www.samajalive.in
Sunday, December 7, 2025
15.1 C
Bhubaneswar

ସମ୍ବଲପୁରର ପ୍ରଥମ ସୌରଚାଳିତ ମାଇକ୍ରୋ ଶୀତଳ ଭଣ୍ଡାର; ୪ରେ ଉଦଘାଟନ କରିବେ କୃଷି ମନ୍ତ୍ରୀ

ସମ୍ବଲପୁର : ସାରା ଦେଶରେ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଚାଷୀମାନେ ବର୍ଷତମାମ୍ ଫସଲ ନଷ୍ଟ ଜନିତ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ଚାଷୀମାନଙ୍କର ବାରମ୍ବାର ଦାବି ସତ୍ୱେ ଆବଶ୍ୟକତା ଅନୁଯାୟୀ ଶୀତଳ ଭଣ୍ଡାର ନିର୍ମାଣ କରାଯାଇ ପାରି ନାହିଁ। ଏଭଳି କ୍ଷେତ୍ରରେ ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକ ଅର୍ନ୍ତଗତ ସନାତନପାଲି ଗ୍ରାମର ଚାଷୀମାନେ ଯୁଗ ସହିତ ତାଳ ଦେଇ ନିଜର ଆବଶ୍ୟକତା ପୂରଣ ପାଇଁ ମିଳିତ ଭାବରେ ଜିଲାରେ ପ୍ରଥମ ସୌର ଶକ୍ତି ଚାଳିତ ମାଇକ୍ରୋ ଶୀତଳ ଭଣ୍ଡାର ସ୍ଥାପନ କରୁଛନ୍ତି। ଆସନ୍ତା ୪ ତାରିଖରେ ଏହି ସୌର ଚାଳିତ ଶୀତଳ ଭଣ୍ଡାରକୁ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଉଦଘାଟନ କରିବେ ବୋଲି ସନାତନପାଲିର ଅଗ୍ରଣୀ ଚାଷୀ ମନବୋଧ ବାରିକ କହିଛନ୍ତି। ଏହି ଶୀତଳ ଭଣ୍ଡାର ଦ୍ୱାରା ଯୁଯୁମୁରା ବ୍ଲକ ଅର୍ନ୍ତଗତ କବରାପାଲି, ବାହାମ ଓ ଘେନୁପାଲି ଗ୍ରାମର ପ୍ରାୟ ୮୦୦ ଚାଷି ଉପକୃତ ହେବେ। ଏହା ସହିତ ଆଖପାଖର ଅନ୍ୟ ଗ୍ରାମ ପଞ୍ଚାୟତର ଚାଷୀମାନେ ମଧ୍ୟ ଏହାର ଉପଯୋଗ କରିପାରିବେ। ଏହି ଅଞ୍ଚଳରେ ଚାଷିମାନେ ମିଶ୍ରିତ ଚାଷ କରୁଛନ୍ତି। ଧାନ ସହିତ ଦୁଗ୍ଧ, ପନିପରିବା, ଫଳମୂଳ, ବିଭିନ୍ନ କିସମର ଫୁଲ ଆଦି ବର୍ଷତମାମ୍ ଚାଷ କରି ଉତ୍ପାଦନ କରୁଛନ୍ତି। ତେବେ ଚାଷୀମାନେ ଚାଷ କରି ଅଧିକ ଉତ୍ପାଦନ କରିଲେ ଯଦି ଦ୍ରବ୍ୟ ଠିକ ସମୟରେ ବିକ୍ରି ନ ହୁଏ ତେବେ ସେଗୁଡିକ ନଷ୍ଟ ହୋଇ ଯାଉଛି। ସମ୍ବଲପୁରଠାରେ ରହିଥିବା ସରକାରୀ ଶୀତଳ ଭଣ୍ଡାର ଦୀର୍ଘ ବର୍ଷ ହେବ ଅଚଳ ହୋଇ ପଡିଥିବାବେଳେ ଜିଲାରେ କାଁଭାଁ ରହିଥିବା ବେସରକାରୀ ଶୀତଳ ଭଣ୍ଡାରଗୁଡିକରେ ଚାଷୀ ଉତ୍ପାଦିତ ଦ୍ରବ୍ୟ ଉଚ୍ଚ ଭଡା ଦେଇ ରଖିବା ସମ୍ଭବପର ନୁହେଁ। ସରକାରୀ ସ୍ତରରେ ନୂତନ ଶୀତଳ ଭଣ୍ଡାର ଅଥବା ଅଚଳ ପଡିଥିବା ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ ହେଉ ନ ଥିବାରୁ ବର୍ଷ ପରେ ବର୍ଷ ଚାଷୀ ଫସଲ ନଷ୍ଟ ଅଥବା ନିମ୍ନ ମୂଲ୍ୟରେ ବିକ୍ରି କରି କ୍ଷତି ସହି ଚାଲିଛି।

