www.samajalive.in
Monday, December 8, 2025
14.1 C
Bhubaneswar

ପର୍ଯ୍ୟଟକଙ୍କ ଆକର୍ଷଣ-ମହେନ୍ଦ୍ର ତନୟା ନଦୀ ଶଯ୍ୟାର ପ୍ରାକୃତିକ ମନୋରମସ୍ଥଳ ‘ହୋମଗଣ୍ଡ’

ପାତ୍ରପୁର: ଆନ୍ଧ୍ର ସୀମାନ୍ତ ଦେଇ ପ୍ରବାହିତ ମହେନ୍ଦ୍ର ତନୟା ନଦୀ ଶଯ୍ୟାର ପ୍ରାକୃତିକ ମନୋରମ ପରିବେଶରେ ରହିଥିବା ‘ହୋମଗଣ୍ଡ’ ଏବେ ଆନ୍ଧ୍ରବାସୀଙ୍କ ପାଇଁ ଆକର୍ଷଣୀୟ ପର୍ୟ୍ୟଟନ ସ୍ଥଳ ଭାବେ ଉଭା ହୋଇଛି। ଗଞ୍ଜାମ ଜିଲାର ଏହି ନୂଆ ପର୍ଯ୍ୟଟନସ୍ଥଳ ‘ହୋମଗଣ୍ଡ’ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କଲା ଭଳି ସମସ୍ତ ସାଧନ ଏହି ସ୍ଥଳରେ ରହିଥିବାରୁ ଏହାର ମଜା ନେବାକୁ ପ୍ରତିଦିନ ଆନ୍ଧ୍ରରୁ ପର୍ୟ୍ୟଟକଙ୍କ ସୁଅ ଛୁଟୁଛି।

ଗଞ୍ଜାମ ଜିଲା ଅନ୍ତର୍ଗତ ପାତ୍ରପୁର ବ୍ଲକର ବିଚ୍ଛିନ୍ନାଞ୍ଚଳ ବାତରାସାହି ଆଦିବାସୀ ଗ୍ରାମ ନିକଟରେ ରହିଛି ଆକର୍ଷଣୀୟ ହୋମଗଣ୍ଡ। ମହେନ୍ଦ୍ରଗିରିରୁ ଉତ୍ପତ୍ତି ହୋଇଥିବା ମହେନ୍ଦ୍ରତନୟା ନଦୀରେ ଗତ ତିତଲି ବାତ୍ୟା ପରେ ପରେ ପାହାଡ ଉପରୁ ଅନବରତ ପାଣିଝର ପ୍ରବାହିତ ହୋଇଥିଲା। ବାତରାସାହି ହୋମଗଣ୍ଡ ପାର୍ବତ୍ୟ ଶଯ୍ୟାଠାରୁ ପ୍ରାୟ ଏକ କିଲୋମିଟର ପର୍ୟ୍ୟନ୍ତ ନଦୀ ପଥରେ ବଡ଼ ବଡ଼ ପଥର ଖଣ୍ଡ ଦୃଷ୍ଟିଗୋଚର ହୋଇ ଥିଲା। ଏବେ ନଦୀ ଜଳ ପଥର ଉପର ଦେଇ ପ୍ରବାହିତ ହୋଇ ଶୋଭା ବର୍ଦ୍ଧନ କରୁଛି। କେତେକ ସ୍ଥାନରେ ବୃହତ୍ତକାୟ ପଥର ଉପର ଦେଇ ପାଣି ତଳକୁ ଛିଟିକି ପଡିବା ଦୃଶ୍ୟ ପର୍ୟ୍ୟଟକଙ୍କୁ ଆତ୍କୃଷ୍ଟ କରିଛି। ଗତବର୍ଷ ପ୍ରଥମ ଥର ପାଇଁ ଆନ୍ଧ୍ରର ପର୍ୟ୍ୟଟକମାନେ ଏଭଳି ମନୋରମ ସ୍ଥଳ ସମ୍ପର୍କରେ ଜାଣିବା ପରେ ସେଠାରେ ଭିଡ ଜମାଇଥିଲେ। ଚଳିତ ବର୍ଷ କେରୋନା କଟକଣା କାରଣରୁ ଘରେ ବସି ରହିଥିବା ଲୋକେ ଏହି ସ୍ଥଳକୁ ନିୟମିତ ଆସି ପ୍ରାକୃତିକ ପରିବେଶ ଉପଭୋଗ କରୁଛନ୍ତି।
ଦିନକୁ ଦିନ ହୋମଗଣ୍ଡରେ ପର୍ୟ୍ୟଟକଙ୍କ ଭିଡ ବୃଦ୍ଧି ପାଇବାରେ ଲାଗିଛି। ସ୍ଥଳର ତିନି ପାର୍ଶ୍ୱ ଘଞ୍ଚ ଜଙ୍ଗଲରେ ଆଚ୍ଛାଦିତ। ଏହାର ଆଖପାଖରେ ପାତ୍ରପୁର ବ୍ଲକର ତୁମ୍ବା ଏବଂ ବୁରାତାଲ ପଞ୍ଚାୟତର କିଛି ଆଦିବାସୀ ଗ୍ରାମ ରହିଛି। ହୋମକୁଣ୍ଡଠାରୁ ପ୍ରାୟ ଚାରି କିଲୋମିଟର ତଳ ଅଂଶରେ ଆନ୍ଧ୍ରପ୍ରଦେଶର କଳିଙ୍ଗ ଦଳା ଜଳସେଚନ ପ୍ରକଳ୍ପ ରହିଛି , ଯାହାକି ପର୍ୟ୍ୟଟକଙ୍କୁ ଆକର୍ଷିତ କରୁଛି। ଏବେ ଆନ୍ଧ୍ର ସୀମାନ୍ତ ମଞ୍ଜୁଷା, ଟେକିଲି, ସୋମପେଣ୍ଠ, ବାରୁଆ ଅଞ୍ଚଳର ପର୍ୟ୍ୟଟକମାନେ ପିଲାଛୁଆ ଧରି ଏହି ସ୍ଥାନକୁ ଆସୁଛନ୍ତି। ଏହି ସ୍ଥାନକୁ ଯିବାକୁ ହେଲେ ଆନ୍ଧ୍ରପ୍ରଦେଶର ସୋମପେଣ୍ଠ ଜାତୀୟ ରାଜ ପଥରୁ ମଞ୍ଜୁଷା ଦେଇ ମହେନ୍ଦ୍ରତନୟା ଜଳ ଭଣ୍ଡାର ତଳ ଅଂଶଦେଇ ଯିବାକୁ ହୋଇ ଥାଏ।

- Advertisement -

ପାତ୍ରପୁରରୁ ଏହି ସ୍ଥାନକୁ ଯିବାକୁ ହେଲେ କୋଡିଏ କିଲୋମିଟର ତୁମ୍ବା ଯାଇ ସେଠାରୁ ଗୌଡୁଣି ଆଶ୍ରମ ସ୍କୁଲ ରାସ୍ତାରେ ମହେନ୍ଦ୍ରତନୟା ନଦୀ ପାର କରି ଆନ୍ଧ୍ର ପଥରେ ବାତରାସାହି ଯିବାକୁ ହୋଇଥାଏ। ପାତ୍ରପୁର ଠାରୁ ଏହି ସ୍ଥାନର ଦୂରତା ପ୍ରାୟ ପଚାଶ କିଲୋମିଟର । ଜାତୀୟ ରାଜପଥ ଦେଇ ଗଲେ ପାତ୍ରପୁରରୁ ୨୦ କିଲୋମିଟର ଦୂରତା ପଡୁଛି। ପାତ୍ରପୁରଠାରୁ ହୋମଗଣ୍ଡକୁ ଯିବାକୁ ହେଲେ ଦୁଇଟି ସ୍ଥାନରେ ନଦୀ ପାର କରିବାକୁ ପଡିଥାଏ। ନଦୀରେ ପୋଲ ନଥିବା କାରଣରୁ ପାତ୍ରପୁର ବ୍ଲକର ୧୮ଟି ଆଦିବାସୀ ଗ୍ରାମର ଲୋକେ ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟୁଛନ୍ତି। ପୂର୍ବରୁ ଏହି ଅଞ୍ଚଳ ମାଓବାଦୀଙ୍କ କବ୍ଜାରେ ରହିଥିଲା। ବାତରାସାହି ଗ୍ରାମଠାରେ ଥିବା ଜଙ୍ଗଲ ବିଭାଗ ବିଟ ହାଉସକୁ ମାଓବାଦୀ ଉଡାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ଦୁର୍ଗମ ଅଞ୍ଚଳରୁ ବିଭିନ୍ନ ଗ୍ରାମର ଲୋକଙ୍କୁ ପାହାଡ ତଳକୁ ଅଣାଯାଇ ଥଇଥାନ କରାଯାଇଥିଲା। ଏ ମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡିଶା ପଥରେ ଏହିସବୁ ଗ୍ରାମକୁ ରାସ୍ତା ନିର୍ମାଣ ହୋଇପାରିନାହିଁ।

ତିତଲି ପରେ ଏହି ଅଞ୍ଚଳରେ ଥିବା ବାତରାସାହି ହୋମଗଣ୍ଡ ଆନ୍ଧ୍ର ପର୍ୟ୍ୟଟକଙ୍କୁ ଆତ୍କୃଷ୍ଟ କରୁଥିବା ବେଳେ ଓଡ଼ିଶାବାସୀ ଏହି ମନୋରମ ସ୍ଥଳ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଅଛନ୍ତି। ଏପରିକି ଜିଲା ପର୍ୟ୍ୟଟନ ବିଭାଗ ନିକଟରେ ଏ ସଂକ୍ରାନ୍ତରେ କୌଣସି ସୂଚନା ନଥିବା ମନେ ହୋଇଛି। ଆନ୍ଧ୍ର ସୀମାନ୍ତ ପ୍ରାକୃତିକ ସୌନ୍ଦର୍ୟ୍ୟ ଜଙ୍ଗଲ ଘେରା ମଧ୍ୟରେ ଥିବା ଏହି ଅଞ୍ଚଳର ବିକାଶ କରିପାରିଲେ ହୋମଗଣ୍ଡ ଭଳି ପର୍ୟ୍ୟଟନ ସ୍ଥଳ ଆପେ ଆପେ ବିକଶିତ ହୋଇପାରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories