www.samajalive.in
Sunday, December 7, 2025
16.1 C
Bhubaneswar

ଆଉ ଦୁଇ ତାଲା କାହାର

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ବିବାଦ ପ୍ରଶାସନର ପିଛା ଛାଡୁନି। ଭିତର ରତ୍ନଭଣ୍ଡାରର ମୂଳଚାବି ହଜିଥିବାବେଳେ ଜିଲା ରେକର୍ଡରୁମ୍‌ରୁ ମିଳିଥିବା ଡୁପ୍ଲକେଟ୍‌ ଚାବିକୁ ଜିଲାପାଳ‌ ସୋମବାର ଟ୍ରେଜେରୀ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଏହା ଟ୍ରେଜେରୀ ଷ୍ଟ୍ରଙ୍ଗ୍‌ରୁମ୍‌ ଲକ୍‌ରରେ ରଖାଯାଇଛି। ମିଳିଥିବା ଚାବି ମଧ୍ୟରୁ ଗୋଟିଏ ମୂଳ ଚାବି ଓ ଅନ୍ୟଟି ଦ୍ବିତୀୟ ଚାବି ହୋଇଥାଇପାରେ ବୋଲି କୁହାଯାଉଛି। ତେବେ ଭିତର ଭଣ୍ଡାରରେ ଗୋଟିଏ ମୂଳ ଚାବି ୧୯୮୫ ମସିହାରେ ଶେଷଥର ରତ୍ନଭଣ୍ଡାର ଖୋଲଯାଇ ପକାଯାଇ ତାହାକୁ ସିଲ୍‌ କରାଯାଇଥିଲା।
ତେବେ ଆଉ ଦୁଇଟି ତାଲା ଭିତର ଭଣ୍ଡାର କବାଟରେ କିପରି ପଡ଼ିଲା ଓ ତାହା କେଉଁଠୁ ଆସିଲା ଏବଂ ଏବେ ସେ ଚାବି କାହା ପାଖରେ ରହିଛି ସେ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଏପରିକି ମିଳିଥିବା ମୂଳ ଗୋଟିଏ ସିଲ୍‌ ତାଲାର ଡୁପ୍ଲିକେଟ୍‌ ଚାବିର ସତ୍ୟତା ମଧ୍ୟ ପ୍ରମାଣ ସିଦ୍ଧ ହୋଇନାହିଁ। ରତ୍ନଭଣ୍ଡାର ମୂଳ ତାଲା ଏହି ଡୁପ୍ଲିକେଟ୍‌ ଚାବି ଦ୍ବାରା ଖୋଲୁଛି କି ନାହିଁ ତାହା ପରୀକ୍ଷା କରାଯାଇ ନାହିଁ। ଏହା ଭିତରେ ଅନ୍ୟ ଖାଲି ଦୁଇଟି ତାଲା ଓ ଚାବିକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି। ରତ୍ନଭଣ୍ଡାର (ଭିତର ଭଣ୍ଡାରଘର) ଲୁହା କବାଟରେ ପ୍ରଶାସନ ଗୋଟିଏ ତାଲା ପକାଇଥିଲା। ସେଥିରେ ଏବେବି ଜଉମୁଦ ସିଲ୍‍ ରହିଛି। ସେଠାରେ ୩ଟି ତାଲା ପଡିଛି। ଅନ୍ୟ ୨ଟି ତାଲା କିଏ ଏବଂ କେବେ ପକାଇଲା ନିର୍ଦିଷ୍ଟ ସୂଚନା ମିଳୁନାହିଁ। ରତ୍ନଭଣ୍ଡାର ଫାଇଲରେ ଏ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ୧୯୮୫ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା। ଗଜପତି ମହାରାଜାଙ୍କ ପ୍ରତିନିଧି, ଅତିରିକ୍ତ ଜିଲାପାଳ, ଅତିରିକ୍ତ ଏସ୍‍ପି, ମନ୍ଦିର ପ୍ରଶାସକ ଏବଂ ପରିଚାଳନା କମିଟି ସଭ୍ୟଙ୍କ ଉପସ୍ଥିତିରେ ପୁଣିଥରେ ଚାବି ପକାଯାଇଥିଲା। ୧୯୮୫ ମସିହା ଫାଇଲରେ ଗୋଟିଏ ତାଲା କଥା ଗଣମାଧ୍ୟମକୁ କହିସାରିଛନ୍ତି ତତ୍‌କାଳୀନ ସହକାରୀ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ୩୪ବର୍ଷ ଭିତରେ ଆଉ ରତ୍ନଭଣ୍ଡାର ଖୋଲାଯାଇ ନାହିଁ। ଶ୍ରୀଜୀଉଙ୍କ ଦୈନନ୍ଦିନ ବେଶ ଏବଂ ଯାନିଯାତ୍ରା ପାଇଁ ବାହାର ଭଣ୍ଡାରଘରୁ ସୁନାରୁପା ଗହଣା କଢାଯାଉଛି।
ହାଇକୋର୍ଟଙ୍କ ନିର୍ଦେଶକ୍ରମେ ରତ୍ନଭଣ୍ଡାର ଭିତର ଛାତ, କାନ୍ଥ ଓ ଚଟାଣ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ୧୭ଜଣିଆ କମିଟି ଗତ ଏପ୍ରିଲ ୪ତାରିଖରେ ଯାଇଥିଲେ। ଚାବି ନମିଳିବାରୁ ଲୁହା ଗ୍ରିଲ୍‍ ଫାଙ୍କ ପଟେ ଭିତର ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ରତ୍ନଭଣ୍ଡାର କବାଟରେ ତିନୋଟି ତାଲା ପଡିଥିବା କମିଟି ଦେଖିବାକୁ ପାଇଥିଲା। ସେଥିରୁ ଗୋଟିଏ ତାଲାରେ ଜଉମୁଦ ସିଲ୍‍ ଥିବା ବେଳେ ଅନ୍ୟ ୨ଟିରେ ସିଲ୍‍ ନାହିଁ। ଜିଲା ରେକର୍ଡରୁମ୍‍ରୁ ଗତ ମେ ୧୩ତାରିଖରେ ମିଳିଥିବା ୨ଟି ଚାବି ମଧ୍ୟରୁ ଗୋଟିଏ ମୂଳ ଏବଂ ଅନ୍ୟଟି ଦ୍ୱିତୀୟ ଚାବି ବୋଲି ସନ୍ଦେହ କରାଯାଉଛି। ଅନ୍ୟ ୨ଟି ତାଲାର ଚାବି ମନ୍ଦିର ପ୍ରଶାସନ କିମ୍ବା ଜିଲା ରେକର୍ଡରୁମ୍‍ରେ ନଥିବା ଜଣାପଡିଛି। ତେଣୁ ଆଉ ୨ଟି ତାଲା ଶ୍ରୀମନ୍ଦିର ପ୍ରଶାସନ ଅଜ୍ଞାତରେ ରତ୍ନଭଣ୍ଡାର କବାଟରେ କିଏ ପକାଇଲା ଏବଂ ତାହାର ଚାବି କାହା ପାଖରେ ରହିଛି ପ୍ରଶାସନ ପାଖରେ ସୂଚନା ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟିକୁ ଅନ୍ଧାରରେ ରଖାଯାଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଅବଗତ କରାଯାଇ ନାହିଁ। ପ୍ରଥମ ତାଲାର ଚାବି ହଜିବା ବିବାଦଠାରୁ ଦ୍ୱିତୀୟ ଓ ତୃତୀୟ ତାଲାର ଚାବି ନମିଳିବା ଅଧିକ ରହସ୍ୟମୟ ହୋଇଛି। ଯଦି ରତ୍ନଭଣ୍ଡାର ଖୋଲିବାକୁ ବିଚାର ବିଭାଗୀୟ ତଦନ୍ତ କମିଶନ କିମ୍ବା ସରକାର ନିର୍ଦେଶ ଦିଅନ୍ତି ତେବେ ୩ଟି ତାଲା ଭାଙ୍ଗିବାକୁ ପଡିବ। ୧୯୮୫ ମସିହା ରତ୍ନଭଣ୍ଡାର ଖୋଲାଯିବା ବେଳେ ରବୀନ୍ଦ୍ର ନାରାୟଣ ମିଶ୍ର ସହକାରୀ ପ୍ରଶାସକ ଥିଲେ। ସେତେବେଳେ ଗୋଟିଏ ଚାବି ଖୋଲାଯାଇଥିଲା ଏବଂ ତାହାକୁ ପୁଣିଥରେ ପକାଯାଇଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories