’ଟିମ୍ ଇଣ୍ଡିଆ’ ଖେଳାଳି ରହୁଥିବା ହୋଟେଲ ନିକଟରେ ବିମାନ ଦୁର୍ଘଟଣା
ଅଷ୍ଟ୍ରେଲିଆଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଟିମ୍ ଯେଉଁ ହୋଟେଲରେ କ୍ବାରେଣ୍ଟାଇନରେ ରହୁଛନ୍ତି, ସେହି ହୋଟେଲ ପାଖରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ ହୋଟେଲ ବା ଟିମ୍ ଇଣ୍ଡିଆର କୌଣସି ଖେଳାଳିଙ୍କର କୌଣସି କ୍ଷତି ଘଟିନାହିଁ । ତେବେ ଯେଉଁ ପଡ଼ିଆରେ ବିମାନଟି ଖସି ପଡ଼ିଛି ସେଠାରେ ସ୍ଥାନୀୟ କ୍ରିକେଟ ଓ ଫୁଟବଲ ମ୍ୟାଚ ଖେଳା ଯାଉଥିଲା । ବିମାନ ଖସୁଥିବା ଦେଖି ଖେଳାଳିମାନେ ପଡ଼ିଆ ବାହାରକୁ ଚାଲି ଯାଇଥିଲେ ।
ସୂଚନା ଅନୁସାରେ ଏହି ବିମାନରେ ୨ ଜଣ ଲୋକ ଥିଲେ ଓ ସିଡ଼ନୀ ଅଲମ୍ପିକ ପାର୍କଠାରୁ ଘଟଣା ୩୦ କିଲୋମିଟର ଦୂରରେ କରୋମାର ପାର୍କ ପଡ଼ିଆରେ ଘଟିଛି । ସେଠାରେ ଏକ ହୋଟେଲରେ ଟିମ୍ ଇଣ୍ଡିଆର ଖେଳାଳିମାନେ ସଙ୍ଗରୋଧରେ ଅଛନ୍ତି । ସେମାନଙ୍କର କୋଭିଡ଼ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ଶନିବାରଠାରୁ ଅଭ୍ୟାସ କରିବାକୁ ଅନୁମତି ଦିଆଯାଇଛି ।
ନଭେମ୍ବର ୨୭ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ଗସ୍ତକାଳରେ ଭାରତୀୟ ଦଳ ୩ଟି ଦିନିକିଆ, ୩ଟି ଟି-୨୦ ଓ ଚାରିଟି ଟେଷ୍ଟ ମ୍ୟାଚ ଖେଳିବ । ପ୍ରଥମ ଟେଷ୍ଟରେ ବିରାଟ କୋହଲି ଖେଳିବା ପରେ ସ୍ବଦେଶ ପ୍ରତ୍ୟାବର୍ତନ କରିବେ ଓ ଅବଶିଷ୍ଟ ୩ ମ୍ୟାଚରେ ଅଜିଙ୍କ୍ୟ ରାହାଣେ ଦଳର ନେତୃତ୍ବ ନେବେ ।
Comments are closed.