www.samajalive.in
Saturday, December 6, 2025
26.1 C
Bhubaneswar

ନାଗ ପାଟିରେ ଫେଭିକଲ ଅଠା, ଦୀର୍ଘ ଏକ ଘଣ୍ଟା ଅପରେସନ ପରେ ଖୋଲିଲା ସାପର ପାଟି

ଭୁବନେଶ୍ୱର: ଏକ ନାଗ ସାପର ପାଟିରେ ଫେଭିକଲ୍‌ ଅଠା ଲଗାଯାଇଛି। କେବଳ ସେତିକି ନୁହେଁ ତାର ଲାଙ୍ଗୁଡ଼ ଧରି ଘୋଷାଡ଼ି ଘୋଷାଡ଼ି ଆଣି ରାସ୍ତା ଉପରେ ଫୋପାଡ଼ିଦେଲେ। ଏଭଳି ଅମାନବୀୟ ଘଟଣା ଘଟିଛି ପୁରୁଣା ଭୁବନେଶ୍ୱରର ରଥ ରୋଡ଼ ବ୍ୟାଙ୍କ କଲୋନୀରେ। ପରେ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟଙ୍କ ଦ୍ବାରା ସାପଟିକୁ ଉଦ୍ଧାର କରାଯାଇ ଦୀର୍ଘ ଘଣ୍ଟାଏ କାଳେ ଅପରେସନ ପରେ ତା’ ପାଟିରୁ ଅଠା ଛଡ଼ାଯାଇଥିବା ଜଣାପଡ଼ିଛି। ଧାର୍ମିକ କାର୍ଯ୍ୟରେ ବ୍ୟବହାର ପାଇଁ ସାପ ପାଟିରେ ଫେଭିକଲ ଅଠା ଲଗାଯାଇଥିବା କୁହାଯାଉଛି।

ପୁରୁଣା ଭୁବନେଶ୍ୱରର ରଥ ରୋଡ଼ ବ୍ୟାଙ୍କ କଲୋନୀ ନିକଟସ୍ଥ ଗୋବିନ୍ଦେଶ୍ଵର ରୋଡ଼ ନିକଟରେ ଥିବା ତାରିଣୀ ମନ୍ଦିର ନିକଟରେ ଗୁରୁବାର ଜଣେ ଲୋକ ଏକ ନାଗ ସାପର ଲାଙ୍ଗୁଡ଼ ଧରି କାର୍ଗିଲ ରୋଡ଼ ପଟୁ ଘୋଷାଡି ଘୋଷାଡି ଆଣି ଟ୍ରେନ ଲାଇନ ପାରି କରି ବ୍ୟାଙ୍କ କଲୋନୀ ପଟେ ପକେଇଦେଇ ଚାଲିଗଲେ। ଏଭଳି ଘଟଣା ଦେଖି ସ୍ଥାନୀୟ ବ୍ୟାଙ୍କ କଲୋନୀ ବାସିନ୍ଦାମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣା ସ୍ଥଳରେ ପହଞ୍ଚି ନାଗ ସାପଟିକୁ ସନ୍ଧ୍ୟା ୬ଟା ବେଳେ ଉଦ୍ଧାର କଲେ ସତ, କିନ୍ତୁ ସାପଟିର ଗତିବିଧି ଦେଖି ତା’ ପାଟିରେ ଅଠା ଲଗା ଯାଇଥିବା କିମ୍ବା ସିଲେଇ ହୋଇଥିବା କଥା ସନ୍ଦେହ କରିଥିଲେ। ଅରୁଣ ନିଜର ସନ୍ଦେହ କଥା ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଜଣାଇବାରୁ ସେ ସାପଟିକୁ ଦେଖିବାକୁ ଚାହିଁଲେ। ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟରେ ଅରୁଣ ଓ ଶୁଭେନ୍ଦୁ ନାଗ ସାପର ପାଟିକୁ ଖୋଲିବା ପାଇଁ ଚେଷ୍ଟା କଳାବେଳେ ତାହା ଆଦୌ ଖୋଲିନଥିଲା। ଖାଲି ସେତିକି ନୁହେଁ ସାପ ମୁଣ୍ଡ ଉପର ଏବଂ ପାଟି ତଳ କାତି ଛଡେଇବା ବେଳେ ଅରୁଣଙ୍କ ହାତରେ ଗାଢ ଅଠା ଲାଗିଯାଉଥିଲା।

- Advertisement -

ଆଜି ସକାଳେ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜକୁ ନାଗ ସାପଟିକୁ ଅଣାଯାଇଥିଲା। ସାପଟି ନା ସମ୍ପୂର୍ଣ୍ଣ ଭାବରେ ଫଣା ଖୋଲି ପାରୁଥିଲା ନା ପାଟି ଖୋଲି ଜିଭକୁ ବାହାର କରି ପାରୁଥିଲା। ଏଣୁ ଭେଟେରିନାରୀ ସର୍ଜରୀ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଇନ୍ଦ୍ରମଣି ନାଥ ପ୍ରଥମେ ସାପ ଶରୀରରେ କିଛି ଆଘାତ ଅଛି କି ନାହିଁ ଜାଣିବା ପାଇଁ ଏକ୍ସରେ କରିଥିଲେ। ଯଦିଓ ଏକ୍ସରେରୁ ସାପ ଦେହର ଆଘାତ ନଥିବା ଜଣା ପଡିଥିଲା, କିନ୍ତୁ ସାପ ପେଟ ଭିତରେ ଅନେକ ଅଣ୍ଡା ଥିବାର ସ୍ପଷ୍ଟ ଦେଖା ଯାଉଥିଲା। ସାପ ପାଟିରୁ ଅଠା ଛଡେଇବା ପାଇଁ ଅନେକ ପ୍ରକାରର ରାସାୟନିକ ତରଳ ପଦାର୍ଥ ମିଳୁଥିଲେ ମଧ୍ୟ ଯେହେତୁ ପାଟି ଭିତରେ ଅଠା ଥିଲା, ଏଣୁ ପାଟି ଭିତରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର ନ କରିବାକୁ ପ୍ରଫେସର ନାଥ ସ୍ଥିର କରିଥିଲେ। କାରଣ ଗର୍ଭବତୀ ସାପଟିର ପାଟିରେ ଯାହା ବି ରାସାୟନିକ ପଦାର୍ଥ ପୁରାଇଲେ ତାହା ପେଟ ଭିତରକୁ ଯିବା କଦାପି ବନ୍ଦ କରାଯାଇ ପାରି ନ ଥାନ୍ତା । ତେଣୁ ସାପ ପାଟିରୁ ଅଠା ଛଡେଇବା ପାଇଁ ଦେଶୀ ଉପାୟ ହିସାବରେ ଲେମ୍ବୁ ରସ ବ୍ୟବହାର କରିବା ପାଇଁ ଶୁଭେନ୍ଦୁ ମଲ୍ଲିକ ପ୍ରସ୍ତାବ ଦେଇଥିଲେ। ତେଣୁ ପ୍ରଥମେ ଡାକ୍ତର ନାଥ ନଖ ଉଷୁମ ପାଣି ଏକ ଟ୍ରେ ରେ ରଖି ସେଥିରେ ଗୋଟିଏ ଲେମ୍ବୁ ଚିପୁଡି ରସ ମିଶେଇଥିଲେ । ତା ପରେ ନାଗ ସାପ ମୁଣ୍ଡକୁ ହାତରେ ଧରି କିଛି ସମୟ ସେହି ପାଣିରେ ଭିଜାଗଲା ପରେ ଚମତ୍କାର ହେବା ଭଳି ମୁହଁର ଧାର ଗୁଡିକ ଖୋଲି ଯାଇଥିଲା । କିନ୍ତୁ ପାଟି ଭିତରେ ଧଳା ରଙ୍ଗର ସିନ୍ଥେଟିକ ଅଠା ଲାଗିଥିବାର ଦେଖା ଯାଇଥିଲା । ଏହା ପରେ ଆଉ ଗୋଟିଏ ଲେମ୍ବୁ କୁ କାଟି କାନ ସଫା କରାଯାଉଥିବା ଇୟର ବଡ଼କୁ ତା’ ଭିତରେ ବୁଡେଇ ସାପ ପାଟିରୁ ଅଠା ସଫା କରିବାରେ ଲାଗିଲେ । ଦୀର୍ଘ ଘଣ୍ଟାଏରୁ ଊର୍ଦ୍ଧ୍ବ କାଳ ଅପରେସନ ପରେ ସାପ ପାଟିରୁ ସବୁ ଅଠା ଛାଡ଼ିଥିଲା। ଅଠା ଛଡେଇବା ବେଳେ ସବୁଠୁ କଷ୍ଟ କାମ ଥିଲା ନାଗ ସାପ ଟିର ମୁଣ୍ଡକୁ ଧରି ତା’ ପାଟିକୁ ମେଳା କରିବା। କାରଣ ନାଗ ସାପଟିର ବିଷ ଦାନ୍ତ ଦୁଇଟି ଅକ୍ଷତ ଅବସ୍ଥାରେ ଥିଲା ।

ଡାକ୍ତର ଇନ୍ଦ୍ରମଣି ନାଥ କହିଛନ୍ତି, ‘‘ସାପ ମୁହଁକୁ ଅଠା ଦେଇ ବନ୍ଦ କରିବା ମୁଁ କେବେ ଶୁଣି ନଥିଲି । ଏହା ନିହାତି ଇଛାକୃତ ଓ ବର୍ବର କାର୍ଯ୍ୟ। କେହି ଜଣେ ନିଶ୍ଚୟ ସାପକୁ ଧରି ଫେଭିକଲ ବା ସେହି ଭଳି କିଛି ସିନ୍ଥେଟିକ ଅଠା ତା ପାଟିରେ ଭର୍ତ୍ତି କରିଛି। ହୁଏତ ସେଥିରେ ଫେଭିକୁଇକ ଅଠା ମଧ୍ୟ ମିଶାଯାଇଛି। ତେବେ ସାପଟି ସୁସ୍ଥ ଅଛି ଏବଂ ମାତ୍ର ଗୋଟିଏ ଦିନ ଅବଜରଭେସନରେ ରଖି ଆମେ ତାକୁ ତାର ବନ୍ୟ ଆବାସ ସ୍ଥଳୀରେ ଛାଡି ଦେବୁ। ମୁଁ ବହୁତ ଖୁସି ଯେ, ଆମେ କିଛି ବି ରାସାୟନିକ ପଦାର୍ଥ ବ୍ୟବହାର ନ କରି କେବଳ ଲେମ୍ବୁ ରସ ବ୍ୟବହାର କରି ସଫଳତାର ସହ ବିଷଧର ନାଗ ସାପ ପାଟି ଭିତରୁ ଅଠା ଛଡ଼େଇବାରେ ସକ୍ଷମ ହେଲୁ”।

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏଭଳି ଘଟଣାକୁ ଦୃଢ ନିନ୍ଦା କରି କହିଛନ୍ତି, “ଧାର୍ମିକ ଅନୁଷ୍ଠାନରେ ବ୍ୟବହାର କରିବା ପାଇଁ ହିଁ ଏହି ସାପ ମୁହଁକୁ ଅଠା ଦେଇ ବନ୍ଦ କରାଯାଇଥିଲା। ଏକ ଗର୍ଭବତୀ ସାପର ମୁହଁକୁ ବାନ୍ଧି ତାକୁ ଅଖିଆ ଅପିଆ ମରିବାକୁ ଛାଡିଦେବା କଦାପି ଧର୍ମ ନୁହେଁ, ବରଂ ଏହା ଘୋର ପାପ। ଖାଲି ସେତିକି ନୁହେଁ, ନାଗ ସାପକୁ ଏମିତି ଅତ୍ୟାଚାର କରିଥିବା ଲୋକ ଏବଂ ତାଙ୍କୁ ପ୍ରୋତ୍ସାହନ ଦେଇଥିବା ଲୋକମାନଙ୍କୁ ବନ୍ୟପ୍ରାଣୀ(ସଂରକ୍ଷଣ)ଆଇନ, ୧୯୭୨ ଉଲ୍ଲଂଘନ ଅପରାଧରେ ଗିରଫ କରିବା ପାଇଁ ଆମେ ଦାବୀ କରୁଛୁ”।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories