ଭୁବନେଶ୍ବର (ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୭ ଛୁଇଁଛି । ସଂକ୍ରମିତଙ୍କ ସଂଖ୍ୟା ୧୩୩୮୭ରେ ପହଞ୍ଚିଛି । ଲକ୍ଡ଼ାଉନ କାଳରେ ମାସ୍କ ପିନ୍ଧି ଘରୁ ବାହାରିବାକୁ ବାଧ୍ୟତାମୂଳକ କରାଯାଇଛି । ମାତ୍ର କରୋନାର ଭୟଙ୍କର ଆକ୍ରମଣଠାରୁ କରୋନା ବର୍ଜ୍ୟ ବିପଜ୍ଜନକ ସାବ୍ୟସ୍ତ ହେବାକୁ ଯାଉଛି । ଏକ ରିପୋର୍ଟ ଅନୁସାରେ ପ୍ରତିଦିନ ପ୍ରତି ରାଜ୍ୟରେ ପାଖାପାଖି ୧.୫ ଟନ୍ କରୋନା ବର୍ଜ୍ୟ ବାହାରୁଛି । ଏହି ବର୍ଜ୍ୟ ପରିଚାଳନା ନିମନ୍ତେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଏକ ମାର୍ଗଦର୍ଶିକା ଜାରି କରିଛି । କୋବିଦ-୧୯ ବର୍ଜ୍ୟର ଉପଯୁକ୍ତ ପରିଚାଳନା ନ ହେଲେ ଭୟଙ୍କର ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି । ଡ଼ାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟ ସବୁ ବାୟୋ ମେଡ଼ିକାଲ ବର୍ଜ୍ୟ ଭାବରେ ପରିଗଣିତ । ସରକାରୀ ମାର୍ଗଦର୍ଶିକା ଅନୁସାରେ ଆଇସୋଲେସନ ୱାର୍ଡ଼, ପରୀକ୍ଷା କେନ୍ଦ୍ର ନିୟମ ଅଲଗା ଅଲଗା ରହିଛି । ସେହିପରି କ୍ବାରେଣ୍ଟାଇନ ସେଣ୍ଟର, ହୋମ କ୍ବାରେଣ୍ଟାଇନ ନିମନ୍ତେ ଅଲଗା ବ୍ୟବସ୍ଥା ଅଛି ।
କୋବିଦ-୧୯ ବର୍ଜ୍ୟ ଦୁଇ ପରସ୍ତ ବ୍ୟାଗ ବା ଡ଼ବାରେ ରଖାଯିବା ବାଧ୍ୟତାମୂଳକ । ଏହା ଉପରେ ଏ ସଂକ୍ରାନ୍ତରେ ଉଲ୍ଲେଖ କରାଯିବାର ବିଧି ରହିଛି । ଯେଉଁ ଟ୍ରଲିକୁ ଏହାର ପରିବହନରେ ବ୍ୟବହାର କରାଯିବ ତାହାକୁ ଅନ୍ୟ କୌଣସି ସାମଗ୍ରୀ ପରିବହନରେ ଲଗାଯିବ ନାହିଁ । ଯେଉଁ କର୍ମଚାରୀ ଏହି ୱାର୍ଡ଼ ବା ଏହି ସାମଗ୍ରୀ ପରିଚାଳନାରେ ନିୟୋଜିତ ରହିବ ସେ ଅନ୍ୟ କୌଣସି କାମ କରିବା କଥା ନୁହେଁ ।
କ୍ବାରେଣ୍ଟାଇନ ସେଣ୍ଟରରେ ବାୟୋମେଡ଼ିକାଲ ବର୍ଜ୍ୟ ଏକତ୍ରିତ କରିବା ପରେ ଏହାକୁ ବର୍ଜ୍ୟପରିଚାଳନା ନିମନ୍ତେ ପଠାଯିବ ଏବଂ ୨୦୧୬ କଠିନ ବର୍ଜ୍ୟ ପରିଚାଳନା ନିୟମ ଅନୁସାରେ ଏହାକୁ ନଷ୍ଟ କରାଯିବ ।
ଅଧିକାଂଶ ଡ଼ାକ୍ତରଖାନାରେ ବର୍ଜ୍ୟପରିଚାଳନା କରାଯାଉଛି । ମାତ୍ର ସରକାରୀ ମାର୍ଗଦର୍ଶିକା ଅନୁସାରେ ଯେଉଁ କର୍ମଚାରୀମାନେ ଏହି ବର୍ଜ୍ୟ ପରିଚାଳନା କରୁଛନ୍ତି ତାଙ୍କୁ ପୂର୍ଣ୍ଣ ସୁରକ୍ଷା ଉପକରଣ ଦିଆଯିବାର ଆବଶ୍ୟକତା ରହିଛି । ତିନିପରସ୍ତ ମାସ୍କ, ଗାଉନ, ଉନ୍ନତମାନର ଗ୍ଲୋବ୍ସ, ପୁରା ଯୋତା, ସୁରକ୍ଷା ସଂକ୍ରାନ୍ତ ନିୟମାବଳୀ ପୂରଣ କରୁଥିବା ଚଷମା ଦେବାର ଆବଶ୍ୟକତା ଅଛି । ମାତ୍ର ଏହିଠାରେ ରହିଛି ସମସ୍ୟା । ସେହିପରି କରୋନା ବର୍ଜ୍ୟକୁ ଦୁଇ ପରସ୍ତ ହଳଦିଆ ବ୍ୟାଗରେ ସ୍ଥାନାନ୍ତର କରିବା ନିମନ୍ତେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ କଡ଼ା ନିର୍ଦେଶ ଦେଇଥିଲେ ମଧ୍ୟ କେତେକ କ୍ଷେତ୍ରରେ ତାହାର ଅନୁପାଳନ ହେଉ ନଥିବା ଅଭିଯୋଗ ହୋଇଛି ।
ମାତ୍ର ଅଧିକାଂଶ ଡ଼ାକ୍ତରଖାନାରେ ଏହି ବର୍ଗର କର୍ମଚାରୀମାନେ ଆଉଟ ସୋର୍ସିଂ ବା ଠିକାରେ କାମ କରୁଥିବାରୁ ଏହାପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଉ ନାହିଁ । ଦିଲ୍ଲୀ ଏମ୍ସର ଠିକା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ମୃଗାଙ୍କଙ୍କ ଅଭିଯୋଗ ଅନୁସାରେ ଏଠାରେ ୬୦୦ ସଫେଇ କର୍ମଚାରୀ କାମ କରୁଛନ୍ତି ଓ ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଠିକା କର୍ମଚାରୀ । ଏମାନଙ୍କୁ କର୍ମଚାରୀର ମାନ୍ୟତା ମିଳୁ ନ ଥିବାରୁ ସେମାନଙ୍କୁ ମାସ୍କ, ଗ୍ଲୋଭ୍ସ ଓ ସୁରକ୍ଷା ଗାଉନ ଆଦି ଲାଗି ବାରମ୍ବାର ଦାବି କରିବାକୁ ପଡ଼ୁଛି ।
ଅନ୍ୟପକ୍ଷରେ ଅଲ୍ ଇଣ୍ଡିଆ କମନ ବାୟୋମେଡ଼ିକାଲ ୱେଷ୍ଟ ଫେସିଲିଟି ଆସୋସିଏସନର ସାଧାରଣ ସମ୍ପାଦକ ଆର୍ସଦ ୱାରସୀଙ୍କ ମତରେ କିଛି ବଡ଼ ସହରରେ ମେଡ଼ିକାଲ ଓ କରୋନା ବର୍ଜ୍ୟର ଉପଯୁକ୍ତ ଭାବରେ ପରିଚାଳନା ହେଉଛି । ମାତ୍ର ଛୋଟ ସହରଗୁଡ଼ିକରେ ଏପରି ବ୍ୟବସ୍ଥା ନାହିଁ । ଯାହା ଫଳରେ ଏହ ବର୍ଜ୍ୟ ଅନ୍ୟତ୍ର ଫିଙ୍ଗାଯାଉଛି ଏବଂ ପଶୁପକ୍ଷୀମାନଙ୍କ ଦ୍ବାରା ଏହା ଚାରିଆଡ଼େ ବୁଲୁଛି । ତେଣୁ ଏହାପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ୱାରସୀ କହିଛନ୍ତି ।



