ଆଇପିଏଲ୍ ବାଟ ଖୋଲିଲା: ୟୁଏଇରେ ସେପ୍ଟେମ୍ବର ୨୬ରୁ ୯ ନଭେମ୍ବର ମଧ୍ୟରେ ହୋଇପାରେ ଖେଳ
ଆନ୍ତର୍ଜାତିକ କ୍ରିକେଟ ପରିଷଦ ଟି-୨୦ ବିଶ୍ବକପ୍ ଏକ ବର୍ଷ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଲାଗି ରାସ୍ତା ଖୋଲିଛି । ବିସିସିଆଇ ନଭେମ୍ବର-ଡ଼ିସେମ୍ବରରେ ଦଳର ଅଷ୍ଟ୍ରେଲିଆ ଗସ୍ତକୁ ଲକ୍ଷ୍ୟ ରଖି ଆଇପିଏଲର ସମ୍ଭାବ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର ୨୬ରୁ ନଭେମ୍ବର ୯ ତାରିଖ ମଧ୍ୟରେ ୟୁଏଇରେ ଆଇପିଏଲ୍ ହୋଇପାରେ । ବିଦେଶୀ ଖେଳାଳିମାନଙ୍କୁ ଦୁଇଥର କ୍ବାରେଣ୍ଟାଇନରୁ ରକ୍ଷା କରିବା ନିମନ୍ତେ ସେମାନଙ୍କୁ ସିଧା ଦୁବାଇ ନିଆଯାଇପାରେ । ଏହି ପ୍ରସଙ୍ଗରେ ଅଧିକାଂଶ ଫ୍ରାଞ୍ଚାଇଜି ଏକମତ ହୋଇଛନ୍ତି । ସବୁ ଦଳ ଚାହୁଁଛନ୍ତି ଯେ ବିଦେଶୀ ଖେଳାଳି ଭାରତ ଆସିବା ପରିବର୍ତ୍ତେ ସିଧା ୟୁଏଇରେ ପହଞ୍ଚନ୍ତୁ । ଏଥିପାଇଁ କେବଳ ସେମାନଙ୍କୁ ୟୁଏଇର କରୋନା ମାର୍ଗଦର୍ଶିକା ମାନିବାକୁ ପଡ଼ିବ ।
ଖୋଜା ହେଲାଣି ହୋଟେଲ
ଆଇପିଏଲ୍ ଫ୍ରାଞ୍ଚାଇଜିମାନେ ଏବେ ୟୁଏଇ ଯିବା ନିମନ୍ତେ ଚାଟାର୍ଡ଼ ବିମାନ ବ୍ୟତୀତ ସେଠାରେ ରହିବା ନିମନ୍ତେ ହୋଟେଲ ଖୋଜିବା ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ଗୋଟିଏ ଫ୍ରାଞ୍ଜାଇଜି ପକ୍ଷରୁ ସୂଚନା ଦିଆଯାଇଛି । ଯାତାୟତ ସହ ହୋଟେଲ ଓ ଲଜିଷ୍ଟିକ ସହ ଅନ୍ୟାନ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆବୁଧାବୀରେ ଏକ ହୋଟେଲ ମଧ୍ୟ ଦେଖା ସରିଛି ଏବଂ ଏହା ସହିତ ଦଳର ତାଲିମର ଯୋଜନା ମଧ୍ୟ ଆରମ୍ଭ ହୋଇଛି ।
ତେବେ ୟୁଏଇରେ କାହିଁକି ?
ତେବେ ପ୍ରଶ୍ନ ଉଠୁଛି ଆଇପିଏଲ୍ ୟୁଏଇରେ କାହିଁକି ହେବ ? କୁହାଯାଉଛି ଯେ ୟୁଏଇରେ ପୂର୍ବରୁ ଆଇପିଏଲ୍ ୨୦୧୪ରେ ଅନୁଷ୍ଠିତ ହୋଇଛି । ଏହାବ୍ୟତୀତ ଏହି ଦେଶକୁ ଟ୍ରାଭେଲ ହବ୍ ମଧ୍ୟ କୁହାଯାଇଛି । ସାରା ବିଶ୍ବର ବିଭିନ୍ନ ପ୍ରାନ୍ତକୁ ଏଠାରୁ ବିମାନ ସୁବିଧା ରହିଛି, ଡ଼ାକ୍ତରୀ ଚିକିତ୍ସା ସହ ଏଠାରେ ପୂର୍ବରୁ ହୋଇଥିବା ଆଇପିଏଲ୍ ଆୟୋଜନର ଅନୁଭବ ଯୋଗୁଁ ୟୁଏଇକୁ ପ୍ରାଥମିକତା ଦିଆଯାଉଛି ।
ଆଇପିଏଲ୍ ଅବଧି ହ୍ରାସ ପାଇବ
ଚଳିତବର୍ଷ ଆଇପିଏଲକୁ ୫୦ ଦିନ ପରିବର୍ତ୍ତେ ୪୪ ଦିନ କରାଯିବାକୁ ସ୍ଥିର ହୋଇଥିଲା । ସବୁ ୮ଟି ଦଳ ୯ ସହରରେ ୧୪ଟି ଲେଖାଏଁ ମ୍ୟାଚ ସହ ୨ ସେମିଫାଇନାଲ, ଗୋଟିଏ ନକଆଉଟ ଓ ମେ ୨୪ ତାରିଖରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିଅମରେ ଫାଇନାଲ ହେବାକୁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା । ମାତ୍ର ଏବେ ତାହାକୁ ୪୪ ଦିନ ପରିବର୍ତ୍ତେ ୩୭ ଦିନ କରାଯାଇପାରେ ବୋଲି ବୋର୍ଡ଼ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ।
Comments are closed.