ବୁନ୍ଦେ ବୁନ୍ଦେ ପାଣି ପାଇଁ ଛଟପଟ ହେବ ପାକିସ୍ତାନ!

0

ନୂଆଦିଲ୍ଲୀ : ଆସନ୍ତା କିଛି ବର୍ଷ ମଧ୍ୟରେ ପାକିସ୍ତାନରେ ଗୁରୁତର ଜଳ ସଂକଟ ଦେଖାଯିବ ଓ ପାକିସ୍ତାନବାସୀ ବୁନ୍ଦେ ବୁନ୍ଦେ ପାଣି ପାଇଁ ଛଟପଟ ହେବେ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‍ଏଫ) ସମେତ କେତେକ ଅନ୍ତର୍ଜାତୀୟ ସଂସ୍ଥାର ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟରେ ଆଶଙ୍କା କରାଯାଇଛି ଯେ ୨୦୨୫ ସୁଦ୍ଧା ପାକିସ୍ତାନରେ ମରୁଭୂମି ଭଳି ପରିସ୍ଥିତି ସୃଷ୍ଟି ହେବ। ତେବେ ପାକିସ୍ତାନ ଏଥିପାଇଁ ଭାରତକୁ ଦାୟୀ କରିଛି। ପାକିସ୍ତାନର ବିଭିନ୍ନ ଖବରକାଗଜରେ ଏହି ରିପୋର୍ଟ ପ୍ରକାଶ ପାଇଛି ଓ ଭାରତ ଯୋଗୁଁ ଜଳସଂକଟ ଦେଖାଯିବ ବୋଲି ଦର୍ଶାଯାଇଛି। ପାକିସ୍ତାନର ଖବରକାଗଜ ‘ଜଙ୍ଗ’ରେ ଲେଖାଯାଇଛି ଯେ ପାଣି ସଂକଟ ଦୂର କରିବା ଏବଂ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ଗୁରୁତର ପରିସ୍ଥିତି ପ୍ରତି ସତର୍କ ରହିବାକୁ ବିଶେଷଜ୍ଞମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ହେଲେ ପାକିସ୍ତାନ ସରକାର ଏହାକୁ ହାଲକା ଭାବେ ନେଉଛନ୍ତି ଓ ଧ୍ୟାନ ଦେଉନାହାନ୍ତି। ୧୯୯୦ ପରଠାରୁ ପାକିସ୍ତାନରେ ଜଳ ସଂରକ୍ଷଣ ପାଇଁ କୌଣସି ଜଳ ଭଣ୍ଡାର ବା ବନ୍ଧ ନିର୍ମାଣ କରାଯାଇନାହିଁ। ତେଣୁ ଭବିଷ୍ୟତରେ ଜଳ ସମସ୍ୟା ଉତ୍କଟ ଜଳ ସଂକଟରେ ପରିଣତ ହେବାକୁ ଯାଉଛି। ସେହିପରି ପାକିସ୍ତାନର ଅନ୍ୟ ଏକ ଖବରକାଗଜ ‘ଏକ୍ସପ୍ରେସ୍‍’ରେ ଲେଖାଯାଇଛି ଯେ ବିଶ୍ୱରେ ଅନେକ ଅଂଶରେ ଜଳ ସଂକଟ ରହିଛି ଓ ଯେଉଁ ଜଳ ମିଳୁଛି ତାହା ପ୍ରଦୂଷିତ। ପାକିସ୍ତାନର ୮୦% ଜଳ ଦୂଷିତ ଏବଂ ଜଳ ସଂକଟ ଆସନ୍ତା ଦିନରେ ବଡ଼ ସମସ୍ୟା ହେବାକୁ ଯାଉଛି। ଭାରତ ସିନ୍ଧୁ ଜଳ ରାଜିନାମା ଉଲ୍ଲଙ୍ଘନ କରିଛି ବୋଲି ଖବରକାଗଜ ପକ୍ଷରୁ ଅଭିଯୋଗ କରାଯାଇଛି। ଜଳ ସମସ୍ୟାକୁ ନେଇ ପାକିସ୍ତାନ ଆଟର୍ଣ୍ଣି ଜେନେରାଲଙ୍କ ନେତୃତ୍ୱରେ ୪ ସଦସ୍ୟ ବିଶିଷ୍ଠ ଏକ ପ୍ରତିନିଧିମଣ୍ଡଳୀ ୱାଶିଂଟନରେ ପହଞ୍ଚିଛି। ସେଠାରେ ଏହି ଦଳ କିଶାନଗଙ୍ଗା ପ୍ରକଳ୍ପ ଏବଂ ଦୁଇ ଦେଶ ମଧ୍ୟରେ ସିନ୍ଧୁ ଜଳ ରାଜିନାମା ବିଷୟରେ ଆଲୋଚନା କରିବ। ଉଲ୍ଲେଖ ଯେ ପାକିସ୍ତାନ ଏହି ପ୍ରସଙ୍ଗ ବିଶ୍ୱବ୍ୟାଙ୍କ ନିକଟରେ ଉଠାଇ ଲଜ୍ଜିତ ହୋଇସାରିଛି। ପାକିସ୍ତାନ ଅଭିଯୋଗ କରୁଛି ଯେ କିଶାନଗଙ୍ଗା ତାପଜ ବିଦ୍ୟୁତ୍‍ ପ୍ରକଳ୍ପ ଯୋଗୁଁ ସିନ୍ଧୁ ଜଳ ରାଜିନାମା ପ୍ରଭାବିତ ହୋଇଛି। ସିନ୍ଧୁ ଜଳ ରାଜିନାମା ଅନୁସାରେ ପାକିସ୍ତାନ ଯେତେ ପାଣି ପାଉଥିଲା ଏହି ପ୍ରକଳ୍ପ ଯୋଗୁଁ ଆଉ ସେତେ ପାଣି ପାଇବ ନାହିଁ। ଭାରତ ସିନ୍ଧୁ ଜଳ ରାଜିନାମା ଉଲ୍ଲଙ୍ଘନ କରି କିଶାନଗଙ୍ଗା ତାପଜ ବିଦ୍ୟୁତ୍‍ ପ୍ରକଳ୍ପ ପ୍ରତିଷ୍ଠା କରିଛି ବୋଲି ପାକିସ୍ତାନ ଅଭିଯୋଗ କରିଛି। ହେଲେ ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଛି। ପାକିସ୍ତାନ ନିଜ ପଟରେ ପାଣିର ସଦୁପଯୋଗ କରୁନାହିଁ ଓ ବହୁ ପରିମାଣର ପାଣି ସମୁଦ୍ରକୁ ଚାଲିଯାଉଛି ବୋଲି ଭାରତ କହିଛି। ପାକିସ୍ତାନ ନିଜ ଭୂମିରେ ନଦୀ ବନ୍ଧ ନିର୍ମାଣ କରି ଜଳର ସଦୁପଯୋଗ କରିପାରିବ, କିନ୍ତୁ ତାହା ନକରି ଭାରତ ଉପରେ ମିଥ୍ୟା ଅଭିଯୋଗ ଆଣୁଛି ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।

Leave A Reply