ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିର ଇ-କମର୍ସ ୱେବସାଇଟ୍ ଲଞ୍ଚ ହୋଇଛି। ‘ଅର୍ଡର ମି’ ନାମରେ ଏହି ୱେବସାଇଟ୍ ଡିଜିଟାଲ ପ୍ଲାଟଫର୍ମରେ ଧମାଲ ମଚାଇଛି। ପତଞ୍ଜଳି ସମେତ ଅନ୍ୟାନ୍ୟ ସ୍ବଦେଶୀ ଦ୍ରବ୍ୟ ମଦ୍ୟ ଏଥିରେ ଉପଲବ୍ଧ ରହିଛି। ଏହି ୱେବସାଇଟ୍ ମାଧ୍ୟମରେ ପ୍ରଥମ ସପ୍ତାହରେ ପତଞ୍ଜଳିକୁ ଦଶ ହଜାରରୁ ଅଧିକ ଅର୍ଡର ମିଳିଛି। କେବଳ ସେତିକି ନୁହେଁ, ଏହା ଆମାଜନ ଏବଂ ଫ୍ଲିପକାର୍ଟ ଭଳି କମ୍ପାନୀଗୁଡିକୁ ସିଧାସଳଖ ଟକ୍କର ଦେଉଛି।
ଯୋଗ ଗୁରୁ ବାବା ରାମଦେବଙ୍କ ମୁଖପାତ୍ର ଏସପି ଗୁରୁ ତିଜାରାୱାଲା କହିଛନ୍ତି ଯେ ‘ଅର୍ଡର ମି’ରେ ଉଭୟ ଅକ୍ଷର ଓ (O) ଏବଂ ଏମ୍ (M)ରୁ ଆରମ୍ଭ ହୋଇଛି, ଯାହାର ଉଚ୍ଚାରଣ ଓମ୍ ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଯୋଗାଯୋଗହୀନ ବିତରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ତେଣୁ ଆଗାମୀ ଦିନରେ ଆମେ ଏହା ଉପରେ କାର୍ଯ୍ୟ କରିବୁ। ଏହି ଡିଜିଟାଲ ପ୍ଲଟଫର୍ମରେ ବର୍ତ୍ତମାନ ଦେଶର ପ୍ରାୟ ୫ ହଜାର ଆଉଟଲେଟ୍ କୁ ଅନ୍ତର୍ଭୁକ୍ତ କରାଯାଇଛି। ଆମେ ବିଶ୍ୱସନୀୟତା ସହିତ ଲୋକଙ୍କୁ ସାମଗ୍ରୀ ଯୋଗଇବୁ ବୋଲି ଦୃଢତାର ସହ ତିଜାରାୱାଲା କହିଛନ୍ତି। ପତଞ୍ଜଳିର ଏହି ଉଦ୍ୟମ ଦ୍ବାରା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆମେ ବାହାରର କିଛି ଲୋକଙ୍କୁ ନିଯୁକ୍ତି ଦେବା ସହ ବିତରଣ କାର୍ଯ୍ୟ ପାଇଁ ଆଉଟଲେଟ୍ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯିବ। ଏହା ସହ ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ କରୁଥିବା ଅନ୍ୟ ପ୍ଲାଟଫର୍ମଗୁଡିକ ମଧ୍ୟ ଏହି ପ୍ଲାଟଫର୍ମ ସହିତ ସଂଯୁକ୍ତ ହୋଇପାରିବ। ଏହା ବ୍ୟତୀତ ଅନ୍ୟାନ୍ୟ ଏଫଏମସିଜି (FMCG) କମ୍ପାନୀର ଉତ୍ପାଦନ ମଧ୍ୟ ଏହି ପ୍ଲାଟଫର୍ମରେ ଅନ୍ତର୍ଭୂକ୍ତ ହେବ। ଯାହା ଦ୍ବାରା ପ୍ରତ୍ୟେକ ସାମଗ୍ରୀ ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ।



