www.samajalive.in
Wednesday, December 10, 2025
18.1 C
Bhubaneswar

ସଂଗ୍ରହାଳୟରେ ରଖାଯିବ ତିନିରଥ

ପୁରୀ : ଶ୍ରୀଜଗନ୍ନାଥ ବଲ୍ଳଭ ମଠ ସଂଗ୍ରହାଳୟରେ ରଖାଯିବ ତିନିରଥ। ବୁଧବାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ଖୁବ୍‌ଶୀଘ୍ର ଏକ ବୈଷୟିକ କମିଟି ଗଠନ କରାଯିବା ସହ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି। ଜଗନ୍ନାଥ ବଲ୍ଲଭ ମଠରେ ସଂଗ୍ରହାଳୟ ପାଇଁ ପ୍ଲାନ ଅନୁମୋଦନ ହୋଇସାରିଥିବା ସେ ସୂଚନା ଦେଇଛନ୍ତି। ଆବଶ୍ୟକ ସ୍ଥଳେ ନଷ୍ଟ ହେଉଥିବା କାଠଗୁଡିକୁ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତ୍ୟେକ ବର୍ଷ ରଥଯାତ୍ରା ଶେଷହେବା ପରେ ରଥଗୁଡିକୁ ଭଙ୍ଗାଯାଇ ମହାପ୍ରସାଦ ପ୍ରସ୍ତୁତିରେ ଜାଳେଣି ଭାବେ ବ୍ୟବହାର କରାଯାଏ। ଚଳିତବର୍ଷ ରଥଗୁଡିକୁ ଭଙ୍ଗାନଯାଇ ସଂରକ୍ଷଣ କରିବାକୁ ମନ୍ଦିର ପ୍ରଶାସନ ସ୍ଥିର କରିଛି। ମହାରଣା ସେବକଙ୍କ ସହ ବୁଧବାର ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ବର୍ଷ ତମାମ ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନେ ଦାରୁବ୍ରହ୍ମଙ୍କ ତିନିରଥ ଦେଖିବାର ସୁଯୋଗ ପାଇପାରିବେ।

- Advertisement -

ମନ୍ଦିର ପ୍ରଶାସନରେ ଏହା ଆଉ ଏକ ନୂଆ ଇତିହାସ ସୃଷ୍ଟିକରିବ। ସେହିପରି ଶ୍ରୀମନ୍ଦିର ସେବକଙ୍କ ପାଇଁ ୩୦ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର କେନ୍ଦ୍ର ଏବଂ ୧୫ଶଯ୍ୟା ବିଶିଷ୍ଟ କୋଭିଡ ହାସପାତାଳ ନିମନ୍ତେ ବୁଧବାର ବୈଠକରେ ସ୍ଥିର କରାଯାଇଛି। ପୁରୀର ଏକ ହୋଟେଲକୁ ଚୁକ୍ତିଭିତ୍ତିକ ଭାବେ ଭଡା ନିଆଯାଇ ସେବକଙ୍କ ପାଇଁ ସେଠାରେ କୋଭିଡ୍‌ କେୟାର କେନ୍ଦ୍ର କରାଯିବ ବୋଲି ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀମନ୍ଦିରର କୌଣସି ସେବକ ଯଦି କରୋନାରେ ସଂକ୍ରମିତ ହୁଅନ୍ତି କିମ୍ବା ସେମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଏ ତାହାଲେ ସେମାନଙ୍କୁ ସେଠାରେ ଚିକିତ୍ସା କରାଯିବ। ଏଥିପାଇଁ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ନିୟୋଜିତ କରାଯିବ। ମନ୍ଦିର ପ୍ରଶାସନ ନିଜସ୍ବ କୋଭିଡ ହାସପାତାଳ ନିର୍ମାଣ କରିବାକୁ ରାଜ୍ୟ ସରକାର ଚିଠିଲେଖି ପରାମର୍ଶ ଦେଇଥିଲେ। ତାହାକୁ ଭିତ୍ତିକରି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ଏକ ହୋଟେଲ ଚିହ୍ନଟ କରିବାକୁ ପ୍ରଶାସକ (ନୀତି) ଏବଂ ଅତିରିକ୍ତ ଜିଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି। ରଥଗୁଡିକୁ ଭଙ୍ଗାନଯାଇ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସଂଗ୍ରହାଳୟରେ ରଖାଯିବାକୁ ଜୁନ୍‌ ୨୦ତାରିଖ ‘ସମାଜ’ରେ ଏକ ଖବର ପ୍ରକାଶ ପାଇଥିଲା। ରଥ ସଂରକ୍ଷଣ ସପକ୍ଷରେ ବିଶିଷ୍ଟ ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡା, ବରିଷ୍ଠ ସାମ୍ବାଦିକ ରାଜକୁମାର ମହାନ୍ତି, ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ସଭାପତି ବିଭୁପ୍ରସାଦ ତ୍ରିପାଠୀ, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ରଙ୍କ ମତ ସେଥିରେ ପ୍ରକାଶ ପାଇଥିଲା। ପୁରୀ ରଥଯାତ୍ରାରେ ବ୍ୟବହୃତ ହେଉଥିବା ରଥଗୁଡିକୁ ଭାଙ୍ଗି ଦିଆନଯାଇ ସଂଗ୍ରହାଳୟରେ ରଖିବା ନିମନ୍ତେ ପୂର୍ବରୁ କେତେକ ସଂଗଠନ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ଦୀର୍ଘଦିନ ଧରି ହୋଇଆସୁଥିବା ଦାବି ଏବଂ ପରାମର୍ଶକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories