ସମୟରେ ପୁଲିସ ୩ଟି ସମ୍ଭ୍ରାନ୍ତ ପରିବାରର ଯୁବକ ମାନଙ୍କୁ ଧରି ଥିବା ବେଳେ ଏହି ମାମଲାରେ ମୁଖ୍ୟ ଆସାମୀ ମାନଙ୍କୁ ଧରିବାରେ ବିଫଳ ହୋଇଥିଲା। ଏହି ଚଢ଼ଉର ପ୍ରାୟ ୨୪ ଘଣ୍ଟା ପରେ ପୁର୍ନବାର ଟାଉନ ପୁଲିସ ଓ ସ୍ୱତନ୍ତ୍ର ଦଳ ବରିଷ୍ଠ ପୁଲିସ ଅଧିକାରୀଙ୍କ ନେତୃତ୍ୱରେ ଚଢ଼ଉ କରିଥିବା ବେଳେ ଖାଲି ହାତରେ ଫେରିଛନ୍ତି। ଅପର ପକ୍ଷରେ ଏହି ମାମଲାରେ ଧନୁପାଲି ଅଞ୍ଚଳର ସକ୍ରିୟ ବେଟିଂ ବୁକି ଭାଇଙ୍କ ଉପରେ ପୁଲିସ ଏ ପର୍ଯ୍ୟନ୍ତ ହାତ ପକାଇ ପାରି ନାହିଁ। ଏହି ଆଇପିଏଲ ସଟ୍ଟା କାରବାର ପାଇଁ ବୁକି ମାନେ ଫୋନ ପେ, ଗୁଗୁଲ ପେ ଭଳି ଅତ୍ୟାଧୁନିକ ନଗଦ ୱାଲେଟ ମାଧ୍ୟମରେ ଅର୍ଥ ଗ୍ରହଣ କରି ସଟ୍ଟା କାରବାର ଚଳାଛନ୍ତି। ଫୋନ ମାଧ୍ୟମରେ ଏବେ କାରବାର କରାଯାଉଥିବାରୁ ବୁକି ମାନେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ନ ରହି ବୁଲି ବୁଲି କାରବାର ଚଳାଉଥିବା ବେଳେ ଠିକ ପୁଲିସ ପହଞ୍ଚିବା ପୂର୍ବରୁ କୌଣସି ମତେ ସୂଚନା ପ୍ରାପ୍ତ କରି ଫେରାର ହେଉଥିବାର କୁହାଯାଉଛି। ତେବେ ଗତ ସୋମବାର ରାତ୍ରିରେ ଧରା ପଡ଼ିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ବିପକ୍ଷରେ କୌଣସି ପ୍ରମାଣ ମିଳି ନ ଥିବାର କୁହାଯାଉଥିବା ବେଳେ ସମ୍ବଲପୁର ପୁଲିସ ଆଶାନୁରୂପ ସଫଳତା ପାଇ ପାରି ନ ଥିବାରୁ ମାମଲାକୁ ଲୁଚାଇ ରଫାଦଫା କରିଦେବାର ଉଦ୍ୟମ କରୁଥିବାର କୁହାଯାଉଛି। ବିଗତ ବର୍ଷ ସେପ୍ଟେମ୍ବର ୨୦ ତାରିଖରେ ବୁଢ଼ାରଜା ଅଞ୍ଚଳର ଏକ ସମ୍ରାନ୍ତ ହୋଟେଲରେ ଆଇପିଏଲ ପାର୍ଟି ଓ ସଟ୍ଟା ଚାଲୁଥିବାର ଖବର ମିଳିବା ପରେ ପୁଲିସକୁ ଖବର ଦିଆଯାଇଥିବା ବେଳେ ପୁଲିସ ପହଞ୍ଚିବା ପୂର୍ବରୁ ସବୁ ରଫାଦଫା କରି ଦିଆଯାଇଥିଲା। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ପୁଲିସ ବିଭାଗର ବ୍ୟବସ୍ଥାରେ ଆଇପିଏଲ ସଟ୍ଟା ବେପାରୀ ମାନେ ଛିଦ୍ର କରି ସୁକ୍ଷ୍ମ ରୁ ଅତି ସୁକ୍ଷ୍ମ କାର୍ଯ୍ୟାନୁଷ୍ଠାନର ଖବର ପାଇ ପୂର୍ବରୁ  ଖସି ଯାଉଛନ୍ତି।

Comments are closed.