ଏଭଳି ସ୍ଥଳରେ ସମ୍ବଲପୁରର ସ୍ୱେଚ୍ଛାସେବୀ ଆଦର୍ଶ ଅନୁଷ୍ଠାନର ଉଦ୍ୟମରେ ସନାତପାଲିର କିଛି ଅଗ୍ରଣୀ ଚାଷୀମାନଙ୍କୁ ଅଞ୍ଚଳରେ ସୌର ଶକ୍ତି ଚାଳିତ ମାଇକ୍ରୋ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ବୁଝାଯାଇଥିଲା। ଏଣୁ ଅଗ୍ରଣୀ ଚାଷୀ ମନବୋଧ ବାରିକଙ୍କ ନେତୃତ୍ୱରେ ଏକ ଗ୍ରୁପ ଗଢ଼ାଯାଇ ଏହି ଶୀତଳ ଭଣ୍ଡାରକୁ ସ୍ଥାପନ କରାଯାଉଛି। ଅନ୍ୟ ପଟରେ ଆଦର୍ଶ ଅନୁଷ୍ଠାନ ଟେଲକୋ ଫାଉଣ୍ଡେସନ ସହିତ ସମନ୍ୱୟ ରକ୍ଷା କରି ପ୍ରାୟ ୧୭ ଲକ୍ଷ ଟଙ୍କାର ବ୍ୟୟରେ ଏହାର କାର୍ଯ୍ୟ ଜୋରସୋରରେ ଚାଲିଛି। ଏଥିପାଇଁ ସନାତନପାଲି ଗ୍ରାମର ମାର୍କେଟ ୟାର୍ଡଠାରେ ରହିଥିବା ଜମିରେ ଏହାର ସ୍ଥାପନ କରାଯାଉଥିବାବେଳେ ଗତ ଶୁକ୍ରବାର କଣ୍ଟେନର ଯୁକ୍ତ ଶୀତଳ ଭଣ୍ଡାର ଗ୍ରାମରେ ପହଞ୍ଚି ସାରିଛି। ଏହି ମାଇକ୍ରୋ ଶୀତଳ ଭଣ୍ଡାର ଆକାରରେ ୨୦ ଫୁଟ ଲମ୍ବ, ୮ ଫୁଟ ଦୈର୍ଘ୍ୟ ଓ ୮ ଫୁଟ ଉଚ୍ଚତା ବିଶିଷ୍ଟ ଅଟେ। ଏକ ସମୟରେ ୫୦ କ୍ୱିଣ୍ଟାଲ ଅଥବା ୫ ଟନ ପନିପରିବାର, ଦୁଗ୍ଧ, ଫଳମୂଳ, ଫୁଲ ଆଦି ରଖାଯାଇ ପାରିବ। ସ୍ଥାପିତ ହେଉଥିବା କଣ୍ଟେନରରେ ଦୁଇଟି ର‍୍ୟାକ କରାଯାଇ ଗୋଟିଏ ପଟରେ ପନିପରିବା ଏବଂ ଅନ୍ୟ ପଟରେ ଫଳ, ଫୁଲ ଏବଂ ଦୁଗ୍ଧ ରଖାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଆଦର୍ଶର ସମ୍ପାଦକ ପ୍ରଦୀପ ବେହେରା କହିଛନ୍ତି। ଶୀତଳ ଭଣ୍ଡାରରେ ରଖାଯାଉଥିବା ଦ୍ରବ୍ୟ ଗୁଡିକ ୪ରୁ ୧୦ ଡିଗ୍ରି ତାପମାନ, ୮୦ ରୁ ୯୫ ପ୍ରତିଶତ ଆଦ୍ରତା ମଧ୍ୟରେ ପନିପରିବାଗୁଡିକ ୭ ରୁ ୧୦ ଦିନ ଏବଂ ଅନ୍ୟାନ୍ୟ ସାମଗ୍ରୀଗୁଡିକ ୧୫ ରୁ ୩୦ ଦିନ ପର୍ଯ୍ୟନ୍ତ ରଖାଯାଇ ପାରିବ। ଏହି ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଟେଲକୋ ଫାଉଣ୍ଡେସନ ଶୀତଳ ଭଣ୍ଡାର କଣ୍ଡେନରର ଖର୍ଚ୍ଚ ବହନ କରୁଛି। ଗ୍ରାମର ଚାଷୀ ମାନେ ମିଳିତ ଭାବରେ ଚାନ୍ଦା ସଂଗ୍ରହ କରି କଣ୍ଟେନରକୁ ଆଣିବା ପାଇଁ ଖର୍ଚ୍ଚ ବହନ କରିଛନ୍ତି ଏବଂ ଆଦର୍ଶ ଅନୁଷ୍ଠାନ ସମସ୍ତ ପ୍ରକାରର ସମନ୍ୱୟ କାର୍ଯ୍ୟ ତଦାରଖ କରୁଛନ୍ତି। ପ୍ରତ୍ୟହ କ୍ଷତି ସହୁଥିବା ଚାଷୀମାନେ ଏହି ପ୍ରକଳ୍ପକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି। ଉଦଘାଟନ ପରେ ଗ୍ରାମରେ ଗଢ଼ା ଯାଇଥିବା ଗ୍ରୃପ ଦ୍ୱାରା ଏହାର ସଞ୍ଚାଳନ କରାଯିବ। ଜଣେ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଏହାର ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିଯୁକ୍ତ କରାଯିବ। ଅତି କମ ଭଡା ଦେଇ ଚାଷୀମାନେ ସେମାନଙ୍କର ଅଧିକ ଉତ୍ପାଦିତ ଦ୍ରବ୍ୟକୁ ସଂରକ୍ଷିତ କରିପାରିବେ ଏବଂ ସେମାନେ ସହୁଥିବା କ୍ଷତିରୁ ବର୍ତ୍ତି ପାରିବେ ବୋଲି ମନବୋଧ କହିଛନ୍ତି। ଅତି କମ ସ୍ଥାନ ଓ ସୌର ଚାଳିତ ଶକ୍ତି ସହିତ ଅତ୍ୟାଧୁନିକ ଟେକନୋଲୋଜିରେ ଲେସ ଏହି ଶୀତଳ ଭଣ୍ଡାର ଆଗାମୀ ଦିନରେ ବେଶ୍ ଆଦୃତ ହେବାର ସମ୍ଭାବନା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories