ବଡ଼ସାହି : ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ର ସଂକ୍ରମଣ ପାଇଁ ସାରା ଭାରତ ବର୍ଷରେ ତାଲାବନ୍ଦ ୨୧ଦିନରେ ପହଞ୍ଚିଛି। ଏହି ସମୟରେ ଅସହାୟଙ୍କୁ ‘ସମାଜ’ ରିଲିଫ ପାଣ୍ଠି ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି। ରିଲିଫ ପାଣ୍ଠିର ରାଜ୍ୟ ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବଡ଼ସାହି ବ୍ଲକର ଆସୁକନ୍ଦ, ରଙ୍ଗପାଣି, ତେନ୍ତୋଳ, ଜଳନଣ୍ଡ, ବିଦ୍ୟାଧରଖୁଣ୍ଟା, ଚନ୍ଦନପୁର, ମହୁପୁରା, ଗୌଡ଼ଗାଁ, ଆଙ୍କପୁରା, ନିଶ୍ଚିନ୍ତପୁର, ତେନ୍ତୁଳିଗାଁ ଓ ଆଡ଼ିଆସାହି ଆଦି ଗ୍ରାମର ୫୦ଜଣ ଅସହାୟ ପରିବାରଙ୍କୁ ସହାୟତା ସ୍ୱରୁପ ଚାଉଳ, ଡାଲି, ଆଳୁ, ଲୁଣ, ସାବୁନ ଓ ମାସ୍କ ବଣ୍ଟନ କରାଯାଇଥିଲା। ବିଶେଷଭାବେ ବାଙ୍ଗରିପୋଷି-ଭୁବନେଶ୍ୱର ସୁପରଫାଷ୍ଟରେ ଦୈନିକ ମଜୁରୀ ନିମନ୍ତେ ଜିଲା ବାହାରକୁ କାମ କରିବାକୁ ଯାଉଥିବା ଶ୍ରମଜୀବୀ ଏବେ ଯାଇନପାରି ଦୟନୀୟ ଅବସ୍ଥାରେ ଦିନ କାଟୁଥିବାରୁ ଡ. ଆଚାର୍ଯ୍ୟ ସହାୟତା ପାଇଁ ସୁପାରିଶ କରିଥିଲେ। ‘ସମାଜ’ ପକ୍ଷରୁ ବିଭିନ୍ନ ଗ୍ରାମରୁ ଅସହାୟଙ୍କୁ ଚିହ୍ନଟ ପରେ ସେମାନଙ୍କ ନାମ ତାଲିକା ସଂଗ୍ରହ ପୂର୍ବକ ରିଲିଫପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଥିଲା। ରିଲିଫ ବଣ୍ଟନରେ ବଡ଼ସାହି ସମାଜ ପ୍ରତିନିଧି ମନୋଜ ପଣ୍ଡାଙ୍କ ସହିତ ଆଇନଜୀବୀ ପ୍ରବୀର ବାରିକ, ଜୟନ୍ତ ନନ୍ଦଗୋସ୍ୱାମୀ, ସୁଶାନ୍ତ ମାଝୀ, ସୁରେଶ ଚନ୍ଦ୍ର ପତି, ପ୍ରଶାନ୍ତ କୁମାର ଦାସ ଓ ପରେଶ କୁମାର ମହାନ୍ତ ପ୍ରମୁଖ ସହାୟତା କରିଥିଲେ। ଅସମୟରେ ସମାଜ ରିଲିଫ କମିଟି ପକ୍ଷରୁ ଏହି ସହାୟତା ପାଇଥିବା ଶ୍ରମଜୀବୀ ଓ ଅସହାୟ ପୁରୁଷ ମହିଳା ସମାଜର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।



