www.samajalive.in
Monday, December 8, 2025
27.1 C
Bhubaneswar

ହାତୀ ଆକ୍ରମଣରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଚିକିଟି: ଚିକିଟି ବ୍ଲକର କେରାଣ୍ଡିମାଲ ଉପତ୍ୟକାରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରବିବାର ରାତିରେ ହାତୀ ଆକ୍ରମଣରେ ଏଠାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ରବିବାର ରାତିରେ ହାତୀପଲ କୃଷ୍ଣ ନଗରରୁ ବାହାରି ବଡବଡଙ୍ଗା ଦେଇ ଆନ୍ଧ୍ରର କୋଳିଗାଁ ନିକଟକୁ ଚାଲିଯାଇଥିଲେ । କିନ୍ତୁ ବାଟବଣା ହୋଇ ପୁଣି ଫେରି ଆସିଥିଲେ । ରାତି ପାହିଆସିବାରୁ ହାତୀପଲ ଜଙ୍ଗଲ ଉପକଣ୍ଠକୁ ଫେରିପାରି ନ ଥିଲେ । ସୁବର୍ଣ୍ଣପୁର-ମାଧବନ୍ଧ ନିକଟ ଏକ ଘାଇରେ ଅଟକି ଯାଇଥିଲେ। ହାତୀପଲରେ ୯ଟି ମାଈ ହାତୀ, ୨ଟି ଦନ୍ତା ଏବଂ ୪ଟି ଛୁଆ ହାତୀ ରହିଥିଲେ।

- Advertisement -

ଖବର ପ୍ରଚାର ପରେ ହାତୀପଲଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ତେବେ ହାତୀଙ୍କୁ ଦେଖିବା ଲାଗି ଯାଇଥିବା ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଜଣ ବ୍ୟକ୍ତି ହାତୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ବୃନ୍ଦାବନ ବିନ୍ଧାଣିଙ୍କ ମୃତ୍ୟୁ ହୋଇଥିବା ବେଳେ ବାବୁନି ବିନ୍ଧାଣି ଗୁରୁତର ଆହତ ହୋଇଛନ୍ତି । ତାଙ୍କର ଦୁଇ ଗୋଡ଼ ଭାଙ୍ଗିଯାଇଥିବା ସେ ରକ୍ତବାନ୍ତି କରୁଥିବା ସୂଚନା ମିଳିଛି। ତାଙ୍କୁ ପ୍ରଥମେ ଚିକିଟି ଗୋ​ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ସ୍ଥଳରେ ରେଞ୍ଜର କେ.ସି.  ପଟ୍ଟନାୟକ ପହଞ୍ଚି ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଓ ଗୁରୁତର ପରିବାରଙ୍କୁ ହଜାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି । ସରକାରଙ୍କ ନିୟମାନୁସାରେ କ୍ଷତି ପୂରଣ ପ୍ରଦାନ ପାଇଁ ସୁପାରି କରାଯିବ ବୋଲି ରେଞ୍ଜର ଆଶ୍ୱସନା ଦେଇଛନ୍ତି ।

ଏହି ୧୫ ଟିକିଆ  ହାତୀ ପଲ ଗତ ଡିସେମ୍ବର 25ରେ ସୁରଲ ବାହୁଦା ହ୍ରଦରେ  ଅଟକି ଯାଇଥିଲେ ଓ ଏକ ଛୁଆ ହାତୀକୁ ଚାଫିଦେଇ ଚାଲିଯାଇଥିଲେ ଏବେ ସେହି ହାତୀପଲ ନିଜ ଛୁଆକୁ ଖୋଜୁଛନ୍ତି ଓ ବାଟ ହୁଡ଼ି ଘୁରି ବୁଲୁଛନ୍ତି। ଏ ନେଇ ରେଞ୍ଜର କହିଛନ୍ତି ଯେ, ଜଙ୍ଗଲରେ ଖାଦ୍ୟ ଓ ପାଣି ମିଳୁ ନ ଥିବାରୁ ସେମାନେ ଖାଦ୍ୟ ଅନ୍ୱେଷଣରେ ଗାମୁହାଁ ହୋଇଛନ୍ତି । ଦୀର୍ଘ 15 ଦିନ ହେଲା ହାତୀପଲକୁ ଟ୍ରାକ୍ କରି ନିୟନ୍ତ୍ରଣ କରାଯାଉଥିଲା । ହଠାତ ଗତକାଲି ଏପରି ଅଘଟଣ ଘଟିଛି । ଘଟଣା ସ୍ଥଳରେ ଦିଗପହଣ୍ଡି ରେଞ୍ଜର, ସମାଣ୍ଟିଆପଲ୍ଲୀ ରେଞ୍ଜ, ବ୍ରହ୍ମପୁର ଡିଭିଜନର ବନ ବିଭାଗ କର୍ମଚାରୀ, ପୁଲିସ କର୍ମଚାରୀ ସଦଳବଳ ପହଞ୍ଚି ଲୋକଙ୍କୁ ହାତୀ ପାଖକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି। ରାତି ସମୟରେ ହାତୀପଲଙ୍କୁ ଜଙ୍ଗଲକୁ ଘଉଡାଇବାକୁ ପ୍ରୟାସ କରାଯିବ ବୋଲି ରେଞ୍ଜର କେ.ସି. ପଟ୍ଟନାୟକ କହିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories