www.samajalive.in
Sunday, December 7, 2025
16.1 C
Bhubaneswar

ଆମ ସହର ଆମ ସମସ୍ୟା :- ଟ୍ରାଫିକ ସଚେତନତା ଅଭାବରୁ ବଢୁଛି ଦୁର୍ଘଟଣା

ବୌଦ୍ଧ :  ଐତିହାସିକ ବୌଦ୍ଧ ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହେବାରେ ଲାଗିଛି। ଯାନବାହାନ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବାବେଳେ ସେହି ଅନୁପାତରେ ରାସ୍ତାଘାଟର ଉନ୍ନତି ହୋଇପାରୁନାହିଁ। ସହର ମଧ୍ୟ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ନିର୍ମାଣ ପରେ ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଯାନବାହାନ ଯାତାୟତ କରୁଛି। ଟ୍ରାଫିକ ସଚେତନତା ନଥିବା ଫଳରେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବୌଦ୍ଧ ବିଜୁପଟ୍ଟନାୟକ ଛକଠାରୁ ସହର ମଧ୍ୟ ଦେଇ ବୁଟୁପାଲି ପର୍ଯ୍ୟନ୍ତ ରାସ୍ତାକୁ ଚାରିଲେନ କାର୍ଯ୍ୟ ଚାଲୁରହିଛି। ହେଲେ ରାସ୍ତାକଡ ଗୁଡିକରେ ରହିଥିବା ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ନଥିବାରୁ ସାଧାରଣଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି। ବୌଦ୍ଧ ସହରର କ୍ଷେତ୍ରଫଳ ୨୦.୭୨ବର୍ଗକିମି। ୫ ହଜାର ପରିବାରରେ ୨୫୦୦୦ ଜନସଂଖ୍ୟା ବିଶିଷ୍ଟ ୧୭ଗୋଟି ୱାର୍ଡକୁ ନେଇ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯାଇଛି। ଜାତୀୟ ରାଜପଥ କଡରେ ନୂତନ ଭାବେ ନିର୍ମାଣାଧିନ କରାଯାଉଥିବା ବ୍ୟବସାୟ କୋଠାବାଡି ପାଇଁ ପ୍ଲାନ ତିଆରି ସମୟରେ ସାମ୍ନାରେ କିମ୍ବା ପରିସର ଭିତରେ ଯାନବାହନ ପାର୍କିଂ ପାଇଁ ବ୍ୟବସ୍ଥା କରିବା ନିୟମ ରହିଥିବା ବେଳେ ପାର୍କିଂ ନ ଥାଇ ବିଭାଗୀୟ ଅଧିକାରୀମାନେ ଅନୁମତି ପ୍ରଦାନ କରିଥିବାରୁ ସହରରେ ଟ୍ରାଫିକ୍ ସମସ୍ୟା ଦ୍ୱିଗୁଣିତ ହୋଇଛି। ରାସ୍ତା ନିର୍ମାଣ ଓ ମରାମତି ପାଇଁ ଜାତୀୟ ରାଜପଥ, ପୁର୍ତ୍ତବିଭାଗ ଓ ବିଜ୍ଞାପିତ ଅଂଚଳ ପରିଷଦ ଅଧିନରେ ରହିଥିବାବେଳେ ସହର ଜଳ ଓ ପରିମଳ ବିଭାଗ, ଦୂରସଂଚାର ବିଭାଗ ମଧ୍ୟରେ ତାଲମେଳ  ଅଭାବରୁ ବର୍ଷତମାମ୍ ଗାତ ଖୋଳା ଓ ପୋତା କାମ ଜାରି ରହିଛି। ବୌଦ୍ଧ ସହରର ମୁଖ୍ୟଛକ ଏନ୍.ଏ.ସି. ଛକଠାରେ ପାନୀୟ ଜଳ ବିଭାଗ ପକ୍ଷରୁ ଡିଷ୍ଟ୍ରିବ୍ୟୁସନ୍ ପଏଣ୍ଟ୍ ରାସ୍ତା ଉପରେ ନିର୍ମାଣ କରାଯାଇ ରାସ୍ତା ଅବରୋଧ କରାଯାଇଛି। ସେହିପରି ସମସ୍ତ ରାସ୍ତା ଗଳିରେ ଏହିପରି ରାସ୍ତା ଅବରୋଧ କରିଥିବା ଅଭିଯୋଗ ହୋଇଅଛି। ସହର ମଧ୍ୟରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଚାରିଚକିଆ ଯାନ ମୁଖ୍ୟରାସ୍ତା ଉପରେ ଦିନରାତି ରହୁଛି, ଯାହାଫଳରେ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ଦେଖାଦେଉଛି। ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଅନୁଦାନ ବିକାଶ ପାଇଁ ଖର୍ଚ୍ଚ କରାଯାଉଥିବା ବେଳେ ସାଧାରଣ ଉଠାଦୋକାନୀମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଯୋଜନା ପ୍ରସ୍ତୁତ କରାଯାଇ ନାହିଁ। ଯାହାଫଳରେ ସେମାନେ ମୁଖ୍ୟରାସ୍ତା ଉପରେ ଜବରଦଖଲରେ ବ୍ୟବସାୟ କରିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ଉଠାଦୋକାନୀ ସଂଘ ଦାବୀ କରିଛନ୍ତି। ସହର ମୁଖ୍ୟ ରାସ୍ତାରେ ଜବରଦଖଲରେ ରହି ବ୍ୟବସାୟ କରି ନିଜ ପରିବାରର ପ୍ରତିପୋଷଣ କରୁଥିବା ବ୍ୟକ୍ତିମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରି ସହରର ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଇ ପାରିଲେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହିତ ଯାନବାହାନ ଓ ଜନସାଧାରଣଙ୍କ ଯାତାୟତରେ ଅସୁବିଧା ଦୂର ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।

