www.samajalive.in
Sunday, December 7, 2025
15.1 C
Bhubaneswar

ସର୍ବଦଳୀୟ ବୈଠକର ନିଷ୍ପତ୍ତି ; ପ୍ରକୃତ ଚାଷୀଙ୍କ ଧାନ ଉଠାଇବେ ସରକାର

ବିରୋଧୀଙ୍କ ଜିଦ୍ ; ସବୁ ଲାପ୍ସ ଟୋକନକୁ ବୈଧ କର

ଭୁବନେଶ୍ୱର : ଚଳିତ ବଜେଟ ଅଧିବେଶନ ଆରମ୍ଭରୁ ଚାଷୀଙ୍କ ଟୋକନ୍ ଲାପ୍ସ ଓ ମଣ୍ଡିରେ ଅବ୍ୟବସ୍ଥା ନେଇ ବିରୋଧୀ ବିଜେ ପି ଓ କଂଗ୍ରେସ ଗର୍ଜି ଆସୁଥିବାବେଳେ ଶୁକ୍ରବାର ପୁଣି ଥରେ ଏହାକୁ ନେଇ ଗୃହ ସରଗରମ ହୋଇଥିଲା। ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଆଜି ଗୃହ ମଧ୍ୟଭାଗରେ ବସି ଲାପ୍ସ ଟୋକନ୍ ଅବଧି ବଢ଼ାଇବା ସହିତ ସବୁ ଚାଷୀଙ୍କ ଧାନ ଉଠାଇବାକୁ ଅଡି ବସିଥିଲେ। ଏହାକୁ ନେଇ ଶୂନ୍ୟକାଳ ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଲତବି ଆଲୋଚନା ମଧ୍ୟ ହୋଇ ପାରି ନଥିଲା। ସବୁ ଲାପ୍ସ ଟୋକନର ଅବଧି ବଢ଼ାଇବାକୁ ନେଇ ଗୃହର ଉଦବେଗକୁ ଦେଖି ବାଚସ୍ପତି ଡ. ସୂର୍ଯ୍ୟନରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ। ଅପରାହ୍ନରେ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ସରକାର ସବୁ ଚାଷୀଙ୍କ ଧାନ ଉଠାଇବାକୁ ରାଜି ହୋଇଛନ୍ତି। ଏହାସହିତ ଯେଉଁ ପ୍ରଶାସନିକ ଅଧିକାରୀମାନେ ଟୋକନ ହେରାଫେରିରେ ସଂଶ୍ଲିଷ୍ଟ ଥିବା ଜଣାପଡିବେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ଦଳ ନେତା ଶ୍ରୀ ନାଏକ ଓ ଶ୍ରୀ ମିଶ୍ର ଥମି ଯାଇଥିଲେ ହେଁ ଏବେ ବି ବିଜେପି ଓ କଂଗ୍ରେସର ବହୁ ସଦସ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ଲାପ୍ସ ଟୋକନ ନେଇ ସରକାର କିଛି ସ୍ପଷ୍ଟ ଉତ୍ତର ଦେଇ ନଥିବାରୁ ଏହାକୁ ନେଇ ଆସନ୍ତା ଦିନରେ ପୁଣି ଥରେ ଗୃହରେ ଡଡ଼ ସୃଷ୍ଟି ହେବ ବୋଲି ଗୃହ ବାହାରେ ବିଜେପି ଓ କଂଗ୍ରେସ ସଭ୍ୟମାନେ କହିଛନ୍ତି।
ଆଜି ଶୂନ୍ୟକାଳରେ ବିଜେପି ସଭ୍ୟ ସୁବାସ ପାଣିଗ୍ରାହୀ ଲାପ୍ସ ଟୋକନ ଅବଧି ବଢ଼ାଇ ଚାଷୀଙ୍କଠାରୁ ଧାନ କିଣିବାପାଇଁ ଅଡି ବସିଥିଲେ। ଏମିତିକି ଗୃହ ମଧ୍ୟଭାଗକୁ ଆସି କହିଥିଲେ ଯେ ଯଦି ସରକାର ଚାଷୀଙ୍କ ସବୁ ଧାନ ନ ଉଠାନ୍ତି ତେବେ ଗୃହରେ ଆତ୍ମାହୁତି ଦେବି। ଏହାକୁ ନେଇ ବିରୋଧୀଦଳ ନେତା ଶ୍ରୀ ନାଏକ ଓ ଶ୍ରୀ ମିଶ୍ର ମେଳି ହୋଇଥିଲେ। ସରକାର ବାରମ୍ବାର ଚାଷୀଙ୍କ ଭଣ୍ଡାଉଛନ୍ତି, ଲାପ୍ସ ଟୋକନ ଅବଧି ବୃଦ୍ଧି ନେଇ ମନ୍ତ୍ରୀ ସ୍ପଷ୍ଟ କରୁନାହାନ୍ତି। ଚାଷୀମାନେ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଏହିଭଳି ଭାବେ ବିଭିନ୍ନ ପ୍ରକାର ଦାବି ଉପସ୍ଥାପନ କରିଥିଲେ। ଶ୍ରୀ ନାଏକ କହିଥିଲେ ଯେ ଚାଷୀଙ୍କ ପରିସ୍ଥିତି ଉଦବେଗଜନକ ହେଲାଣି, ଯାହାକୁ ନେଇ ଶ୍ରୀ ପାଣିଗ୍ରାହୀ ଆତ୍ମାହୁତି ପର୍ଯ୍ୟନ୍ତ ଗଲେଣି। ସରକାର କେବେ ଚେତିବେ ? ସେହିପରି ଶ୍ରୀ ମିଶ୍ର କହିଥିଲେ ଯେ ସରକାର ପଞ୍ଜିକୃତ ଚାଷୀଙ୍କ ଧାନ କିଣିବାକୁ ବାଧ୍ୟ। ଆଲୋଚନା ବାରମ୍ବାର କଲେ ମଧ୍ୟ କିଛି ଫଳ ହେଉନାହିଁ। ଆଗେ ସରକାର ଗୃହରେ ପ୍ରତିଶ୍ରୁତି ଦିଅନ୍ତୁ ତା’ପରେ ଯାଇ ଗୃହକାର୍ଯ୍ୟରେ ସହଯୋଗ କରିବୁ।
ଗୃହରେ ଅସ୍ବାଭାବିକ ପରିସ୍ଥିତିକୁ ଦେଖି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ହସ୍ତକ୍ଷେପ କରି ଅପରାହ୍ନ ସାଢ଼େ ୪ଟାରେ କାର୍ଯ୍ୟପରାମର୍ଶଦାତା ବୈଠକ ଓ ୫ଟାରେ ସର୍ବଦଳୀୟ ବୈଠକ ବସିବ ବୋଲି କହିଥିଲେ। ହେଲେ କଂଗ୍ରେସ ଓ ବିଜେପି ନେତା ତାଙ୍କ ଜିଦରେ ଅଟଳ ରହିଥିଲେ। ଏହାକୁ ନେଇ ଅପରାହ୍ନ ପର୍ଯ୍ୟନ୍ତ ୬ଥର ଗୃହ ମୁଲତବି ହେବା ପରେ ଗୃହ ସ୍ବାଭାବିକ ପରିସ୍ଥିତିକୁ ଆସି ନଥିଲା। ବାଚସ୍ପତି ଶ୍ରୀ ପାତ୍ର ବାଧ୍ୟହୋଇ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରି ସର୍ବଦଳୀୟ ବୈଠକ ଡାକିଥିଲେ।
ବୈଠକର ନିଷ୍ପତ୍ତି ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଯେଉଁମାନେ ପକୃତ ଚାଷୀ ସେମାନଙ୍କ ଧାନ ଉଠିବ। ଯଦି କୌଣସି ଚାଷୀ ଜାଲିଆତି କରି ପଞ୍ଜୀକରଣ କରିଥିବ ତେବେ ତା’ର ଧାନ ସରକାର କିଣିବେ ନାହିଁ। ଏହାବାଦ୍ ଯେଉଁ ଅଧିକାରୀ ଓ ଚାଷୀମାନେ ଜାଲିଆତିରେ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ। ଏହାପରେ ଗୃହ ସ୍ବଭାବିକ ହୋଇଥିଲା। ହେଲେ ଗୃହ ବାହାରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଓ ବିଜେପି ସଭ୍ୟ ଜୟନାରାୟଣ ମିଶ୍ର ଏହି ନିଷ୍ପତ୍ତିକୁ ନେଇ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନଥିବା ଜଣାଯାଇଥିଲା। ଚାଷୀଙ୍କ ଧାନ କିଣାଯିବା କଥା ସରକାର କହିଲେ, ହେଲେ ଲାପ୍ସ ଟୋକନ କଥା ପଦଟିଏ କାହିଁକି କହିଲେ ନାହିଁ ବୋଲି ସେମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ବଜେଟ ଅଧିବେଶନ ଆରମ୍ଭରୁ ଅଦ୍ୟାବଧି ୮ଦିନ ମଧ୍ୟରେ ୩ଥର ସର୍ବଦଳୀୟ ବୈଠକ ବସିଥିଲେ ହେଁ ପୁଣି ‌େ‌ଟାକନ କେଁ ଗୁମୁରୁ ଥିବା ଦେଖିବାକୁ ମିଳିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories