ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ୧୭ ଓ ୧୮ତାରିଖରେ ଜାମ୍ମୁ କାଶ୍ମୀର ଓ ଲଦାଖର ସୀମାନ୍ତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବେ। ସେନାବାହିନୀ ମୁଖ୍ୟ ଜେନେରାଲ୍ ଏମ୍.ଏମ୍. ନରବଣେ ତାଙ୍କ ସହ ଯିବେ। ଏହି ସମୟରେ ସେମାନେ ପୂର୍ବ ଲଦାଖର ନିରାପତ୍ତା ପରିସ୍ଥିତିକୁ ସମୀକ୍ଷା କରିବେ। ସରକାରୀ ସୂତ୍ରରୁ ଜଣାପଡିଛି ଯେ, ଉତ୍ତର ସେନାବାହିନୀ କମାଣ୍ଡରଙ୍କ ସମେତ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ଅଫିସର ଶ୍ରୀ ସିଂହଙ୍କ ସହ ଏହି ଗସ୍ତରେ ଯିବେ।
ଚୀନ୍ ଓ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କର ଲଦାଖକୁ ଏହା ପ୍ରଥମ ଗସ୍ତ ହେବ। ଶ୍ରୀ ସିଂହ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିବେ। ପୂର୍ବରୁ ଏହାର ନାମ ରୋହତାଙ୍ଗ୍ ସୁଡ଼ଙ୍ଗ ଥିଲା ଓ ପରେ ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି। ଲେହ-ମନାଲୀ ରାଜପଥରେ ହିମାଳୟର ପୂର୍ବ ପିରପଞ୍ଜଲ ପାର୍ବତ୍ୟମାଳାର ରୋହତାଙ୍ଗ୍ ଗିରି ସଂକଟ ତଳେ ଏହି ରାଜପଥ ସୁଡ଼ଙ୍ଗକୁ ନିର୍ମାଣ କରାଯାଉଛି। ଏହାର ଦୈର୍ଘ୍ୟ ୮କିଲୋମିଟର ୮୦୦ ମିଟର ଓ ଏହା ଦେଶର ଦୀର୍ଘତମ ସୁଡ଼ଙ୍ଗ ହେବ। ଏହି ସୁଡ଼ଙ୍ଗ ମନାଲୀ ଓ କେଲଙ୍ଗ ମଧ୍ୟରେ ଦୂରତାକୁ ୪୬ କିଲୋମିଟର ହ୍ରାସ କରିଦେବ।
ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ମନାଲୀ-ଲେହ ରାଜପଥକୁ ସେନାବାହିନୀ ଲଦାଖ ଅଞ୍ଚଳର ସୀମାନ୍ତ
ଇଲାକାରେ ମୁତୟନ ହୋଇଥିବା ଯବାନମାନଙ୍କ ପାଇଁ ଅତ୍ୟାବଶ୍ୟକ ପଦାର୍ଥର ପରିବହନ ଲାଗି ବ୍ୟବହାର କରିଥାଏ।



