www.samajalive.in
Monday, December 8, 2025
14.1 C
Bhubaneswar

କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ପ୍ରାଣୀପାଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି:ମନ୍ତ୍ରୀ

ଭୁବନେଶ୍ୱର: କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ପ୍ରାଣୀପାଳନର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଗ୍ରାମାଞ୍ଚଳରେ ଏହା ଜୀବିକା ନିର୍ବାହର ଏକ ମାର୍ଗ ହୋଇଥିବାବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଆୟର ମୁଖ୍ୟ ଅଂଶ ପଶୁପାଳନ ଦ୍ୱାରା ହୋଇଥାଏ । ରାଜ୍ୟ ସରକାର କୃଷି ଓ ଆନୁଷଙ୍ଗିକ କୃଷିକୁ ପ୍ରାଥମିକତା ପ୍ରଦାନ କରୁଥିବାବେଳେ ପ୍ରାଣୀସଂପଦର କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-‘ଟି’ ଓ ‘ମୋ ସରକାର’କୁ କଡ଼ାକଡ଼ି ଭାବରେ ଅନୁପାଳନ କରି ଯୋଜନାଗୁଡ଼ିକର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କୃଷି ଭବନଠାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀମାନଙ୍କ ପ୍ରାଣୀସଂପଦ ବିକାଶ ସଂପର୍କରେ ଆୟୋଜିତ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଓଡ଼ିଶା ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାବେଳେ ଏଥିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ଏପରି କ୍ଷେତ୍ରରେ ପ୍ରାଣୀସଂପଦର ଯତ୍ନ ଓ ଅଭିବୃଦ୍ଧି ନିମନ୍ତେ ସିଡିଭିଓମାନଙ୍କର ସମୟୋଚିତ ପଦକ୍ଷେପର ଆବଶ୍ୟକତା ରହିଛି। ବିଗତ ୨୦ ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରାଣୀସଂପଦ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ସମୁଚିତ ପଦକ୍ଷେପ ଓ ଯୋଜନା ପ୍ରଣୟନ ଯୋଗୁଁ ରାଜ୍ୟରେ ଅଣ୍ଡା, ମାଂସ, ଦୁଗ୍ଧ ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏହା ଦ୍ୱାରା ଚାଷୀମାନଙ୍କ ଆୟରେ ମଧ୍ୟ ବୃଦ୍ଧି ଘଟିଛି। ଲୋକମାନଙ୍କର ପରିବର୍ତ୍ତିତ ଖାଦ୍ୟାଭ୍ୟାସ ଓ ପୁଷ୍ଟିକର ଖାଦ୍ୟର ଚାହିଦା ମେଣ୍ଟାଇବା ଦିଗରେ ଏହା ସାହାଯ୍ୟ କରିଛି। ରାଜ୍ୟ ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ନିମନ୍ତେ ଲକ୍ଷ୍ୟ ରଖିଥିବାବେଳେ କୃଷି ସହିତ ଗୋପାଳନ, କୁକୁଡ଼ା ପାଳନ ଆଦି କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ସଂପ୍ରତି ଯୁବକଯୁବତୀମାନଙ୍କ ମଧ୍ୟରେ କୃଷି ଓ ଆନୁଷଙ୍ଗିକ କୃଷି ପ୍ରତି ଆଗ୍ରହ ସୃଷ୍ଟି ହେଉଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ଉଦ୍ୟୋଗୀ ସୃଷ୍ଟି ଦିଗରେ ସିଡିଭିଓମାନେ ତତ୍ପରତା ପ୍ରକାଶ କରି ଏଥି ନିମନ୍ତେ ଆବେଦନ ପତ୍ର ଯାଞ୍ଚ ଓ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ। କୋଭିଡ୍‌-୧୯ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ୱତନ୍ତ୍ର ପ୍ୟାକେଜକୁ ସଂପୂର୍ଣ୍ଣ କାର୍ଯ୍ୟକାରୀ କରିବା ସହିତ ରାଜ୍ୟ ଯୋଜନାର ଆବଣ୍ଟିତ ଅର୍ଥ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବିନିଯୋଗ କରିବା ପାଇଁ ମନ୍ତ୍ରୀ ଡ. ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଣ୍ଡା, ଦୁଗ୍ଧ ଏବଂ ମାଂସ ଉତ୍ପାଦନ ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା ନିମନ୍ତେ ମନ୍ତ୍ରୀ କହିଥିଲେ। ଏଥି ସହିତ ସିଡିଭିଓମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ଯୋଜନା ଓ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ।

- Advertisement -

ବୈଠକରେ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା କହିଥିଲେ ଯେ ସାଂପ୍ରତିକ ପରିସ୍ଥିତିରେ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ପ୍ରାଣୀପାଳନ ଅପରିହାର୍ଯ୍ୟ ହୋଇପଡ଼ିଛି ଏବଂ ଏଥି ନିମନ୍ତେ ରାଜ୍ୟ ସରକାର ଅନେକଗୁଡ଼ିଏ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ଯାହାର ସଫଳ ରୂପାୟନ ଦିଗରେ ସିଡିଭିଓ ଏବଂ କ୍ଷେତ୍ର ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମତ୍ସ୍ୟ ଓ ପ୍ରାଣୀସଂପଦ ବକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ୍‌-୧୯ ପ୍ୟାକେଜ, ଜାତୀୟ ପ୍ରାଣୀଧନ ମିଶନ, ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ପରିଷଦ ଅନ୍ତର୍ଗତ ସମସ୍ତ ପ୍ରାଣୀପାଳନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଜାତୀୟ ପ୍ରାଣୀରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ଜାତୀୟସ୍ତରୀୟ କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମ ମାଧ୍ୟମରେ ଧାର୍ଯ୍ୟ ଲକ୍ଷ୍ୟ ହାସଲପୂର୍ବକ ପ୍ରାଣୀପାଳନମାନଙ୍କୁ ଉଚ୍ଚ ମାନର ସେବା ଯୋଗାଇଦେବା ପାଇଁ କହିଥିଲେ। ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର କମିଶନର ତଥା ନିର୍ଦେଶକ ରତ୍ନାକର ରାଉତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ଅଗ୍ରଗତି ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ବୈଠକରେ ସମସ୍ତ ଜିଲାର ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories