www.samajalive.in
Monday, December 8, 2025
13.1 C
Bhubaneswar

କଣ୍ଟାମାଳ ବିଜେପି କର୍ମୀ ଲୋକନାଥ ହତ୍ୟାକାଣ୍ଡ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଜିଲା ବିଜେପି ପକ୍ଷରୁ ଏସପି କାର୍ଯ୍ୟାଳୟ ଆଗରେ ଧାରଣା

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଜେପି କର୍ମୀ ଲୋକନାଥ ପ୍ରଧାନଙ୍କ ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାକୁ ନେଇ ଜିଲ୍ଲାରେ ରାଜନିତୀ ସରଗରମ ହେବାରେ ଲାଗିଛି। ଏହି ହତ୍ୟାକାଣ୍ଡ ମାମଲାରେ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ପୁଅ ସଂପୃକ୍ତ ଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯିବାପରେ ଏହାକୁ ନେଇ ଜିଲାରେ ଏକ ପ୍ରକାର ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଛି। ବିଜେପିର ରାଜ୍ୟ ନେତୃମଣ୍ଡଳୀ ଘଟଣାସ୍ଥଳ ପରିଦର୍ଶନ କରିବାପରେ ବୌଦ୍ଧ ଏସପିଙ୍କୁ ସାକ୍ଷାତ କରି ମୃତକ ବିଜେପି କର୍ମୀଙ୍କ ପିତାଙ୍କ ଅଭିଯୋଗ ଆଧାରରେ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଥିଲେ। ହତ୍ୟାକାଣ୍ଡ ମାମଲାରେ ପୁଲିସ ପକ୍ଷରୁ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ବିଜେପି ନେତାମାନେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମାମଲାରେ ପୁଲିସ ସ୍ଥାନୀୟ ବିଧାୟକଙ୍କ ପୁଅ ଓ ତାଙ୍କର ସମର୍ଥକଙ୍କୁ ସୁରକ୍ଷା ଯୋଗାଉଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

ଅପରପକ୍ଷରେ ଘଟଣାରେ ତାଙ୍କ ପୁଅର କୌଣସି ସଂପୃକ୍ତି ନାହିଁ, ତାଙ୍କର ଲୋକପ୍ରିୟତାରେ ବିଚଳିତ ହୋଇ ବିଜେପି ପକ୍ଷରୁ ହତ୍ୟାକାଣ୍ଡ ଘଟଣାକୁ ରାଜନୈତିକ ରଙ୍ଗ ଦିଆଯାଉଛି ବୋଲି ବିଧାୟକ ଶ୍ରୀରଣା ଏକ ସାମ୍ବାଦିକ ସମ୍ମିଳନୀରେ ପାଲଟା ଅଭିଯୋଗ କରିବା ସହିତ ଯଦି ତାଙ୍କ ପରିବାରର କୌଣସି ବ୍ୟକ୍ତି ହତ୍ୟାକାଣ୍ଡରେ ସାମିଲ ହେବାର ପ୍ରମାଣ ମିଳେ ସେ ତୁରନ୍ତ ବିଧାୟକ ପଦବୀରୁ ଇସ୍ତଫା ଦେଇଦେବେ ବୋଲି ପ୍ରକାଶ କରିଛନ୍ତି। ଲୋକନାଥଙ୍କ ହତ୍ୟାକଣ୍ଡକୁ ନେଇ ବିଜେଡି ବିଜେପି ମଧ୍ୟରେ ଟଣା ଓଟରା ଆରମ୍ଭ ହୋଇଥିବାବେଳେ ଜିଲ୍ଲାରେ ରାଜନୈତିକ ଉଷ୍ମତା ମଧ୍ୟ ପ୍ରକାଶ ପାଇଛି। ହତ୍ୟାକାଣ୍ଡ ମାମଲାର ନିରପେକ୍ଷ ତଦନ୍ତ କରି ବିଜେପି କର୍ମୀ ଲୋକନାଥଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ବୌଦ୍ଧ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଆରମ୍ଭ ହୋଇଛି। ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ଯୁବମୋର୍ଚ୍ଚାର ରାଜ୍ୟ ସଂପାଦକ ଓମପ୍ରକାଶ ମିଶ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ବାଘ,ପୂର୍ବତନ ଜିଲ୍ଳା ସଭାପତି ସୌମତ୍ରି ନାୟକ,ଯୁବନେତା ରାକେଶ ତ୍ରିପାଠୀ,ଅଟଳ ପ୍ରଧାନଙ୍କ ସମେତ ବିଜେପି ନେତାମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି। ତେବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଅଶ୍ୱନୀ କୁମାର ମେହେର ଧାରଣାକାରୀଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଖୋଲା ଆଲୋଚନା ପାଇଁ ବିଜେପି ନେତାମାନଙ୍କୁ ରାଜି କରାଇଥିଲେ। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏସପି ରଘୁନାଥ ରାଓ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ସହିତ ସମ୍ମିଳନୀ କକ୍ଷଠାରେ ଆଲୋଚନା କରିବା ପରେ ମୃତକଙ୍କ ପରିବାର ପକ୍ଷରୁ ହତ୍ୟାକାଣ୍ଡ ସଂପର୍କରେ କରାଯାଉଥିବା ଅଭିଯୋଗ ସଂପର୍କରେ ଲିଖିତ ଭାବରେ ଦଲେ ସେହି ଆଧାରରେ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ଏହାବ୍ୟତୀତ ବିଜେପି ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଘଟଣାର ତଦନ୍ତ ସିବିଆଇ କିମ୍ବା କ୍ରାଇମବ୍ରାଞ୍ଚ୍‍ ପକ୍ଷରୁ କରାଯିବାକୁ ସୁପାରିଶ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ଲିଖିତ ଭାବରେ ଜଣାଇଲେ ଜିଲ୍ଳା ପ୍ରଶାସନ ପକ୍ଷରୁ ସରକାରଙ୍କ ପାଖକୁ ପଠାଇଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିବା ଜଣାଯାଇଛି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories