www.samajalive.in
Wednesday, December 10, 2025
18.1 C
Bhubaneswar

ବ୍ରହ୍ମପୁର ଆଇଜର୍‌ ଛାତ୍ରଙ୍କ ପ୍ରକଳ୍ପକୁ ଆନ୍ତର୍ଜାତିକ ପୁରସ୍କାର

ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର୍‌)ର ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ ଫ୍ଲୋରୋସେନ୍ସ ରିଜୋନାନ୍ସ ଏନର୍ଜି ଟ୍ରାନ୍ସଫର ପ୍ରୋଟିନ ଆଣ୍ଡ ପେଟିଡେସ (ଫ୍‌ଆର୍‌ଏପିପିଇ) ପ୍ରକଳ୍ପକୁ ମିଳିଛି ଆନ୍ତର୍ଜାତିକ ପୁରସ୍କାର। ବିଶ୍ୱର ସର୍ବବୃହତ ସିନ୍ଥେଟିକ୍ ଵାୟୋଲୋଜି ପ୍ରତିଯୋଗିତା ଆନ୍ତର୍ଜାତୀୟ ଜେନେଟିକ୍ ଇଞ୍ଜିନିୟରିଂ ମେସିନ୍(ଆଇଜିଇଏମ୍‌)ରେ ଏହି ପ୍ରକଳ୍ପକୁ ମିଳିଛି ସ୍ବର୍ଣ୍ଣ ପଦକ। ସାରା ବିଶ୍ବରୁ ୩୬ଟି ଦେଶର ୨୪୯ ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲା। ଡେଙ୍ଗୁ ରୋଗକୁ ଭଲ କରିବା ପାଇଁ ପ୍ରସ୍ତୁତ ହେଉଥିବା ଔଷଧଗୁଡ଼ିକ କେତେ ଫଳପ୍ରଦ, ତାହା ଏଫ୍‌ଆର୍‌ଏପିପିଇ ପ୍ରକଳ୍ପ ଦ୍ବାରା ଜାଣିହେବ। ଏହି ଅଭିନବ ପ୍ରକଳ୍ପକୁ ବିଚାରକମାନେ ବେଶ୍‌ ପ୍ରଶଂସା କରିଛନ୍ତି। ପ୍ରତିବର୍ଷ ବିଶ୍ବର ଭିନ୍ନଭିନ୍ନ ଦେଶରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁ ଏହା ଭର୍ଚୁଆଲ୍‌ରେ ଅନୁଷ୍ଠିତ ହୋଇଥିଲା।
ଛାତ୍ରଙ୍କ କହିବାନୁଯାୟୀ, ବିଗତ ୫୦ ବର୍ଷ ମଧ୍ୟରେ ଏଡିସ୍ ମଶାଜନିତ ରୋଗ ୩୦ ଗୁଣ ବୃଦ୍ଧି ପାଇଛି। ଏହା ମାନବଜାତି ପାଇଁ ସାମାଜିକ ଏବଂ ଆର୍ଥିକ ସଂକଟ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ଯେଉଁ ଔଷଧ ଉଦ୍‌ଭାବନ ହୋଇଛି ତାହା ଫଳପ୍ରଦ ହେଉନାହିଁ । ଗୋଟିଏ ଭାଇରସ୍‌ ଯେତେବେଳେ କୌଣସି ମଣିଷ ଶରୀରରେ ପ୍ରବେଶ କରିଥାଏ, ତାହା ଧିରେଧିରେ ସଂପୂର୍ଣ୍ଣ ଶରୀରକୁ ନିଜ ଅକ୍ତିଆରକୁ ନେଇଯାଏ। ଭାଇରସ୍‌ ଯୋଗୁ ଶରୀର ଭିତରେ ପ୍ରୋଟିନ୍‌ଗୁଡ଼ିକ ମଧ୍ୟରେ ପାରସ୍ପରିକ କ୍ରିୟା ହୋଇଥାଏ। ଯାହା ଭାଇରସ୍‌ର ପ୍ରସାରରେ ସହାୟକ ହୋଇଥାଏ। ଏଣୁ ଭାଇରସ୍‌ ମାରିବା ପାଇଁ ଔଷଧର ସାହାଯ୍ୟ ନିଆଯାଏ। ତେବେ ସେଇ ଔଷଧ କେତେ ଫଳପ୍ରଦ, ତାହାର ଗବେଷଣାରେ ଅନେକ ସମୟରେ ବହୁ ବର୍ଷ ଲାଗିଯାଏ। କିନ୍ତୁ ପ୍ରସ୍ତୁତ ପ୍ରକଳ୍ପ ଦ୍ବାରା ଔଷଧଗୁଡ଼ିକର ପ୍ରଭାବ ସଂପର୍କରେ ସଠିକ୍‌ ସୂଚନା ମିଳିପାରିବ। ଯାହାଦ୍ବାରା ଔଷଧ ପ୍ରସ୍ତୁତିରେ କମ୍‌ ସମୟ ଲାଗିବ। ଡେଙ୍ଗୁ ଔଷଧ ପ୍ରସ୍ତୁତି ପାଇଁ ଏହି ପ୍ରକଳ୍ପର କଳ୍ପନା କରାଯାଇଥିଲା। କିନ୍ତୁ ଅନ୍ୟାନ୍ୟ ସଂକ୍ରମଣ ରୋଗ ପାଇଁ ପ୍ରସ୍ତୁତି ହେଉଥିବା ଔଷଧ ପାଇଁ ମଧ୍ୟ ଏହି ପ୍ରକଳ୍ପକୁ ବ୍ୟବହାର କରାଯାଇପାରିବ ବୋଲି ଛାତ୍ରମାନେ କହିଛନ୍ତି। ଏହି ପ୍ରକଳ୍ପର ପରିକଳ୍ପନା ସହ ଛାତ୍ରମାନେ ଆଇଜିଇଏମ୍‌ରେ ଅଂଶଗ୍ରହଣ କରିଥିଲେ। ଆଇଜିଇଏମ୍‌ ଫାଉଣ୍ଡେସନ୍‌ ତରଫରୁ ପ୍ରତିବର୍ଷ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ସିନ୍ଥେଟିକ୍ ବାୟୋଲୋଜିର ଶିକ୍ଷା ଏବଂ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା ଏହି ଫାଉଣ୍ଡେସନର ଲକ୍ଷ୍ୟ। ପ୍ରତିଯୋଗିତାରେ ସଫଳତା ହାସଲ କରୁଥିବା ପ୍ରକଳ୍ପଗୁଡ଼ିକର ବିଶ୍ବର ବଡ଼ ବଡ଼ କମ୍ପାନି ବ୍ୟବହାର କରିଥାନ୍ତି। ସମଗ୍ର ବିଶ୍ୱର ବିଚାରପତିଙ୍କ ଏକ ବିଶେଷଜ୍ଞ ପ୍ୟାନେଲ୍ ଅଂଶଗ୍ରହଣକାରୀଙ୍କ ଦଳଗତ କାର୍ୟ୍ୟ, ଦାୟିତ୍ବ, ଉଦ୍ୟୋଗିତା, ଅଂଶୀଦାର, ନିରାପତ୍ତା ଅନୁଯାୟୀ ମୂଲ୍ୟାଙ୍କନ କରିଥାନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବ୍ରହ୍ମପୁର ଆଇଜର୍‌ର ଛାତ୍ରମାନେ ଏଥିରେ ଭାଗ ନେଇଥିଲେ। କରୋନା ସତ୍ତ୍ବେ ଦଳର ସଦସ୍ୟମାନେ ନିଜ ନିଜ ଘରେ ରହି ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ଆଇଜର୍‌ର ନିର୍ଦେଶକ ପ୍ରଫେସର କେ.ଭି.ଆର ଚାରି ଏବଂ ଅନ୍ୟ ଅଧ୍ୟାପକ ଅଧ୍ୟାପିକମାନେ ମାର୍ଗଦର୍ଶନ କରିଥିଲେ। ଏହି ପ୍ରକଳ୍ପ ପ୍ରସ୍ତୁତିର ୯ ମାସର ଯାତ୍ରାରେ ସହକାରୀ ପ୍ରଫେସର୍‌ ଡ.ଆର.ସେଲଭି ଏବଂ ଡ.ସନ୍ଦୀପ ଚାଟାର୍ଜୀ ପରାମର୍ଶ ଦେଉଥିଲେ। ଦଳରେ ଛାତ୍ରଛାତ୍ରୀ ଗୋକୁଳ ଭାସ୍କରନ୍‌, ହରିସ୍‌ ସେନାପତି, ସୁକନ୍ୟା ଚକ୍ରବର୍ତ୍ତୀ, ବିନାୟକ ଶିବ୍‌, ଚିତ୍ରକ ଭୋମିକ୍‌, ଦୀପ୍‌ଜ୍ୟୋତି ଶତପଥୀ, ଗୋକୁଲ ମାଧବ, ଜ୍ଞାନରଞ୍ଜନ ପରିଡ଼ା, ନିହାର ବର୍ମା, ସୁଦେବ ପ୍ରଧାନ, ତିନିଷ୍ଟା ଭଟ୍ଟାଚାର୍ୟ୍ୟ, ୟୁ, ଅବିନାଶ ପାତ୍ର, କେ. ରୟଚକ୍ରବର୍ତ୍ତୀ, ପ୍ରଚିତି ଭିଟ୍ଟଲ୍‌ ଏବଂ ସୟାନ୍ତନି ବିଶ୍ବାସ ପ୍ରମୁଖ ରହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories