-ଭିଡ଼ିଓ ଭାଇରାଲ୍ ପରେ ଆଲୋଚନା ପରିସରରେ ପୂର୍ବତନ ମନ୍ତ୍ରୀ
-ଜିଲାର ସ୍ୱାର୍ଥ ପରିପନ୍ଥୀ ପ୍ରସଙ୍ଗ ଆସିଲେ ମୁଁ ଗରମ ହୁଏ : ଜୁଏଲ୍
ରାଉରକେଲା: ଏକ ଭିଡ଼ିଓ ପ୍ରସଙ୍ଗକୁ ନେଇ ରୋଚକ ଆଲୋଚନା ପରିସରକୁ ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ୍। ଜୁଏଲ୍ଙ୍କ କିଛି ଟୀକା ଟିପ୍ପଣୀ ଓ ମନ୍ତବ୍ୟ ଆଧାରିତ ଏହି ଭିଡ଼ିଓ ଭାଇରାଲ୍ ହେବାପରେ ରାଜନୈତିକ ସ୍ତରରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ତଥ୍ୟ ଓ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ଜିଲା ଗସ୍ତରେ ଥିବାବେଳେ ଚାଦ୍ରି-ହରିହରପୁରରେ ପ୍ରତିଷ୍ଠିତ ଜିଲାର ସର୍ବବୃହତ୍ ଘରୋଇ ଇସ୍ପାତ ଉଦ୍ୟୋଗ ପକ୍ଷରୁ ଜଙ୍ଗଲ, ଗୋଚର ଓ ସରକାରୀ ଜମି ଜବରଦଖଲ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପାଇବା ପରେ ଏହାର ତଦନ୍ତ କରିବା ପାଇଁ ବିଭାଗର ସହାୟତା ନିଆଯାଇଥିଲା। ତହସିଲ ଅଫିସରୁ ଆର୍.ଆଇ, ଅମିନ ଇତ୍ୟାଦିଙ୍କ ଉପସ୍ଥିତିରେ ଜମି ମାପଚୁପ ପାଇଁ ପ୍ରକ୍ରିୟା ଚାଲିଥିଲା। ସେତେବେଳେ ସେଠାରେ ବିଜେପିର ଦୁଇ ପୂର୍ବତନ ବିଧାୟକ ପ୍ରାର୍ଥୀ ନିହାର ରାୟ, ଜଗବନ୍ଧୁ ବେହେରା, ଶଙ୍କର ପୂଜାରୀ, ସଞ୍ଜିବ ସିଂହଦେଓ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏହି ସମୟରେ ସେଠାରେ ପହଞ୍ଚିଥିଲେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ। ଜୁଏଲ ସେଠାରେ ହସ୍ତକ୍ଷେପ କରିବା ସହିତ କହିଥିଲେ, “…ମୋର କିଛି କାମ ନାହିଁ। ମୁଁ ଏଠି ୧ମାସ ଛିଡ଼ା ହେବି। ତହସିଲଦାର, କଲେକ୍ଟରଙ୍କୁ ଡାକ… କୁହ..୧/୧ ଇଞ୍ଚ ଜମିର ମାଲିକ କିଏ? କୋଉଟା କାହାର…। ସେତେବେଳେ ତାଙ୍କ ହାତକୁ ବଢ଼ାଯାଇଥିଲା ଏକ ମୋବାଇଲ୍ ଫୋନ୍ ଏବଂ ଅପରପଟ ଫୋନ୍ ଲାଇନ୍ରେ ମନ୍ତ୍ରୀ ରେଣୁକା ସିଂହ ଅଛନ୍ତି ବୋଲି କୁହାଯାଇଥିଲା। ତେବେ ଫୋନ୍ରେ କଥା ହେବା ବେଳକୁ ଜୁଏଲ୍ ହଠାତ୍ ବିରକ୍ତ ହୋଇ କେତେକ ମନ୍ତବ୍ୟ ଦେଇଥିଲେ ଓ ‘ତୋର ମନ୍ତ୍ରୀ ଏତେ ବଡ଼ ହେଲାକି..’ ବୋଲି କହି ଫୋନ୍କୁ ଫୋଫାଡ଼ି ଦେଇଥିଲେ। ଏହି ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା କେହି ଭିଡିଓ ରେକର୍ଡିଂ କରିଥିଲେ ଏବଂ ଏହି ଦୃଶ୍ୟ ଓ କଥାବାର୍ତ୍ତା ଆଧାରିତ ଭିଡ଼ିଓ ଏବେ ଭାଇରାଲ୍ ହୋଇ ବୁଲୁଛି। ଏହି ଭାଇରାଲ୍ ଭିଡିଓ ପ୍ରସଙ୍ଗ ସୁନ୍ଦରଗଡ଼ ଜିଲାର ରାଜନୈତିକ ମହଲରେ ରୋଚକ ଆଲୋଚନାର ବିଷୟ ହୋଇଛି। ଏ ମୋବାଇଲ୍ରୁ ସେ ମୋବାଇଲ୍କୁ ଛୁଟୁଛି ଏହି ଭିଡ଼ିଓ। ରାଜନେତା, ସରକାରୀ ଅଫିସର ଅନେକଙ୍କ ପାଖରେ ଉପଲବ୍ଧ ହେଉଛି ଏହି ଭିଡ଼ିଓ।

ଜୁଏଲ୍ଙ୍କ ମନ୍ତବ୍ୟକୁ ‘ଅଶାଳୀନ’ ବୋଲି କେତେକ କହୁଥିବା ବେଳେ ଆଉ କେତେକ ଏହାକୁ ବେଶ୍ ହାଲୁକା ଭାବେ ନେଇ ଏହା ସୁନ୍ଦରଗଡ଼ ଜିଲାର ନେତା ମାନଙ୍କ ତୁଣ୍ଡରେ ଅତି ସାଧାରଣ କଥା ବୋଲି କହୁଛନ୍ତି। ତେବେ ଏ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଜିଲାରୁ ୫ଥର ସାଂସଦ ନିର୍ବାଚିତ ହୋଇଥିବା ଆଦିବାସୀ ନେତା ଜୁଏଲ୍ ଓରାମ କହିଛନ୍ତି, ଆଦିବାସୀ ଅଧ୍ୟୁଷିତ ଏହି ଜିଲାର ସାମୂହିକ ସ୍ୱାର୍ଥର ପରିପନ୍ଥୀ କୌଣସି ପ୍ରସଙ୍ଗ ଆସିଲେ ମୋର ମୁଣ୍ଡ ଗରମ ହୋଇଯାଏ। ସାମୂହିକ ସ୍ୱାର୍ଥର ସୁରକ୍ଷା ପାଇଁ ମୁଁ ଲଢ଼େଇ ପାଇଁ ଓହ୍ଲାଏ। ଆଗପଛ ଦେଖେନାହିଁ। ଖଣ୍ଡାଧାର ଜଳପ୍ରପାତ ଭଳି ସୌନ୍ଦର୍ଯ୍ୟଭରା ଓ ମନୋରମ ପ୍ରାକୃତିକ ଦୃଶ୍ୟ ଥିବା ସ୍ଥାନକୁ ଏକ ଖଣି ଲିଜ୍ ପ୍ରକ୍ରିୟାରେ ଟେକି ଦେବାର ମସୁଧା ଚାଲିଥିବା ବେଳେ ମୁଁ ରାସ୍ତାକୁ ଓହ୍ଲାଇଥିଲି। ‘ଆଗେ ମାଟି, ପରେ ପାର୍ଟି’ର ସ୍ଲୋଗାନ ଜିଲା କ’ଣ, ରାଜ୍ୟରେ ମୁଁ ପ୍ରଥମେ ଦେଇଥିଲି। ମତେ ସମଗ୍ର ଜିଲା ସମର୍ଥନ କରିଥିଲା। ତାହାର ସୁଫଳ ସ୍ୱରୂପ ଖଣ୍ଡାଧାରକୁ ଏକ ପର୍ଯ୍ୟଟନସ୍ଥଳୀଭାବେ ବିକଶିତ କରାଯାଇ ପାରିଛି। କେବଳ ଖଣ୍ଡାଧାର ନୁହେଁ, ଅନେକ ପ୍ରସଙ୍ଗରେ ମୁଁ ଜିଲାବାସୀ ତଥା ବିଶେଷକରି ଆଦିବାସୀଙ୍କର ସମୂହ ସ୍ୱାର୍ଥ ପାଇଁ ବହୁ ପ୍ରସଙ୍ଗରେ ପାଟିକରିଛି। ସଦ୍ୟତମ ପ୍ରସଙ୍ଗରେ ବ୍ୟାପକ ଜମିକୁ ବେଆଇନ ଭାବେ ଜବରଦଖଲ କରାଯାଇଥିବାରୁ ମୁଁ ତୁଣ୍ଡ ଖୋଲିଛି ବୋଲି କହିଛନ୍ତି ଜୁଏଲ୍।
ତେବେ ମନ୍ତ୍ରୀ ରେଣୁକା ସିଂହଙ୍କ ଫୋନ୍ରେ କାହିଁକି ଏଭଳି କହିଲେ ବୋଲି ପଚରାଯିବାରୁ ଜୁଏଲ୍ କହିଛନ୍ତି, ମତେ ଫୋନ୍ ଦିଆଯାଇଥିଲା ମନ୍ତ୍ରୀ ରେଣୁକା ସିଂହ ଅଛନ୍ତି ବୋଲି। କିନ୍ତୁ ଅପରପଟେ ଜଣେ ପିଅନ ଥିଲେ ଏବଂ ସେ ଅନ୍ୟ ପ୍ରସଙ୍ଗ ଆରମ୍ଭ କରିବାରୁ ମୁଁ ବିରକ୍ତ ହେଲି। ଆମଦଳର ନେତାମାନେ ମତେ ସମ୍ମାନ କରନ୍ତି ଏବଂ କନିଷ୍ଠ ମାନଙ୍କୁ ମୁଁ ଭାଇଭଉଣୀ ଭଳି ବ୍ୟବହାର କରେ।’