ମତାମତ :

- Advertisement -

ଦିନକୁ ଦିନ ଯାନବାହନର ଅହେତୁକ ବୃଦ୍ଧି, ବେପରୁଆ ଗାଡି ଚାଳନା ସଂକୀର୍ଣ୍ଣ ହୋଇ ପଡୁଥିବା ରାସ୍ତା ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ବର୍ତମାନ ବାଇପାସ୍ ରାସ୍ତାର ଆବଶ୍ୟକତା ଜରୁରୀ ହୋଇ ଗଲାଣି। ରାସ୍ତାକଡରୁ  ଅବରୋଧ ହଟାଇ ଦିଆଗଲେ ଯାନବାହନ ଚଳାଚଳରେ କିଛିମାତ୍ରାରେ ସୁଧାର ଆସିବ। ମୁଖ୍ୟ ଛକ ଏବଂ ମୁଖ୍ୟରାସ୍ତାଗୁଡିକରେ ଟ୍ରାଫିକ ନିୟମ କଡାକଡି ପାଳନ କରାଗଲେ ସାଧାରଣ ଭାବେ ଗମନାଗମନର ସୁବିଧା ହୁଅନ୍ତା।

ସୁନିଲ କୁମାର ପଣ୍ଡା , ଓକିଲ

ବିଗତ କିଛିବର୍ଷ ଭିତରେ ବୌଦ୍ଧ ସହର ଓ ବୌଦ୍ଧଜିଲ୍ଲା ଭିତରେ ରାସ୍ତା ଦୁର୍ଘଟଣା ଏବଂ ତତ୍‌ଜନିତ ମୃତ୍ୟୁ ଖୁବ୍ ଅଧିକ ରହିଛି। ବେପରୁଆ ଗାଡିଚାଳନକୁ ବନ୍ଦ କରିବା ପାଇଁ କିଛି ସ୍ଥାନରେ ସ୍ୱୟଂଚାଳିତ ରାଡାର ବ୍ୟବସ୍ଥା କରି କଡା ଦଣ୍ଡବିଧାନ କରାଗଲେ ଏହାର ସମାଧାନ ହୋଇପାରିବ।

ସୁଶାନ୍ତ କୁମାର ମହାପାତ୍ର, ଶିକ୍ଷାବିତ୍

ବୌଦ୍ଧ ସହରରେ ବାଇପାସ ନିର୍ମାଣ ସଂପୁର୍ଣ୍ଣ ହୋଇ ପାରି ନାହିଁ। ସହର ଭିତରେ ପୁର୍ତ୍ତବିଭାଗ ଅଧିନରେ ରହିଥିବା ମହାନଦୀ କୁଳ ରାସ୍ତା ଓ ମାର୍କେଟ ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ୫୭ନଂ ଜାତୀୟ ରାଜପଥ ଉପରେ ସମସ୍ତେ ନିର୍ଭର କରୁଛନ୍ତି। ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂଯୋନ ସ୍ଥାପନ ଓ ମହାନଦୀ କୁଳରେ ପୂର୍ବ ପ୍ରସ୍ତାବିତ ରିଂରୋଡ ନିର୍ମାଣ କରାଗଲେ ଟ୍ରାଫିକ ସମସ୍ୟାରେ ସୁଧାର ଅଣାଯାଇ ପାରିବ।

ଦେବାଶିଷ ପୁରୋହିତ, ସାମ୍ବାଦିକ

ଯାନବାହାନ ସଂଖ୍ୟା ବୃଦ୍ଧି ସହିତ ଟ୍ରାଫିକ ନିୟମକୁ କଡାକଡି ଭାବରେ ପାଳନ କରାଯାଉନାହିଁ। ବିଶେଷ ଭାବରେ ବୌଦ୍ଧ ସହରର ରାସ୍ତା ଗୁଡିକ ମାଷ୍ଟରପ୍ଲାନ ଅନୁଯାୟୀ ନିର୍ମାଣ ହୋଇନଥିବାରୁ ପାର୍କିଂ ସମସ୍ୟା ବୃଦ୍ଧି ପାଉଛି। ସାଧାରଣଲୋକ ରାସ୍ତା ଉପରେ ଉଠାଦୋକନ ଓ ଗାଡି ପାର୍କିଂ କରୁଥିବା ଯୋଗୁଁ ଦୁର୍ଘଟଣାର ଆଶଙ୍କା ଲାଗିରହୁଛି। ସହର ମଧ୍ୟରେ ଦ୍ରୁତ ଗତିରେ ବାଇକ ଚାଳନାକୁ ପୁଲିସ ପକ୍ଷରୁ କଡାକଡି ଭାବରେ ରୋକାଯିବା ସହିତ ଦୋକାନ ଗୁଡିକ ସମ୍ମୁଖରେ ପାର୍କିଂ ବ୍ୟବସ୍ଥା କରାଗଲେ ଅନେକାଂଶରେ ସମସ୍ୟାର ସମାଧାନ ହୋଇପାରନ୍ତା ।

ଆଶୁତୋଷ ମହାପାତ୍ର, ବୌଦ୍ଧ

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories