ବ୍ରଜରାଜନଗର : ଗତ ଶନିବାର ଝାରସୁଗୁଡ଼ା ତହସିଲ ଅଧିନସ୍ଥ ଚାନ୍ଦନୀମାଲ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଜସ୍ୱ ନିରୀକ୍ଷକ ସସ୍ମିତା ନାୟକ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତମାନେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ମୁଖ୍ୟ ଗେଟର ତାଲା ଭାଙ୍ଗି ୪ଟି ସିଲିଂ ଫ୍ୟାନ ଓ ଅଫିସରେ ବ୍ୟବହୃତ ଛୋଟ ମୋଟ ସାମଗ୍ରୀ ଆଦି ଚୋରି କରି ନେଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଚୋରମାନେ ରାତିରେ ଅଫିସ ଭିତରକୁ ପସିବା ପରେ ଅଫିସ ଟେବୁଲ ସାହାଯ୍ୟରେ ଫ୍ୟାନ ଗୁଡିକୁ ଖୋଲିବା ପରେ ମୂଲ୍ୟବାନ ଜିନିଷପତ୍ରର ସନ୍ଧାନରେ ସରକାରୀ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଫୋଫଡା ଫୋଫଡ଼ି କରି ଚାଲିଯାଇଥିଲେ। ଚୋରି ଘଟଣା ବାବଦରେ ବ୍ରଜରାଜନଗର ଥାନାରେ ଅଭିଯୋଗ ପରେ ପୋଲିସ କେସ ନମ୍ବର- ୩୩୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ନଳିତା ମୋଦି ସୂଚନା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଚାନ୍ଦନୀମାଲ ଗ୍ରାମ ତଥା ଜନ ବସତି ଅଂଚଳରୁ ବହୁ ଦୂର ନିଛାଟିଆ ସ୍ଥାନରେ ରହିଛି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ। ଏହାର ଚାରି ପଟେ ପାଚେରୀ ନଥିବାରୁ ଅଫିସଟି ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ରହିଛି। ସେହିପରି ଅଫିସର ଚାରି ପଟେ ଛୋଟ ଛୋଟ ବୁଦା, ଗଛ ଆଦି ଥିବାରୁ ବର୍ଷା ଦିନରେ ବିଷାକ୍ତ ସାପ ଓ ଅନ୍ୟାନ୍ୟ ବିଷଧର ଜୀବ କାର୍ଯ୍ୟାଳୟ ଭିତରକୁ ଅତି ସହଜରେ ପ୍ରବେଶ କରିଥାନ୍ତି । ସେପଟେ ଅଫିସରେ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ନଥିବା ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ। ତେବେ ଏଭଳି ପରିସ୍ଥିତିର ଚୋରମାନେ ଫାଇଦା ଉଠାଇ ଅଫିସରୁ ଚୋରି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ସୁରକ୍ଷାଦୃଷ୍ଟିରୁ ଚାନ୍ଦନୀମାଲ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନନ୍ତରଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।



