www.samajalive.in
Wednesday, December 10, 2025
26.1 C
Bhubaneswar

ଭିନ୍ନକ୍ଷମ ଖବରକାଗଜ ବିତରକ ରୀନାଙ୍କୁ ‘ଆଶାର ଆଲୋକ ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ଆର୍ଥିକ ରାଶି ପ୍ରଦାନ

ଚୌଦ୍ୱାର : ଜନ୍ମରୁ ଭିନ୍ନକ୍ଷମ ହୋଇ ମଧ୍ୟ ସମସ୍ତ ନାରୀ ଜାତି ପାଇଁ ଉଦାହରଣ ପାଲଟିଛନ୍ତି ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୭ନଂ. ୱାର୍ଡ଼ର କପାଳେଶ୍ୱର ନୂଆସାହିରେ ବସବାସ କରୁଥିବା ନକୁଳ ଭୂୟାଁଙ୍କ ଝିଅ ରୀନା ଭୂୟାଁ। ତାଙ୍କ ବାପା ନକୁଳ ଭୂୟାଁ ଜଣେ ଓଟିଏମ୍‍ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ରୀନା ଜନ୍ମରୁ ଭିନ୍ନକ୍ଷମ ହୋଇ ଜନ୍ମ ହୋଇଥିଲେ। ଦୁର୍ଭାଗ୍ୟବଶତଃ ରୀନାଙ୍କୁ ଯେତେବେଳେ ମାତ୍ର ଛ’ବର୍ଷ ବୟସ ହୋଇଥିଲା ସେତେବେଳେ ଓଟିଏମ୍‍ ବନ୍ଦ ହୋଇଯିବା ଫଳରେ ତାଙ୍କ ପରିବାର ଉପରେ ଆର୍ଥିକ ଅନାଟନର ବୋଝ ଲଦି ହୋଇପଡ଼ିଥିଲା। ରୀନା ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ସବୁବେଳେ ବାପା ମାଆଙ୍କ ଉପରେ ନିର୍ଭର ନକରି ନିଜେ କିଛି ରୋଜଗାର କରି ପରିବାର ଭରଣପୋଷଣ ପାଇଁ ଲାଗିପଡ଼ିଥିଲେ। ନିଜ ମାଆଙ୍କ ଅକାଳ ବିୟୋଗ ପରେ ତାଙ୍କର ପିତା ଶ୍ରୀ ଭୂୟାଁ ରୀନାଙ୍କ ହାତକୁ ଦି’ହାତ କରି ଦେଇଥିଲେ। ମାତ୍ର ରୀନା ଭିନ୍ନକ୍ଷମ ଯୋଗୁଁ ତାଙ୍କ ଶ୍ୱଶୁରଘର ଲୋକ ତାଙ୍କୁ ବିଭିନ୍ନ ପ୍ରକାର ମାନସିକ ତଥା ଶାରିରୀକ ନିର୍ଯ୍ୟାତନା ଦେବା ସହ ଘରୁ ତଡ଼ି ଦେଇଥିଲେ। ଏପରିକି ରୀନାଙ୍କ ପେଟରେ ବଢୁଥିବା ପିଲାକୁ ମଧ୍ୟ ନଷ୍ଟ କରିବାକୁ ପଛାଇନଥିଲେ। ଏଭଳି ଦୁଃଖ ଝଡ଼ଝଞ୍ଜା ଭିତରେ ରୀନା ନିଜକୁ ଅସହାୟ ମନେ କରି ନିଜ ବାପଘରକୁ ଚାଲିଆସିବା ପାଇଁ ମନସ୍ଥ କରିଥିଲେ। ଯେହେତୁ ରୀନା ବିବାହ ଘର ପୂର୍ବରୁ କେବଳ ଜଣେ ସାଧାରଣ ନାରୀ ନଥିଲେ ବରଂ ସେ ଜଣେ ସମାଜସେବୀ ମଧ୍ୟ ଥିଲେ ଏପରିକି ଆଶାର ଆଲୋକ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ଭାବରେ ମଧ୍ୟ ବହୁ କାମରେ ନିୟୋଜିତ ଥିଲେ। ବାପାଙ୍କ ସ୍ୱଳ୍ପ ରୋଜଗାର ଏବଂ ଶାଶୁଘରୁ ନିର୍ଯ୍ୟାତନା ପାଇ ଘରକୁ ଫେରିଥିବା ରୀନା ନିଜେ ସ୍ୱାବଲମ୍ବୀ ହୋଇ ରୋଜଗାରକ୍ଷମ ହେବା ପାଇଁ ୨୦୧୯ ମସିହା ଡିସେମ୍ବର ମାସରେ ଖବରକାଗଜ ବିତରକ ଭାବେ ନିଜ ପନ୍ଥା ଆପଣେଇ ନେଇଥିଲେ। ତାଙ୍କର ପାଦ ଦୁଇଟି ସମ୍ପୂର୍ଣ୍ଣ ଅକ୍ଷମ ଥିବା ବେଳେ ସାଇକେଲରେ ତଥା ଚାଲି ଚାଲି ପେପର ଦେବା ସମୟରେ ରୀନାଙ୍କ ପାଦ ଛିଣ୍ଡି ଖଣ୍ଡିଆ ଖାବରା ହୋଇଯିବା ଦେଖିଲେ ସାଧାରଣ ଲୋକଙ୍କ ଆଖିରୁ ଲୁହ ଝରିଯିବ। ତଥାପି ରୀନା ସେ ଦୁଃଖକୁ ବି ନିଜ ଭିତରେ ଲୁଚେଇ ସକାଳୁ ରାତି ପର୍ଯ୍ୟନ୍ତ ନିଜ କାମରେ ବ୍ୟସ୍ତ ରହି ନିଜର ତଥା ବାପାଙ୍କୁ ସାହାଯ୍ୟ କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଇ ଚାଲିଛନ୍ତି।

ବର୍ଷକ ପୂର୍ବରୁ ରୀନାଙ୍କ ସମ୍ପର୍କରେ ଦୈନିକ ଓଡ଼ିଆ ଖବର କାଗଜ ‘ସମାଜ’ରେ ପ୍ରକାଶିତ ‘ସ୍ୱାବଲମ୍ବୀ ପାଇଁ ରୀନାଙ୍କ ପଣ, ସକାଳୁ ପାଠକଙ୍କ ପାଖେ ପହଞ୍ଚାନ୍ତି ଖରବ କାଗଜ’ ରେ ପ୍ରଭାବିତ ହୋଇ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରୀନାଙ୍କୁ ସହାୟତା ଯୋଗାଇ ଆସୁଥିବା ବେଳେ ଆଜି ଚୌଦ୍ୱାର ଅଞ୍ଚଳର ଅଗ୍ରଣୀତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆଶାର ଆଲୋକ ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ଭିନ୍ନକ୍ଷମ ଖବରକାଗଜ ବିତରକ ରୀନାଙ୍କୁ ସହାୟତାର ହାତ ବଢ଼ାଯାଇଥିବା ଜଣାପଡ଼ିଛି। ଚୌଦ୍ୱାର ଥାନା ଅନ୍ତର୍ଗତ ଓଟିଏମ୍‍ ଦୁର୍ଗାବଜର ଅଞ୍ଚଳର ଏହି ଟ୍ରଷ୍ଟ୍‍ ପକ୍ଷରୁ ପ୍ରତିଷ୍ଠାତା ମାନସ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ରୀନାଙ୍କୁ ତାଙ୍କର ଗାଡ଼ି କିଣିବା ପାଇଁ ଆବଶ୍ୟକ ଥିବା ଅର୍ଥରାଶି ମଧ୍ୟରୁ ୫ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ଅନ୍ୟମମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ନିରଞ୍ଜନ ଲେଙ୍କା, ଟ୍ରଷ୍ଟି ସୁରେନ୍ଦ୍ର କାହାଳି, ବର୍ଷା ମିଶ୍ର, ଇସ୍ପା ରଞ୍ଜିତ୍‍ କୁମାର ପ୍ରମୁଖ ଉପସ୍ଥିତ ରହି ରୀନାଙ୍କୁ ଅର୍ଥରାଶି ପ୍ରଦାନ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସେହିପରି ଅକ୍ଷୟ କୁମାର କର, ସୁରେନ୍ଦ୍ର କାହାଳି, ନିରଞ୍ଜନ ଲେଙ୍କା ପ୍ରମୁଖ ପୃଥକ ପୃଥକ ଭାବେ ରୀନାଙ୍କୁ କିଛି ଅର୍ଥରାଶି ପ୍ରଦାନ କରିଥିଲେ। କିନ୍ତୁ ଦୁଃଖର ବିଷୟ ରୀନା ଜଣେ ଭିନ୍ନକ୍ଷମ ମହିଳା ହୋଇ ବି ଖବରକାଗଜ ବିତରକ ଭାବେ ପରିଚିତ ହୋଇ ନିଜର ଗୁଜୁରାଣ ନିଜେ ମେଣ୍ଟାଉଥିବା ବେଳେ ଆଜି ପର୍ଯ୍ୟନ୍ତ ନା ତାଙ୍କୁ ମିଳିଛି ସରକାରୀ ସହାୟତା ନା ମିଳିଛି କୌଣସି ସରକାରୀ ପ୍ରୋତ୍ସାହନ। ରାଜ୍ୟ ସରକାରଙ୍କ ତରଫରୁ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ରହିଥିବା ବେଳେ ରୀନାଙ୍କ ପାଇଁ କିନ୍ତୁ ଏ ସବୁ ଅପହଞ୍ଚ। ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଭିନ୍ନକ୍ଷମ ରୀନାଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ପାଇଁ ବହୁ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ତଥା ଅଞ୍ଚଳବାସୀଙ୍କ ତରଫରୁ ଦାବି ହୋଇଥିବା ଜଣାପଡ଼ିଛି। ରୀନାଙ୍କୁ ଭିନ୍ନକ୍ଷମ ଯୋଜନାରେ ସାମିଲ କରାଯାଇ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ‘ଆଶାର ଆଲୋକ ଚାରିଟେବୁଲ ଟ୍ରଷ୍ଟ’ର ପ୍ରତିଷ୍ଠାତା ଶ୍ରୀ ସାମଲଙ୍କ ସମେତ ସମସ୍ତ ସଦସ୍ୟମାନେ ଦାବି କରିଥିବା ଜଣାପଡ଼ିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories